ଶ୍ରୀକ୍ଷେତ୍ର କହିଲେ ଏହା ଯେ ଜଗନ୍ନାଥ ଧାମ ପୁରୀ ସହରକୁ ବୁଝାଇଥାଏ, ତାହା କହିବା ଅନାବଶ୍ୟକ । ଏହି ସହରର ମାଧୁର୍ଯ୍ୟ କହିଲେ ସାଧାରଣତଃ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଓ ଏଠାରେ ରହିଥିବା ସମୁଦ୍ର ବେଲାଭୂମି ଏବଂ ସମୁଦ୍ର କୂଳର ଅଗଭୀର ଜଳରାଶିକୁ ବୁଝାଇଥାଏ । ପୁରୀ ସମୁଦ୍ରର ବେଲାଭୂମି ବେଶ୍ ପ୍ରଶସ୍ତ ଓ ବ୍ୟାପକ ହୋଇଥିବାରୁ ଅଧିକ ସଂଖ୍ୟକ ପର୍ଯ୍ୟଟକ ବେଳାଭୂମିରେ ପ୍ରାତଃ ଓ ସାନ୍ଧ୍ୟ ଭ୍ରମଣ ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି । ଖୁସିର କଥା, ମାତ୍ର ଦିନକ ପୁର୍ବରୁ, ଅର୍ଥାତ ଅକ୍ଟୋବର ୧୧ ରବିବାର ଦିନ ପୁରୀ ସମୁଦ୍ର ବେଳାଭୂମିକୁ ଡେନମାର୍କର ଫାଉଣ୍ଡେସନ୍ ଫର୍ ଏନ୍ଭାୟୋର୍ଣ୍ଣମେଂଟାଲ ଏଜୁକେସନ୍ (ଏଫଇଇ) ପକ୍ଷରୁ ‘ବ୍ଲୁ ଫ୍ରାଗ୍’ ମାନ୍ୟତା ପ୍ରଦାନ କରାଯାଇଛି । ଚଳିତ ବର୍ଷ ଏଫଇଇ ପକ୍ଷରୁ ବିଶ୍ୱର ୫୦ଟି ରାଷ୍ଟ୍ରକୁ ଉକ୍ତ ମାନ୍ୟତା ପ୍ରଦାନ କରାଯାଇଥିଲା ବେଳେ କେବେଳ ଆମ ଦେଶରେ ପୁରୀ ସମେତ ଆଉ ୭ଟି ବେଳାଭୂମିକୁ ବ୍ଲୁ ଫ୍ରାଗ ଅନ୍ତର୍ଭୁକ୍ତ କରାଯାଇଛି ଏବଂ ସେଗୁଡିକ ହେଲା ଡିୟୁ’ର ଘୋଘଲା, ଗୁଜୁରାଟର ସିବରାଯପୁର, କର୍ଣ୍ଣାଟକର କସରକୋଡ ଓ ପଡୁବିଦ୍ରି, କେରଳର କପ୍ପଡ, ଆନ୍ଧ୍ରର ଋଷିକୋଣ୍ଡା ଓ ଆଣ୍ଡାମାନ ଦ୍ୱିପର ରାଧାନଗର । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାଟି ହେଲା ଯେ ଏହି ମାନତା ପାଇବାକୁ ହେଲେ ପୂର୍ବନିର୍ଦ୍ଧାରିତ ୩୩ଟି ମାନଦଣ୍ଡ ପୁରଣ କରିବାକୁ ପଡିଥାଏ । ଏଠାରେ କୁହାଯାଇ ପାରେ, ଗତ ୧୮ ମାସ ଧରୁ ପୁରୀ ବେଳାଭୂମିସ୍ଥିତ ଗାନ୍ଧିଘାଟ ଠାରୁ ହୋଟେଲ ମେ’ଫେୟାର ପର୍ଯ୍ୟନ୍ତ ପରିବ୍ୟାପ୍ତ ୮୬୦ ମିଟର ଅଂଚଳକୁ ପ୍ରଥମ ଥର ସ୍ୱାତନ୍ତ୍ରଭାବେ ବିକଶିତ କରାଯାଇଥିଲା । ଏବେ ପୁରୀରେ ପର୍ଯ୍ୟଟକ, ବିଶେଷତଃ ବିଦେଶ ପର୍ଯ୍ୟଟକମାନଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ସେଥିଲାଗି ବିଶ୍ୱସ୍ଥରିୟ ସୁବିଧା ଦିଆଯାଇଥିଲା ବେଳେ ଏବାଦ ପ୍ରାୟ ୮ କୋଟିରୁ ଉଦ୍ଧ୍ୱର୍ ଟଙ୍କା ଖର୍ଚ୍ଚ ହୋଇଛି । ତେବେ ବ୍ଲୁ ଫ୍ରାଗ ମାନତା ମିଳିବା ସହିତ ପରିବେଶଭିତିକ ନିମାଣକାର୍ଯ୍ୟକୁ ପ୍ରାଥମିକତା ଦିଆଯିବା ସହିତ ବାଉଁଶର ବ୍ୟାପକ ବ୍ୟବହାର, ପର୍ଯ୍ୟଟକମାନେକ ସୁରକ୍ଷା ଲାଗି ସିସିଟିଭି ଓ ୱାଚଟାୱାର ବ୍ୟବସ୍ଥା ସହ ବିଶୁଧ ପାନୀୟ ଜଳ ଯୋଗାଣ ବ୍ୟବସ୍ତା କରାଯାଇଛି । ଏଥିନେଇ ଉଭୟ ଜିଲ୍ଲାପାଳ ବଳୱନ୍ତ ସିଂ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସି ବ୍ୟକ୍ତ କରିଥିଲା ବେଳେ ଏହା କୁହାଯାଇପାରେ ଯେ ପରିବେଶ ଭିତିକ ସ୍ୱଚ୍ଛତା କାର୍ଯ୍ୟକ୍ରମ କେତେ ମାସ ବା କେତେ ବର୍ଷ କିମ୍ବା ଆଗାମୀ ବର୍ଷ ଗୁଡିକ ଲାଗି ଜାରି ରହିବ, ତାହା ଆଗାମୀ ସମୟ ହିଁ କହିବ ।