ପଞ୍ଚାୟତ ନିର୍ବାଚନ ସଜବାଜ

ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ରାଜ୍ୟର ପ୍ରମୁଖ ରାଜନୈତିକ ଦଳଗୁଡିକ ହଠାତ୍ ସକ୍ରିୟ ହୋଇଉଠିଛନ୍ତି । ଏହି ନିର୍ବାଚନ ପାଇଁ ବର୍ତମାନ ସୁଦ୍ଧ । ବିଧିବଦ୍ଧ ଭାବେ ତାରିଖ ଘୋଷଣା ହୋଇନାହିଁ । ହେଲେ ନିର୍ବାଚନକୁ ସାମନା କରିବାକୁ ଭିତରେ ଭିତରେ ଯୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ରାଜ୍ୟର ସମସ୍ତ ପ୍ରମୁଖ ରାଜନୈତିକ ଦଳ ୩୨ଟି ଯାକ ସାଂଗଠନିକ ଜିଲ୍ଲାରେ ସମାବେଶ କରିବା ସାଙ୍ଗକୁ ରାଜନୈତିକ ସଂଗଠନ ମଜଭୁତ କରିବାକୁ କସରତ ଆରମ୍ଭ କରିଦେଇଛନ୍ତି । ପ୍ରାଥମିକ ପ୍ରକ୍ରୀୟାରେ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଛୋଟ ବଡ ମିଶ୍ରଣ ପର୍ବ ଆରମ୍ଭ ହୋଇଯାଇଛି । ଶାସକ ବି.ଜେ.ପି ମିଶ୍ରଣ ପର୍ବ ଉପରେ ଗୁରୁତ୍ୱ ଦେବା ସାଙ୍ଗକୁ ତୃଣମୂଳସ୍ତରରେ ଛାମୁଆ ସଂଗଠନ ମଜବୁତ କରିବାକୁ ଗୁରୁତ୍ୱ ଦେଲାଣି । ସେପଟେ ବିରୋଧି ବି.ଜେ.ପି. ଏବଂ କଂଗ୍ରେସ ଅନୁରୂପ ପଦକ୍ଷେପ ନେବା ସାଙ୍ଗକୁ ଯେଉଁ ଅଞ୍ଚଳରେ ସଂଗଠନ ଦୁର୍ବଳ ଅଛି ତାର ସମୀକ୍ଷା ଆରମ୍ଭ କରିଛି । ବିଶେଷ କରି ଗତ ୨୦୧୭ ପଞ୍ଚାୟତ ନିର୍ବାଚନ ଏବଂ ୨୦୧୯ ସାଧାରଣ ନିର୍ବାଚନରେ ଦଳ ଅଳ୍ପବ୍ୟବଧାନରେ ନିର୍ବାଚନ ହାରିଥିଲା । ସେଠାରେ ସଂଗଠନକୁ ମଜବୁଦ କରିବାକୁ ପ୍ରକ୍ରୀୟା ହାତକୁ ନେଇଛି । ସବୁଠାରୁ ବଡ କଥା ହେଲା । ଏହି ଦୁଇ ପ୍ରମୁଖ ବିରୋଧି ଦଳ ସରକାରଙ୍କ ବିଭିନ୍ନ ଦୁର୍ବଳତା, ଦୁର୍ନୀତି ଆଜି ସମ୍ପର୍କରେ ସାଧାରଣ ଲୋକଙ୍କୁ ସଚେତନା କରିବାକୁ ତୁହାକୁ ତୁହା ସାମ୍ବାଦିକ ସମ୍ମିଳନୀ ଡକାଇ ସରକାରକୁ ଘେରିବାକୁ ଚେଷ୍ଟା ଚଳାଇଛି । ମୁଖ୍ୟତ ବିକାଶମୂଳକ ଯୋଜନା ଠିକ୍ରେ କାର୍ଯ୍ୟକାରୀ ହେଉ ନ ଥିବା, କରୋନା ମୁକାବିଲା ଏବଂ ଟିକା ଦାନ ବିଫଳତା, ଧାନ କିଣାରେ ବିଭ୍ରାଟ, ମାତ୍ରାଧିକ ଦୁର୍ନୀତି, ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟୟ ହୋଇପଡିବା ଏବଂ ଦେକାରୀ ସମସ୍ୟା ସମାଧାନରେ ସରକାରଙ୍କ ଏନେଇ ପ୍ରଶ୍ନ ଉଠାଇଛି । ବି.ଜେ.ପି ଏନେଇ ଗୋଟିଏ ପାଦ ଆଗକୁ ଯାଇ ପଞ୍ଚାୟତ ନିର୍ବାଚନ ନେଇ କମିଟି ଗଠନ ସହ ନେତାମାନଙ୍କୁ ଏହାର ଦାୟିତ୍ୱ ଅର୍ପଣ କରିସାରିଲାଣି । ସେପଟେ ବିରୋଧି କଂଗ୍ରେସ ସାମାଜିକ ଗଣମାଧ୍ୟମକୁ ଗୁରୁତ୍ୱ ଦେଇ ଏହା ଜରିଆରେ ଏଥର ସରକାରଙ୍କ ଦୁର୍ବଳତାକୁ ଜନସାଧାରଣଙ୍କ ପାଖକୁ ନେବାକୁ ଅଂଟାଭିଡିଛି । ଶାସକ ବି.ଜେ.ପି ଏସବୁର ମୁକାବିଲା ପାଇଁ ବେଶ ଚତୁରତାର ସହ ତାର ରଣକୌଶଳ ପ୍ରସ୍ତୁତ କରିଛି । ଦଳର ସାଂଗଠନିକ ଦାୟିତ୍ୱରେ ଥିବା ନେତାମାନେ ଘନ ଘନ ଜିଲ୍ଲାଗସ୍ତ କରି ଦଳକୁ ସଜାଡିବାରେ ଲାଗିଛନ୍ତି । ଏ ନେଇ ଗତ ପଞ୍ଚାୟତ ନିର୍ବାଚନ ତୁଳନାରେ ଏଥର କେଉଁଦଳ କେତେ ଏବଂ କେମିତି ସଫଳତା ସାଉଁଟିବ ଅଙ୍କକଷା ଆରମ୍ଭ ହୋଇଗଲାଣି । ୨୦୧୭ ପଞ୍ଚାୟତ ନିର୍ବାଚନରେ ବି.ଜେ.ପି ଯେଉଁ ସଫଳତାର ଲମ୍ବଡିଆଁ ମାରିଥିଲା ତାହାକୁ ନେଇ ଶାସକ ବି.ଜେ.ଡି ଆଜି ବି କିଛିଟା ଚିନ୍ତିତ ଥିବା ଭଳି ଲାଗୁଛି । ୨୦୧୨ ପଞ୍ଚାୟତ ନିର୍ବାଚନ ବି.ଜେ.ପି ୩୭ଟି ଜିଲ୍ଲା ପରିଷଦ ଆସନରେ ଜିତିଥିଲା । ମାତ୍ର ୨୦୧୭ ନିର୍ବାଚନରେ ବି.ଜେ.ପି ୨୯୭ଟି ଜିଲ୍ଲା ପରିଷଦ ଆସନ ହାତେଇ ରାଜନୈତିକ ପର୍ଯ୍ୟବେକ୍ଷକଙ୍କୁ ଚକିତ କରିଦେଇଥିଲେ । ଅବଶ୍ୟ ୨୦୧୯ ସାଧାରଣ ନିର୍ବାଚନରେ ବି.ଜେ.ପି ଆନୁପାତିକ ହାରରେ ତାର ସଫଳତାକୁ ଦୋହରାଇ ପାରି ନଥିଲା । ମାତ୍ର ଶାସକ ବି.ଜେ.ଡି-ବିରୋଧି ବି.ଜେ.ପି.ର ଏପରି ଅପ୍ରତ୍ୟାଶିତ ସଫଳତାକୁ ନେଇ ଚିନ୍ତାରେ ରହିଛି । ସେପଟେ ବିରୋଧି କଂଗ୍ରେସ ଏଥର କିଛି ଚମତ୍କାରିତା କରି ତାର ପୂର୍ବ ପତିଆରା ଫେରାଇ ଆଣିବା ଲକ୍ଷ୍ୟରେ ରହିଛି । ତେବେ ସେ ଯାହା ବି ହେଉନା କାହିଁକି କରୋନା ମହାମାରୀ କଟକଣା ମଧ୍ୟରେ ତିନି ପ୍ରମୁଖ ରାଜନୈତିକ ଦଳ କିଭଳି ସାଧାରଣ ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କୁ ମନାଇ ପାରୁଛନ୍ତି ତାହା ଦେଖିବାକୁ ବାକି ରହିଲା । ସେପଟେ ସାଧାରଣ ଲୋକଙ୍କଠାରୁ ବୁଦ୍ଧିଜୀବୀଙ୍କ ମଧ୍ୟରେ କିନ୍ତୁ ନିର୍ବାଚନ ଅପେକ୍ଷା ଦିର୍ଘଦିନଧରି ରହିଥିବା ସମସ୍ୟା କିପରି ସମାଧାନ ହେବ ସେ ନେଇ ଅଧିକ ଗୁରୁତ୍ୱ ଦେଉଛନ୍ତି । ନିର୍ବାଚନ ଯିବ ଏବଂ ଆସିବ କିନ୍ତୁ ଯେଉଁ ଉଦେଶ୍ୟ ନେଇ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେଉଛି ତାର ସୁଫଳ ବିଶେଷ କରି ତୃଣମୂଳସ୍ତରରେ କ୍ଷମତା ବିକେନ୍ଦ୍ରୀକରଣ ଏବଂ ଲୋକଙ୍କ ମୌଳିକ ସମସ୍ୟା ସମାଧାନ ନ ହେବା ପର୍ଯ୍ୟନ୍ତ କେବଳ ଭୋଟ ପାଇବାକୁ ନେଇ ରାଜନୈତିକ ସ୍ତରରେ ସକ୍ରିୟତା ଗାନ୍ଧିଙ୍କ ପ୍ରକୃତ ଗ୍ରାମ ସ୍ୱରାଜ ସ୍ଥାପନ ସ୍ୱପ୍ନକୁ ଯେ ସାକାର କରିପାରିବନି ଏହା କହିବା ଆଦୌ ଅସମିଚିନ ହେବନାହିଁ ।

Leave A Reply

Your email address will not be published.

five × five =