ପ୍ରଶ୍ନ ସମାନ: ଅପରାଧ ହଟିବ ତ?

କରୋନା ମହାମାରୀ ରାଜ୍ୟରେ ଆରମ୍ଭ ହେବାର ପ୍ରାୟ ଦୁଇ ମାସ ପରେ ଅର୍ଥାତ ଜୁନ୍ ଆରମ୍ଭରୁ ଅପରାଧ ସଂଖ୍ୟା ବଢ଼ିଛି । ପୋଲିସ କରୁଥିବା କାଗଜପତ୍ର ଏଥି ସହିତ ସମାନ ମତ ପ୍ରକାଶ କରୁଛି କି ନା’, ତାହା ଆମେ ଜାଣୁନା । କିନ୍ତୁ ଅପରାଧ ଯେପରିଭାବେ ରାଜଧାନୀ ଭୁବନେଶ୍ୱର, ପୁରୁଣା ରାଜଧାନୀ କଟକ, ଇସ୍ପାତ ନଗରି ରାଉଲକେଲା, ସିଲ୍ପ ସିର୍ଟି ବ୍ରହ୍ମପୁର ଓ ସମ୍ବଲପୁର ଆଦି ସହର ସମେତ କେତେକ ଅର୍ବାନ ଓ ଗ୍ରାମାଂଚଳରେ ବଢ଼ି ଚାଲିଛି, ତାହା ଜାଣିବା ପରେ କେବେ ଓ କିପରି ଏବଂ କିଏ ଏହାକୁ କମାଇପାରିବ; ସେଥିନେଇ ମନକୁ ନାନା ପ୍ରଶ୍ନ ଆନ୍ଦୋଳିତ କରୁଛି ଓ କରିବା ସ୍ୱାଭାବିକ । ଗୋଟିଏ ପରେ କରୋନା ମହାମାରୀର ଭୟ ଓ ମଣିଷକୁ ହତୋତ୍ସାହିତ କରୁଥିଲା ବେଳେ ଅନ୍ୟ ପଟେ ଲୁଟେରାମାନଙ୍କ କାରନାମା ବଢ଼ି ବଢ଼ି ଚାଲିଛି । ଭୁବନେଶ୍ୱରରେ ଅପରାଧ ଯେ ବଢ଼ିଛି, ସେଥିଲାଗି କୌଣିସି ସାକ୍ଷୀ ପ୍ରମାଣର ଆବଶ୍ୟକତା ନାହିଁ । ଚୋରି, ଛିନ୍ତାଇ, ହତ୍ୟା ଆଦି ବଢ଼ୁଥିବା ବେଳେ ଏହା ସାଧାରଣ ଲୋକଙ୍କ ନିରାପତାକୁ ନେଇ ପ୍ରଶ୍ନ ଉଠାଇଛି । ସେହିପରି ବିଭିନ୍ନ ସ୍ଥାନରେ ଶବ ମିଳିବା ଏବଂ ଠକାମି ସମେତ ଚୋରି ଓ ଡକାୟତି ପ୍ରତିଦିନ ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ ଘଟୁଥିବା ନେଇ ଖବର ଗଣମାଧ୍ୟମରୁ ଜାଣିବାକୁ ମିଳୁଛି । ତେଣୁ ଏଥିରେ କୌଣସି ଥାନାର ପୋଲିସ ଅଧିକାରୀ କିମ୍ବା ନିର୍ଦ୍ଧିଷ୍ଟ ଭାବେ କୌଣସି ଜିଲ୍ଲାରେ ଥିବା ପୋଲିସ ମୁଖ୍ୟଙ୍କୁ ଦାୟୀ କରାଯିବା ଆମ ମତରେ ଠିକ୍ ନୁହେଁ । ବରଂ ଏହା କହିବାକୁ ପଡିବ ଯେ, ପୋଲିସ ବ୍ୟବସ୍ଥା ବର୍ତମାନ ଯେପରି ଚାଲିଛି, ସେଥିରେ ପୋଲିସ ମହାନିର୍ଦେଶକ ଏବଂ ଗୃହ ବିଭାଗ ଶାସନ ସଚିବ ଓ ରାଜ୍ୟର ମୁଖ୍ୟ ଶାସନ ସଚିବ ଏ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଆଧାରିତ ତର୍ଜମା କରିବା ସହିତ ଅପରାଧ ନିରାକରଣ ଲାଗି ଆବଶ୍ୟକ ପଡ଼ୁଥିବା ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ଦରକାର । ସବୁଠାରୁ ବଡ଼ କଥା ହେଲା ଯେ, ବୋଧହୁଏ ଅପରାଧ ସ୍ଥଳିକୁ କେବଳ ଉପସ୍ଥିତି ସର୍ବସାଧାରଣରେ ଜଣାଇବା ଲାଗି ‘ନାମ୍କେ ବାସ୍ତେ’ ଆସି ପଳାଇବା ଦ୍ୱାରା ଘଟଣାର ତଦନ୍ତ ସ୍ୱାଭାବିକ ଭାବେ ହେବା ପରିବର୍ତେ ଏହା ବାଟବଣା ହେଉଛି ବୋଲି କହିଲେ ଠିକ୍ ନହୋଇପରେ, କିନ୍ତୁ ଭୁଲ୍ ହେବନାହିଁ । ରାଜ୍ୟ ଗୃହରାଷ୍ଟ୍ର ମନ୍ତ୍ରୀ ମଧ୍ୟ ଏ ସମ୍ପର୍କରେ ସିଧାସଳଖ ପୋଲିସ ମହାନିର୍ଦେଶକଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ ଲାଗି ବାଟ ଖୋଲିବା ଦରକାର । ତେବେ ସମସ୍ୟା ସମାଧାନର ପନ୍ଥା ଯାହା ହେଉନା କାହିଁକି, ଅପରାଧ ନିରାକରଣ ହେବା ଜରୁରି । ଏଠାରେ ଆମର କହିବାର କଥା ହେଲା ଯେ, ଅପରାଧିଙ୍କୁ ଧରିନପାରିବା ବା ଦିର୍ଘଦିନ ପରେ ଧରିବା ପୋଲିସ ବିଭାଗର ଦକ୍ଷତା ପରିପନ୍ଥୀ । ଏଠାରେ ଗୁରୁବାର କଟକ ଟାଉନ ମଝିରେ ସବୁଠାରୁ ଜନଗହଳିପୂର୍ଣ୍ଣ ସ୍ଥାନରେ ଯେପରି ଭାବରେ ଗୋଟିଏ ଆର୍ଥୀକ ବ୍ୟବସାୟ କରୁଥିବା କମ୍ପାନିରୁ ପ୍ରକାଶ୍ୟ ଦିବାଲୋକରେ ୧୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସୁନା ମାତ୍ର ୪ ଜଣ ଲୁଟିନେଲେ ବୋଲି ଖବର ମିଳିଲା, ତାହା ସମ୍ଭବପର କି? କେବଳ ପୋଲିସ ବାହିନୀ ଢ଼ିଲା ହେଲେ ଏପରି ଘଟିବା ସମ୍ଭବପର । ତେଣୁ ଶୃଙ୍ଖଳା ରକ୍ଷା କରିବା, ଶୃଙ୍ଖଳା ଫେରାଇ ଆଣିବା, ଅପରାଧକୁ ରୋକିବା, ଅପରାଧଦ୍ୱାରା କ୍ଷତିଗ୍ରସ୍ତ ପରିବାର ଓ ବ୍ୟକ୍ତି ବିଶେଷଙ୍କୁ ନିରାପତା ଯୋଗାଇ ଦେବା ସହିତ ଅପରାଧିଙ୍କୁ ପ୍ରମାଣ ସହିତ ଧରି ଜେଲକୁ ପଠାଇବା ହେଉଛି ପୋଲିସ ବିଭାଗର ଦାୟୀତ୍ୱ । କଥାରେ ଅଛି, ରାଜ୍ୟର ପାପ ରାଜା ମୁଣ୍ଡରେ ଯାଏ । ସେହିପରି ପୋଲିସ ବିଭାଗ ଯଦି ନିଷ୍କ୍ରିୟ ବୋଲି ସାଧାରଣରେ ଧାରଣା ସୃଷ୍ଟି ହୁଏ, ତେବେ ସର୍ବୋଚ୍ଚ ପଦବିଧାରୀ ବିଭାଗୀୟ ମୁଖ୍ୟ ଏ ସମ୍ପର୍କରେ ଧ୍ୟାନ ଦେବା ଜରୁରି । ଅବଶ୍ୟ ରାଜ୍ୟରୁ ମାଓବାଦିଙ୍କୁ ମୂଳପୋଛ କରିବା ଲାଗି ହେଉଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଜିଲ୍ଲାକୁ ଜିଲ୍ଲା ଗସ୍ତକରି ଖୋଦ ପୋଲିସ ମହାନିର୍ଦେଶକ ଯେପରି ଭାବେ ଏହାକୁ କାର୍ଯ୍ୟକାରି କରୁଛନ୍ତି, ତାହା ସ୍ୱାଗତ ଯୋଗ୍ୟ । କିନ୍ତୁ ଅନ୍ୟ ପକ୍ଷରେ ରାଜ୍ୟରେ ଯଦି ଅପରାଧ ବଢେ଼ ତାହା ନିରାକରଣ ଲାଗି ସମୁଚିତ ବ୍ୟବସ୍ଥା ଗ୍ରହଣ କରିବା ମଧ୍ୟ ତାଙ୍କର ଦାୟୀତ୍ୱ ଓ ଏ ସମ୍ପର୍କରେ ଆବଶ୍ୟକ ପଡିଲେ ବାରମ୍ବାର ୩୦ଟି ଜିଲ୍ଲାର ପୋଲିସ ଏସ୍ପିଙ୍କୁ ଡାକି ବୈଠକରେ ଅପରାଧ ସଂଖ୍ୟା ହ୍ରାସ ଲାଗି ବିଧିବଦ୍ଧ ପଦକ୍ଷେପ ଗ୍ରହଣ କରାଯିବା ସହିତ ଏଗୁଡିକୁ ତଡିତ୍ ବେଗରେ କାର୍ଯ୍ୟକାରି କରାଯିବା ବାଂଛନୀୟ

Leave A Reply

Your email address will not be published.

7 + 8 =