ପବିତ୍ରତା ନଷ୍ଟ!

ଭାରତୀୟ ଗଣତନ୍ତ୍ରରେ ସବୁଠାରୁ ପବିତ୍ର ଏବଂ ମର୍ଯ୍ୟଦାଜନକ ଗୃହ ଭାବେ ପରିଚିତ ଲୋକସଭା ଏବଂ ରାଜ୍ୟସଭା ସଦନରେ ଶୃଙ୍ଖଳାରକ୍ଷାକୁ ସବୁବେଳ ସମସ୍ତେ ଗୁରୁତ୍ୱାରୋପ କରିଆସିଛନ୍ତି । କୌଣସି ସମୟରେ ଏହି ସର୍ବୋଚ୍ଚ ଗୃହର ପବିତ୍ରତା ନଷ୍ଟ ହେଉ ବୋଲି କେବେ ବି ସ୍ୱପ୍ନରେ ଭାବିପାରିବ ନାହିଁ । କୌଣସି ପ୍ରସଙ୍ଗକୁ ନେଇ ବିରୋଧି ଏବଂ ଶାସକ ଯେ ମୁହାଁ ମୁହିଁ ହୋଇ ନଥାନ୍ତି-କିମ୍ବା ଦାବି ହାସଲ ହେଉ କିମ୍ବା ସରକାରଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଗୃହର ମଧ୍ୟଭାଗରେ ଧାରଣା, ହଟ୍ଟଗୋଳ ନ ହୋଇଛି-ତାହା ନୁହେଁ କିନ୍ତୁ କେହି କେବେ ବି ନିୟନ୍ତ୍ରଣ ରେଖା ବାହାରକୁ ଯିବାକୁ ଚେଷ୍ଟା କରି ନ ଥାନ୍ତି । କିନ୍ତୁ ଗତ ଗୁରୁବାର ଦିନ ରାଜ୍ୟସଭାରେ ଯାହା ଘଟିଲା-ତାହାକୁ ହଠାତ୍ କେହି ହଜମ କରିପାରୁ ନାହାଁନ୍ତି । ଭାରତୀୟ ସଂସଦୀୟ ଇତିହାସରେ ଯାହା କେବେ ଦେଖିବାକୁ ମିଳି ନଥିଲା ଗୁରୁବାର ତାହା ଦେଖାଦେଲା । ଏକଥା ସମସ୍ତେ ଯାଣନ୍ତି ଯେ, ବିଭିନ କାରଣ ବିଶେଷ କରି ବିରୋଧି ଦଳର ହଙ୍ଗାମା, ହଟ୍ଟଗୋଳ ଯୋଗୁଁ ଗତ ଅଧିବେଶନ ପ୍ରାୟତ ଅଚଳ ରହିଥିଲେ । ଏପରିକି ଅଧିବେଶନ ଆଗୁଆ ଦୁଇ ଦିନ ପୂର୍ବରୁ ବନ୍ଦ କରିଦିଆଯାଇଥିଲା । ଅତୀତରେ ଯେ ଅଧିବେଶନ ଆଗୁଆ ବନ୍ଦ ହୋଇନାହିଁ ତାହା ନୁହେଁ । କିନ୍ତୁ ଚଳିତ ଥରଭଳି ଆଗୁଆ ବନ୍ଧ କରିବାକୁ ପଡି ନଥିଲା ।
ସବୁଠାରୁ ବଡ କଥା ହେଲା-ଚଳିତ ଅଧିବେଶନରେ ସଦସ୍ୟ ମାନଙ୍କର ବ୍ୟବହାର । ଏଥିନେଇ କାହାକୁ ଦୋଷଦେବା କଥା ମଧ୍ୟ ଉଠୁନାହିଁ । ସେପରି ହେଲେ ନା ବିରୋଧି ଦଳ ସେମାନଙ୍କ ବ୍ୟବହାର ପାଇଁ ଅନୁତପ୍ତ ନା ଶାସକ ଦଳ ନିଜ ଦାୟିତ୍ୱ ଠିକ୍ରେ ତୁଲାଇ ପାରିବା ନେଇ ଚିନ୍ତିତ ନୁହେଁ । ଠିକ୍ ଅଛି, ପେଗାସସ୍ ପ୍ରସଙ୍ଗ, ଚାଷୀ ସମସ୍ୟା, ଆଇନଶୃଙ୍ଖଳା ସ୍ଥିତି ଆଦି ଭଳି ସମସ୍ୟା ସମାଧାନକୁ ନେଇ ଗୃହ ଅଚଳ ହୋଇଥିଲା । କିନ୍ତୁ ଉଭୟ ପକ୍ଷ ସଦସ୍ୟ କିଭଳି ବ୍ୟବହାର ପ୍ରଦର୍ଶନ କଲେ ଆଉ ଫଳ ମିଳିଲା କଣ? ବରଂ ପରିସ୍ଥିତ ଏପରି ହୋଇଥିଲା ଯେ- ସୁରକ୍ଷା କର୍ମଚାରୀ ଏବଂ ବିରୋଧି ଦଳ ସଦସ୍ୟଙ୍କ ମଧ୍ୟରେ ଏଠଲାପେଲା- ଧସ୍ତାଧସ୍ତି ଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ବିରୋଧିଦଳର କିଛି ମହିଳା ସଭ୍ୟ ସେମାନଙ୍କ ପ୍ରତି ସୁରକ୍ଷା କର୍ମୀ ଅନୁଚିତ ଆଚରଣ ପ୍ରଦର୍ଶନ କରିଥିବା ଆରୋପ କରିଥିଲେ । ଆଉ ଶେଷରେ ଏପରି ପରିସ୍ଥିତି ପାଇଁ ଉଭୟ ପକ୍ଷ ପରସ୍ପରକୁ ଦୋଷାରୋପ କଲେ । ପ୍ରଦେଶିକ ସ୍ତରରେ ବିଧାନସଭା କଥା ବିଚାରକୁ ନେଇ ଅତୀତରେ ଓଡ଼ିଶା ସମେତ, ମଧ୍ୟପ୍ରଦେଶ, ଉତରପ୍ରଦେଶ, ଆନ୍ଦ୍ରପ୍ରଦେଶ, ତାମିଲନାଡୁ ଆଦିରେ ଅନେକଥର ଏଭଳି ସ୍ଥିତି ଉପୁଜିଛି । ମାଇକଭଙ୍ଗାଠାରୁ ଆରମ୍ଭ କରି ଚପଲ ଫେପାଡ଼ିବା ଯାଏ କଥା ଯାଇଛି । ଆଉ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଅନେକ କ୍ଷେତ୍ରରେ ବାଚସ୍ପତିକୁ ମାର୍ଶୟଙ୍କ ଦ୍ୱାରା ଗୃହକୁ ଶାନ୍ତ ଅବସ୍ଥାକୁ ଅଣାଯାଇଛି । କିନ୍ତୁ ଲୋକସଭା ଏବଂ ରାଜ୍ୟସଭାରେ ଏଭଳି ସ୍ଥିତି ଉପୁଜି ନଥିଲା । ଯାହା ଏବେ ଘଟିଲା । ଏହା ଦ୍ୱାରା ସାରାବିଶ୍ୱରେ ଭାରତର ଗଣତନ୍ତ୍ରର ସର୍ବୋଚ୍ଚ ପବିତ୍ର ଗୃହକୁ ନିନ୍ଦିତ ହେବାକୁ ପଡିଲା । ପ୍ରଶ୍ନ ଉଠୁଛି ଲୋକଙ୍କ ଦ୍ୱାରା ନିର୍ବାଚିତ ହୋଇ ସର୍ବୋଚ୍ଚ ଗୃହକୁ ପ୍ରତିନିଧିତ୍ୱ କରୁଥିବା ସଭ୍ୟଙ୍କର ଆଚରଣ କଣ ଶିକ୍ଷା ଦେଉଛି । ଦେଶ ସ୍ୱାଧିନତାର ଦୀର୍ଘ ୭୫ ବର୍ଷର ଅଭିଜ୍ଞତା ଶେଷକୁ ଏପରି ସ୍ତରକୁ ଆସୁଛି କାହିଁକି? ଏକ ସୌହାଦ୍ଧପୂର୍ଣ୍ଣ ବାଦାବରଣ ମଧ୍ୟରେ ଗୃହକୁ କଣ ଚଲାଇ ହେବ ନାହିଁ । ଏଭଳି ଏକ ପ୍ରଶ୍ନକୁ ନେଇ ରାଜନୈତିକ ପଣ୍ଡିତ ଏବଂ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରୁଛନ୍ତି । ପରିସ୍ଥିତି ଯାହା ବି ହେଉ-ଏକ ସୁସ୍ୱ୍ଥ ବାତାବରଣ ମଧ୍ୟରେ ଗୃହକୁ ଚଳାଇ ସାଧାରଣ ଲୋକଙ୍କ ସମସ୍ୟା ସମାଧାନ ନେଇ ଉଭୟ ପକ୍ଷ ସଦସ୍ୟଙ୍କର ଗୁରୁଦାୟିତ୍ୱ ରହିଛି । ଏ ନେଇ ପଦକ୍ଷେପ ନ ଦେଲେ ଭାରତୀୟ ଗଣତାନ୍ତ୍ରୀକ ପଦ୍ଧତି ଅଯଥାରେ ବଦନାମ ହେବା ସାର ହେବ ।

Leave A Reply

Your email address will not be published.

eighteen − 13 =