କଥାରେ ଅଛି, ‘ବୁଡିଗଲା ଗୋଡ ତଳକୁ ତଳକୁ’ । ନଷ୍ଟ ପଥରେ ଧାବମାନ ଅଶ୍ୱ ଗତିକୁ ରୋକିଲେ କାମୁଡା ଖାଇବା ସାର । ସ୍ୱାଧିନ ଭାରତବର୍ଷରେ ଏବେ ପ୍ରତ୍ୟେକ ମଣିଷ ନିଜ ନିଜର ମାନସମ୍ମାନ, ଧନସମ୍ପତି, ଗର୍ବ ଓ ଅହଂକାର ଆଦିକୁ ନେଇ ଏତେ ବ୍ୟସ୍ତ ଯେ, ସବୁଠାରୁ ମୂଲ୍ୟବାନ ବିଭବ ‘ମଣିଷପଣିଆ’କୁ ସେ ଏବେ ଭୁଲି ଯିବା ଉପରେ । ଏହାଠାରୁ ଆହୁରି ଭୟଙ୍କର କଥାଟି ହେଲା, ମଣିଷପଣିଆକୁ ଭୁଲିଯାଉଥିବା ମଣିଷ ଠିକ୍ କରୁଛି ବୋଲି ଆଉ କେତେକ ତଥାକଥିତ ଜ୍ଞାନୀ, ଗୁଣି, ଲେଖକ ଓ ପଣ୍ଡିତ ଯୁକ୍ତି କରିବା । ସମାଜର ଆଗଧାଡିରେ ଥିବା ଅଳ୍ପ କେତେକ ବୁଦ୍ଧିଜୀବୀଙ୍କ ମଧ୍ୟରୁ ସ୍ୱଳ୍ପସଂଖ୍ୟକ ବ୍ୟକ୍ତି ମଧ୍ୟ ଏପରି ଗର୍ବୀ ଓ ମଣିଷପଣିଆ ହରାଇସାରିଥିବା ବ୍ୟକ୍ତିଙ୍କୁ ନୈତିକ ସର୍ମଥନ ଯୋଗାଇଦେବା ପରୋକ୍ଷରେ ଏକ ଅପରାଧ ବ୍ୟତିତ ଆଉ କଣ ବା ହୋଇପାରେ । କୌଣସି ଏକ ସମ୍ବାଦପତ୍ରରେ (ନାମ ମନେନାହିଁ) ଏହି ସ୍ତମ୍ଭକାର ଗୋଟିଏ ପ୍ରବନ୍ଧ ପଢ଼ିଲା ବେଳେ ଜାଣିବାକୁ ପାଇଥିଲା ଯେ, ଜଣେ ଜରାଗ୍ରସ୍ତ ବୃଦ୍ଧଙ୍କ ଦୁଇ ପୁଅ ବିଦେଶରେ ରହୁଥିଲା ବେଳେ ଏଠାରେ ବୃଦ୍ଧଙ୍କ ଦେଖାଶୁଣା ପାଇଁ ରହିଥିବା ତାଙ୍କ ପତ୍ନୀଙ୍କ ବୋଧହୁଏ ବିୟୋଗ ଘଟିଥିବାରୁ ଏହି ତଥାକଥିତ ବୃଦ୍ଧ ପିତାଙ୍କୁ ଭଲରେ ରଖିବା ଲାଗି ବିଦେଶରେ ଥିବା ପୁଅମାନେ ତାଙ୍କୁ ଜରାଶ୍ରମରେ ରଖିଥିଲେ । ଏହା ତ’ ସ୍ୱାଭାବିକ ଭାବେ ଏକ ଦୁଃଖଦ ଘଟଣା । ଅଥଚ ମୋର ଯେତିକି ମନେପଡୁଛି, ଲେଖକ ଜଣକ ତାଙ୍କ ଲେଖାରେ ଦର୍ଶାଇଥିଲେ ଯେ ଏହି ଘଟଣା ସ୍ୱାଭାବିକ । ଏହାର କାରଣ ମଧ୍ୟ ସେ ଦର୍ଶାଇବାକୁ ଯାଇ ଉଲ୍ଲେଖ କରିଥିଲେ, ଜରାଶ୍ରମରେ ରହିଥିବା ବୃଦ୍ଧ ଯେତେବେଳେ ପୁଅଙ୍କୁ ବିଦେଶ ପଠାଇଥିଲେ, ସେତେବେଳେ ସେ ନିଶ୍ଚୟ ଜାଣିଥିଲେ, ତାଙ୍କର ପୁଅ ଏଠାକୁ ଆସିବେ ନାହିଁ । ଆମେ ଅତ୍ୟନ୍ତ ନମନୀୟ ଭାବେ ପ୍ରଶ୍ନ କରିବାକୁ ଚାହୁଁ, ବିଦେଶରେ ଥିବା ପୁଅ ସବୁ ସମୟରେ ଆସିବା ଅସମ୍ଭବ ହୋଇଥିଲା ବେଳେ ଆବଶ୍ୟକ ପଡିଲେ ଆସିପାରିବେ ଓ ଆସୁଛନ୍ତି ମଧ୍ୟ । ତେଣୁ ଏପରି ଯୁକ୍ତିକୁ ଆବାନ୍ତର ବ୍ୟତିତ ଆଉ କଣ ବା କୁହାଯାଇପାରେ? କେବଳ ସେତିକି ନୁହେଁ, ଗଣମାଧ୍ୟମରେ ସଦ୍ୟ ପ୍ରକାଶିତ ଏକ ଖବର ଅନୁଯାୟୀ ୨୪ ଘଂଟା ପୂର୍ବରୁ ରାଜଧାନୀ ଅନ୍ତର୍ଗତ ମଂଚେଶ୍ୱର ଥାନାର ପଳାସୁଣୀ ଅଂଚଳରେ ସମ୍ପତି ଲୋଭରେ ପୁଅ କିପରି ବାପକୁ ୮ ଦିନ ଧରି ବାଥରୁମ୍ରେ ବନ୍ଦ କରି ରଖିପାରେ, ତାହା ଲୋକଲୋଚନକୁ ଆସିଛି । ପୋଲିସ ଏହା ଯାଣି ପାରି ବୃଦ୍ଧଙ୍କୁ ପୁଅ ବିରୋଧରେ ଏତଲା ଦେବାକୁ କହିଥିଲେ ମଧ୍ୟ ବିଚରା ବାପ ଏପରି ଏତଲା ଦେବାକୁ ମନା କରିଦେଇଥିଲେ । ବରଂ ସେ ପୋଲିସ ନିକଟରେ ତାଙ୍କୁ କୌଣସି ଜରାଶ୍ରମରେ ଛାଡିଦେବାକୁ କହିଥିଲେ ଓ ପୋଲିସ ତାହା ହିଁ କରିଥିଲା । ଅବଶ୍ୟ ଦାୟିତ୍ୱ ଦୃଷ୍ଟିକୋଣରୁ ଉଭୟ ପୁଅବୋହୁଙ୍କୁ ପୋଲିସ ନୋଟିସ୍ କରିଛି । ତେବେ ଏଠାରେ ଆମେ କହିବାର କଥା ହେଲା ଯେ, ପୂର୍ବେ ଏକାନ୍ନବର୍ତୀ ପରିବାର ଥିଲା ବେଳେ ଭାରତବର୍ଷରେ ଗୋଟିଏ ଗୋଟିଏ ପରିବାର ସଦସ୍ୟଙ୍କ ମୋଟସଂଖ୍ୟା ୫୦ରୁ ୧୦୦ ପର୍ଯ୍ୟନ୍ତ ରହୁଥିଲା । ଏବେ କିନ୍ତୁ ବଦଳିଯାଇଛି ଚିତ୍ର ଓ ଚରିତ୍ର । ଏବେ ସମସ୍ତେ ଗୋଟିଏ ନୀତିରେ ବିଶ୍ୱାସ କରୁଛନ୍ତି ଓ ତାହା ହେଲା, ‘ଆମେ ଦୁଇ ଓ ଆମର ଦୁଇ’ । ପରବର୍ତୀ ସମୟରେ ଯାହା ଘଟିବା କଥା, ତାହା ହିଁ ଘଟୁଛି । ପିଲା ବଡ ହେବା ପରେ ବାହାରେ ରହିବା ସହ ବାପ ମା’ ବୃଦ୍ଧାବସ୍ଥାରେ ପିଲା-ଛେଉଣ୍ଡ ହୋଇ କିଏ ଜରାଶ୍ରମରେ ରହୁଛି ତ ଆଉ କିଏ ଭଡାଟିଆଙ୍କୁ ପୋଷ୍ୟପୁତ୍ର କରି ରଖୁଛି । ପାରିବାରିକ ସ୍ନେହ ଏବେ ଉଜୁଡି ଗଲାଣି । ସମସ୍ତେ ଅର୍ଥଲୋଭି ପାଲଟିବା ସହ ଭାରତୀୟ ସଂସ୍କୃତିକୁ ଦୁରେଇଦେଲେଣି । ଏବେ ଯାହା ଚାଲିଛି ତାହା କ୍ଷୁଦ୍ର ପରିବାରକୁ ନେଇ ଗଠିତ ନବ ଭାରତ । ଏ ସମ୍ପର୍କରେ ଆଉ ଏକ କ୍ଷୁଦ୍ର ଉଦାହରଣ ଦିଆଯାଇପାରେ । ବୃଦ୍ଧାବସ୍ଥାରେ ପୁଅବୋହୁଙ୍କ ସହ କିପରି ରାଜଧାନିରେ ଲୋକମାନଙ୍କୁ ଚଲିବାକୁ ପଡୁଛି, ତାହା ନିଜେ ନଶୁଣିଲେ ଓ ନଜାଣିଲେ କେହି କେହି ଗୁଲିଗପ ବୋଲି ଆଖ୍ୟା ଦେବା ଅସମ୍ଭବ ନୁହେଁ । ଜଣେ ବନ୍ଧୁ କହୁଥିଲେ, କେଇ ବର୍ଷ ପୁର୍ବେ ରାଜଧାନୀରେ ଜାଗା କିଣି ଜଣେ ସରକାରୀ ଅଫିସର ଘର କଲା ବେଳେ ପ୍ରଥମେ ଡିଜାଇନର ଡାକିଥିଲେ ଓ କେତେ ବଖରା ହେବ ଓ କେଉଁଠି କଣ ରହିବ ତାହା କହିଥିଲେ । ସବୁ ଶୁଣିବା ପରେ ଡିଜାଇନର ଜଣକ ଘର ମାଲିକଙ୍କୁ ତାଙ୍କର ମତ ଶୁଣିବାକୁ କହିଥିଲେ । ସେ କହିଥିଲେ ଏବେ ରାଜଧାନୀରେ ଅବସରପ୍ରାପ୍ତ ଓ ବୃଦ୍ଧ ବାପମା’ଙ୍କୁ ପିଲାମାନେ ଦାଣ୍ଡଘରେ ରଖୁଛନ୍ତି ଓ ଏହା ରାଜଧାନୀ ଚଳଣି ପାଲଟି ଗଲାଣି କହିଲେ ଅତୁ୍ୟକ୍ତି ହେବନାହିଁ । ଏପରିସ୍ଥଳେ ପାଇଖାନା ନଥିବାରୁ ବୃଦ୍ଧାବସ୍ଥାରେ ବହୁ ଦୁରକୁ ବାପମା’ ମାନଙ୍କୁ ଯିବାକୁ ପଡୁଛି । ତେଣୁ ଆପଣ ଦାଣ୍ଡଘରେ ଅଲଗା ଲାଟ୍ରିନ ଓ ବାଥରୁମ୍ ରଖନ୍ତୁ । ଯଦି ଭାରତୀୟ ସଂସ୍କୃତିକୁ ଭୁଲି ଆମେ ପାଶ୍ଚାତ୍ୟ ସଂସ୍କୃତି ପଛରେ ଧାଇଁବା ତେବେ ଆମେ ଭୋଗିବାନି ତ’ ଭୋଗିବ କିଏ?