ପର୍ଯ୍ୟଟନ ନୁହେଁ, ହୋମ୍ ଷ୍ଟେ

ରାଜ୍ୟରେ କରୋନା ମହାମାରୀ ଯୋଗୁ ଦୀର୍ଘ ୧୦ ମାସଧରି ପର୍ଯ୍ୟଟନ ଶିଳ୍ପ ସମ୍ପୁର୍ଣ୍ଣ ଅଚଳ ହୋଇପଡିଛି କହିଲେ ଚଳେ । ଦୀର୍ଘ ମାସ ଧରି ପ୍ରମୁଖ ପର୍ଯ୍ୟଟନ ସ୍ଥଳି ବନ୍ଦ ରହିଥିବାରୁ କୌଣସି ପର୍ଯ୍ୟଟକ ଆସିନାହାନ୍ତି ଓ ପର୍ଯ୍ୟଟନ ବାବଦ ରାଜ୍ୟ ସରକାର ଏବଂ ସ୍ଥାନୀୟ ବ୍ୟକ୍ତିମାନେ ବିପୁଳ ଅର୍ଥନୈତିକ ସମ୍ଭାବନାକୁ ହରାଇ ବସିଛନ୍ତି । କେବଳ ଓଡ଼ିଶା ନୁହେଁ, ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳ ଗୁଡିକରେ ପରିସ୍ଥିତି ସମାନ ରହିଥିଲା ବେଳେ ଏହା ଅର୍ଥନୀତି କ୍ଷେତ୍ରରେ ବ୍ୟାପକ କ୍ଷତି କରିସାରିଛି । ଏବେ ଅନ୍ଲକ୍ କରାଯିବା ସହ ବିଭିନ୍ନ ସ୍ଥାନରେ ତଥା ବିଭିନ୍ନ ବ୍ୟବସ୍ଥାରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରା ଅର୍ଥନୀତିକୁ ଅଧିକ ସାବଲିଳ କରିବାଲାଗି ବିଭିନ୍ନ କୋଭିଡ କଟକଣାକୁ କୋହଳ କରୁଛନ୍ତି । ସେପରି ସ୍ଥଳେ ଓଡ଼ିଶାରେ ପର୍ଯ୍ୟଟନର ବିକାଶ ଦୀର୍ଘ ମାସ ଧରି ପଛେଇ ଯାଇଥିଲା ବେଳେ ଏଥିପ୍ରତି ଦୃଷ୍ଟି ଦେବାକୁ ରାଜ୍ୟ ଲୋକସେବା ଭବନରେ ମୁଖ୍ୟଶାସନ ସଚିବ ଅସିତ ତ୍ରିପାଠିଙ୍କ ଅଧ୍ୟକ୍ଷତାରେ ନିକଟ ଅତିତରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତି ନିଆଯାଇଛି । ରାଜ୍ୟରେ ପର୍ଯ୍ୟଟନକୁ ଆଗେଇନେବା ଲାଗି ଏଠାରେ ଆଲୋଚନା କରାଯାଇଥିଲା । ମୁଖ୍ୟ ଶାସନସଚିବ ଶ୍ରୀ ତ୍ରିପାଠି ଏହି ଅବସରରେ ରାଜ୍ୟର ଆଭ୍ୟନ୍ତରୀଣ ଅଂଚଳ ଗୁଡିକରେ କିପରି ପର୍ଯ୍ୟଟକମାନଙ୍କ ଆସିବା ଠାରୁ ଯିବା ପର୍ଯ୍ୟନ୍ତ ସେମାନେ ଅତ୍ୟନ୍ତ ଆନନ୍ଦ ଅନୁଭବ କରିବେ, ସେଥିନେଇ ଆଲୋଚନା ହୋଇଥିଲା । ‘ଓଡ଼ିଶା ଅନ୍ ରୋଡ’ ଉପରେ ଗୁରୁତ୍ୱ ପ୍ରଦାନ କରିବା ସହିତ ‘ଇକୋ ରିଟ୍ରିଟ’ରେ ପର୍ଯ୍ୟଟକମାନେ ଯେପରି ରହିବା ସହ ଶତପ୍ରତିଶତ ପରିଭ୍ରମଣର ମଜା ଉଠାଇପାରିବେ, ସେଥିନେଇ ଗୁରୁତ୍ୱ ଆରୋପ କରିଥିଲେ । କେବଳ ସେତିକି ନୁହେଁ, ଯେଉଁ ସବୁ ଦୁର୍ଗମାଂଚଳ ଗୁଡିକରେ ହୋଟେଲ ସୁବିଧା ନାହିଁ, ସେଠାରେ ରହୁଥିବା ସ୍ଥାୟୀ ବାସୀନ୍ଦାଙ୍କ ଘରେ ରହିବା ସହ ‘ହୋମ୍ ଷ୍ଟେ’କୁ ଗୁରୁତ୍ୱ ଦେବାକୁ ମତକ୍ରକାଶ କରିଥିଲେ । ଏ ସମ୍ପର୍କିତ ପଦକ୍ଷେପ ଶୀଘ୍ର ନେବା ଲାଗି ବିଭଗୀୟ ସଚିବଙ୍କୁ ସେନିଦେର୍ଶ ଦେଇଥିବା ଜଣା ପଡିଛି । ମୁଖ୍ୟ ସଚିବ ଶ୍ରୀ ତ୍ରିପାଠୀ ସ୍ପଷ୍ଟ କରିଦେଇଥିଲେ ଯେ, ଆଭ୍ୟନ୍ତରୀଣ ଓଡ଼ିଶାରେ ରହିଥିବା ଦୁର୍ଗମ ପ୍ରାକୃତିକ ସ୍ଥଳି ଗୁଡିକରେ ହୋଟେଲେ ସୁବିଧା ନଥିବା ଯୋଗୁ ସେହି ସବୁ ସ୍ଥାନରେ ‘ହୋମ୍ ଷ୍ଟେ’କୁ ପ୍ରୋସ୍ଥାହନ ଦିଆଯିବ । କରୋନା ପରବର୍ତୀ ସମୟ କେବେ ଆସିବ ତାହା ସଠିକ ଭାବେ କେହି ପୂର୍ବାନୁମାନ କରିପାରୁ ନଥିଲେ ହେଁ, ଅଧିକ ସମୟ ‘ବନ୍ଦ’ ଭିତରେ ପର୍ଯ୍ୟଟନ ଶିଳ୍ପକୁ ବାନ୍ଧି ରଖିବା ନିଶ୍ଚିତ ଭାବେ ଭୁଲ୍ ନହେଲେ ମଧ୍ୟ ଠିକ୍ ଯେ ନୁହେଁ, ତାହା ସ୍ୱୀକାର୍ଯ୍ୟ । ‘ହୋମ୍ ଷ୍ଟେ’ ହେଉଛି ତାହା, ଯେଉଁଥିଲାଗି ବ୍ୟକ୍ତି ବିଶେଷ ନିଜଘରେ ପର୍ଯ୍ୟଟକଙ୍କୁ ରଖିବାକୁ ସମ୍ମତି ପ୍ରଦାନ କଲେ ସେମାନଙ୍କୁ ରାଜ୍ୟ ସରକାର ପ୍ରତିବର୍ଷ ଆର୍ଥିକ ସହାୟତା ଯୋଗାଇ ଦେବେ ବୋଲି ଜଣା ପଡିଛି । ଏହି ଯୋଜନା ୧୦ ବର୍ଷ ପାଇଁ କାର୍ଯ୍ୟକ୍ଷମ ହେବ ଓ ପ୍ରଥମ ପର୍ଯ୍ୟୟରେ ୮୦ ଜଣ ‘ହୋମ୍ ଷ୍ଟେ’ ମାଲିକଙ୍କୁ ଆର୍ଥିକ ସହାୟତା ସୁବିଧା ଯୋଗାଇ ଦେବେ । ପ୍ରତିଟିି ‘ହୋମ୍ ଷ୍ଟେ’ରେ ଅତି କମ୍ରେ ଗୋଟିଏ ଓ ଅତି ବେଶୀରେ ୬ଟି ରୁମ୍ ଉପଲବ୍ଧ କରାଯାଇପାରିବ । ଆଗାମୀ ବର୍ଷରୁ ଏହା ଆରମ୍ଭ ହୋଇ ୧୦ ବର୍ଷ ପର୍ଯ୍ୟନ୍ତ ଚାଲିବ । ବିଶେଷତଃ ଭିତରକନିକା ଜାତୀୟଉଦ୍ୟାନ, ବରଗଡର ଢେ଼ାଡ୍ରୋକୁସୁମ ଓ ଜିରୋ ପିଂଟ, ରତ୍ନଗିରି-ଉଦୟଗିରି-ଲଳିତଗିରି, କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ଓ ବେଲଘର, ମୟୂଭଞ୍ଜର ପିଠାବାଟ ଯଶୀପୁର ଓ ଶିମିଳିପାଳ, ଟିକରପଡା ଓ ସାତକୋଶିଆ, ଖୋର୍ଦ୍ଧାର ମଙ୍ଗଳାଯୋଡି, କେନ୍ଦ୍ରପଡାର ଗୁପ୍ତି ଓ ଡାଙ୍ଗମାଳ ଏବଂ ଚିଲିକାରେ ପ୍ରଥମ ପର୍ଯ୍ୟୟରେ ଘରମାଲିକ ଓ ତାଙ୍କର ପରିବାର ସହିତ ପର୍ଯ୍ୟଟକମାନେ ରହିବେ । ତେବେ ଏଠାରେ ଆମର କହିବା କଥା ହେଲା ଯେ, ଏହା ନିଶ୍ଚିତ ଭାବେ ଏକ ଲାଭକାରି ଓ ଶୀଘ୍ର ସଫଳ ହେବାର ଯୋଜନା । କିନ୍ତୁ ଏଥିପ୍ରତି ଗୁରୁତ୍ୱ ଆରୋପ ସହ ପ୍ରଥମରୁ ପର୍ଯ୍ୟଟନ ବିଭାଗ ଯୋଜନାବଦ୍ଧ କାର୍ଯ୍ୟକ୍ରମ ଗ୍ରହଣ କରିବା ଆବଶ୍ୟକ । ବିଶେଷତଃ ‘ହୋମ୍ ଷ୍ଟେ’ ଗୁଡିକରେ ପର୍ଯ୍ୟଟକମାନେ ଯେପରି ସୁରକ୍ଷିତ ରୁହନ୍ତି ଏବଂ ପରିବେଶ ସ୍ୱଚ୍ଛ ରହେ ତଥା ସେମାନଙ୍କୁ ଉନ୍ନତମାନର ଆତିଥ୍ୟ ମିଳେ ସେଥିପ୍ରତି ଦୃଷ୍ଟି ଦିଆଯିବା ବା‚ନୀୟ । ଅବଶ୍ୟ ଏହି ‘ହୋମ୍ ଷ୍ଟେ’ ବ୍ୟବସ୍ଥା ଡାଙ୍ଗମାଳ ଓ ମଙ୍ଗଳାଯୋଡିରେ ବେଶ ପର୍ଯ୍ୟଟକ ଆଦୃତି ଲାଭ କରିଛି । ଯଦି ଆଗକୁ ଉପରୋକ୍ତ ସ୍ଥାନ ଗୁଡିକରେ ‘ହୋମ୍ ଷ୍ଟେ’ ବ୍ୟବସ୍ଥା ସଫଳ ହୁଏ ତେବେ ସ୍ଥାନୀୟ ଲୋକଙ୍କ ଆର୍ଥିକ ଉନ୍ନତି ଘଟିବା ସହିତ ଅଂଚଳବାସୀଙ୍କୁ ରୋଜଗାର କରିବା ସୁବିଧା ମିଳିପାରିବା ସହିତ ସେମାନଙ୍କର ଅର୍ଥନୈତିକ ଉନ୍ନତି ଅବଶ୍ୟମ୍ଭାବୀ । ଓଡ଼ିଶା ଭଳି ରାଜ୍ୟରେ ବହୁ ଅଂଚଳକୁ ସମୁଦ୍ର ଛୁଇଁଥିଲା ବେଳେ ‘ହୋମ୍ ଷ୍ଟେ’ର ପରିଚାଳନା ଯଦି ଠିକ୍ ଭାବେ ହୁଏ, ତେବେ ଏହା ପର୍ଯ୍ୟଟନ କ୍ଷେତ୍ରକୁ ଅଧିକ ସଂଖ୍ୟାରେ ପର୍ଯ୍ୟଟକ ଆସିବା ଲାଗି ଅକର୍ଷିତ କରିପାରିବା ସ୍ୱତଃସିଦ୍ଧ ଓ ଏ କ୍ଷେତ୍ରରେ ପର୍ଯ୍ୟଟନର ଭବିଷ୍ୟତ ଉଜ୍ଜଳମୟ ।

Leave A Reply

Your email address will not be published.

fourteen + 2 =