ଆମ ରାଜ୍ୟ ଓଡ଼ିଶାରେ କୋଣାର୍କର ସୂର୍ଯ୍ୟମନ୍ଦିର ଏବଂ ଏହାର ଦଧିନଉତିକୁ ନେଇ ଶହ ଶହ ବର୍ଷବ୍ୟାପି ଗଡି ଆସୁଥିବା ଲୋକକଥାରୁ ଏହା ସମସ୍ତେ ଜାଣନ୍ତି ଯେ, ଯେତେବେଳେ କୋଣାର୍କ ମନ୍ଦିର ନିର୍ମାଣ୍ଣକାର୍ଯ୍ୟ ସରିବା ଉପରେ ଥିଲା, ଠିକ୍ ସେତିକି ବେଳେ ଏହାକୁ ତିଆରି କରୁଥିବା ୧୨ ଶହ ଶିଳ୍ପୀ ଦଧିନଉତିକୁ ସ୍ଥାପନ କରିବାରେ ବିଫଳ ହୋଇଥିଲେ । ଶୁଣାଯାଏ ଓ ଜନଶୃତି କହେ, ଏଥିନେଇ ତତ୍କାଳିନ ରାଜା ସ୍ୱଳ୍ପ ସମୟସୀମା ଧାର୍ଯ୍ୟକରି ଏହା ମଧ୍ୟରେ ଦେଉଳର ଚୁଡା କାର୍ଯ୍ୟ ସମ୍ପୁର୍ଣ୍ଣ କରିନପରିଲେ ମୁଣ୍ଡକାଟ ପାଇଁ ଘୋଷଣା କରିଥିଲେ । ସେହି ସମୟକାଳ ମଧ୍ୟରେ ଶିଳ୍ପୀମୁଖ୍ୟ ବିଶୁ ମହାରଣାଙ୍କ ନାବାଳକ ପୁତ୍ର ଧର୍ମପଦ ବାପାଙ୍କୁ ଦେଖିବା ଲାଗି କୋଣାର୍କ ଆସିବା ସହିତ ସେଠାରେ ଦଧିନଉତି ସ୍ଥାପନ ପାଇଁ ଉପୁଜୁଥିବା ସମସ୍ୟା ସମ୍ପର୍କରେ ଜାଣିବା ପରେ ନିଜେ ଏହା କରିବେ ବୋଲି ବାପାଙ୍କଠାରୁ ଅନୁମତି ମାଗିବା ସହ ପରିଶେଷରେ ଚୂଡା ସ୍ଥାପନ କରିବାରେ ସଫଳ ହୋଇଥିଲେ । ଜନଶ୍ମତି କହେ, ସତ କାଳେ ଜଣାପଡିଲେ ୧୨ ଶହ ଶିଳ୍ପୀଙ୍କ ମୁଣ୍ଡକାଟ ହେବ ସେଥିଲାଗି ୧୨ ବର୍ଷର ବାଳକ ଧର୍ମପଦ ମନ୍ଦିର ଚୂଡାରୁ ସମୁଦ୍ରକୁ ଡେଇଁ ସଲିଳ ସମାଧି ବରଣ କରିଥିଲେ ବୋଲି ଜନଶ୍ମତି ଏବେବି ଏହା ଜଣାଇ ଦେଉଛି । ଏପରିକି ଏଥିନେଇ ରହିଥିବା ଗୁରୁତ୍ୱପୂର୍ଣ୍ଣ ଉକ୍ତିଟି ହେଲା, ‘ବାରଶହ ଶିଳ୍ପୀରେ ଦାୟ ନା’ ପୁଅରେ ଦାୟ’ । ତେବେ ସେ ଯାହା ହେଉନା କାହିଁକି, କୋଣାର୍କ ମନ୍ଦିରର ପ୍ରତିଟି ପ୍ରସ୍ତର ଶିଳା ଏତେ କାରୁକାର୍ଯ୍ୟ ଖୋଦିତଃ ଯେ, ଏଠାକୁ ଆସୁଥିବା ପର୍ଯ୍ୟଟକମାନଙ୍କ ଆକ୍ଷି ମନ୍ଦିରରେ ଲାଖିଯାଇଥାଏ । ଶହ ଶହ ବର୍ଷ ପରେ ଯେପରି ଭାବେ ପୁନର୍ବାର ସୂର୍ଯ୍ୟମନ୍ଦିର ଦର୍ଶନଲାଗି ଉଦ୍ୟମ ଚାଲିଛି, ତାହା ପ୍ରଶଂସନୀୟ କିନ୍ତୁ ସମୟ ଢେ଼ର ବଦଳିଛି । ସେପରି ସ୍ଥଳେ ଏହି କୋଣାର୍କ ମନ୍ଦିରକୁ ବିଶ୍ୱପ୍ରସିଦ୍ଧ କରିବାର ପ୍ରଚେଷ୍ଟା ବାସ୍ତବିକ ଉଲ୍ଲେଖନୀୟ । ଉକ୍ତ ପ୍ରଚେଷ୍ଟା ଏବର ଧର୍ମପଦ ତଥା ଏ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆରମ୍ଭ କରିଛନ୍ତି । ଇଂରାଜିରେ ଏହି ମନ୍ଦିରକୁ ‘ବ୍ଲାକ ପାଗୋଡା’ କୁହାଯାଇଥାଏ । ଶ୍ରୀ ପଟ୍ଟନାୟକ କୋଣାର୍କକୁ କିପରି ପର୍ଯ୍ୟଟନ ଅନୁକୂଳ କରିହେବ ଏବଂ ଭବିଷ୍ୟତରେ ଏଠାରେ ସୂର୍ଯ୍ୟମନ୍ଦିରକୁ କେନ୍ଦ୍ରକରି ଜନ ବସତି ରହିବା ସହିତ ଏହାର ଅର୍ଥନୀତି ସମ୍ପୁର୍ଣ୍ଣ ରୂପେ ପର୍ଯ୍ୟଟନ ଭିତିକ ହେବ ସେ ସମ୍ପର୍କରେ ଏକ ନୂଆ ରୋଡ ମ୍ୟାପ ପ୍ରସ୍ତୁତ କରିଥିବା ପ୍ରକାଶ । ତେବେ ଏଠାରେ ଆମର କହିବାର କଥା ହେଲୋ ଯେ, କୋଣାର୍କ ମନ୍ଦିର ଯଦି ସର୍ବଜନ ବିଦିତ ହେବ, ତେବେ ରାଜ୍ୟ ଭିତରୁ ଓ ବହାରୁ ଅନେକ ପର୍ଯ୍ୟଟକ ବର୍ଷ ବ୍ୟାପି ଆସୁଥିବେ ଓ ଯାଉଥିବେ । ସେଥିଲାଗି ଏବର ଧରମା ଓରଫ ଧର୍ମପଦ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେପରି ଭାବେ ମନ୍ଦିର ପରିସରରେ ଆର୍ନ୍ତଜାତୀୟ ମାନର ଭିର୍ତିଭୁମି ସୃଷ୍ଟି ହୋଇପାରେ ସେଥିଲାଗି ଉଦ୍ୟମ ଜାରିରଖିବା ନିତାନ୍ତ ଆବଶ୍ୟକ ।