ସାମାଜିକ ବ୍ୟବସ୍ଥା ଓ ଅବସ୍ଥା ଉଭୟକୁ ତୁଳନା କଲେ ଏଥିରେ ଏକତ୍ରିତ ଜୀବନ ଧାରଣ କରୁଥିବା ମଣିଷ ସମାଜ କିପରି ଆଦିମ କାଳରୁ ଆଗକୁ ଆସି ଅତ୍ୟାଧୁନିକ ଯୁଗରେ ପହଂଚିଛି, ତାହା ସମସ୍ତେ ବିଶ୍ଲେଷଣ କରିବା ବିଧେୟ । ବିଶେଷତଃ ପ୍ରାକ୍-ଐତିହାସିକ ଯୁଗରେ, ମଣିଷ ଅନ୍ୟ ପଶୁପକ୍ଷୀମାନଙ୍କ ପରି ଜଙ୍ଗଲ ଗୁମ୍ଫାରେ ଓ ଗଛ ତଳେ ଜୀବନ ବିତାଉଥିଲା । ଅନେକ ଆଦାମ୍ ଓ ଇଭଙ୍କ ବେଳୁ ପ୍ରେମର ଅୟମାରମ୍ଭ ଘଟିଥିଲା ବୋଲି ମତ ଦେଇଥାନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାଟି ହେଲା, ମଣିଷ ଯେବେଠାରୁ ନିଜ ପରିବାର ସହ ଜୀବନ ବିତାଇଲା, ତା’ ପରଠାରୁ ପ୍ରେମକୁ ମିଳିଲା ସାମାଜିକ ସ୍ୱୀକୃତି । ଏଥିନେଇ ସାରା ବିଶ୍ୱରେ ଅସଂଖ୍ୟ ପ୍ରେମୀ ଯୁଗଳଙ୍କ କାହାଣୀ ବିଦ୍ୟମାନ । ଏପରିକି ଆମ ଦେଶ ଭିତରେ ଓଡ଼ିଶାରେ କେଦାରଗୌରି ପ୍ରେମ କଥା ଏବେ ବି ମନରେ ଭାବାନ୍ତର ଆଣିଥାଏ । ସେହିପରି ‘ହିର୍ରଞ୍ଜା’ର ପ୍ରେମ କାହାଣୀ ସମାଜକୁ ସର୍ବଦା ଅଭିଭୁତ କରିଆସିଛି । ଏହା କହିବା ଅନାବଶ୍ୟକ ଯେ, ମୋଗଲ ଶାସନ କାଳ ମଧ୍ୟରେ ସଲିମ୍ ଓ ତାଙ୍କର ପ୍ରେମିକା ମମତାଜଙ୍କ କାହାଣୀ କିଏ ନଜାଣେ? ପ୍ରେମିକାଙ୍କ ସ୍ମୃତିରେ ଯେଉଁ ତାଜମହଲ ଗଠନ କରାଯାଇଛି, ତାହା ଏବେ ବି ସାର ବିଶ୍ୱରେ ଚହଳ ସୃଷ୍ଟି କରିଥାଏ । କିନ୍ତୁ ସେହି ପ୍ରେମ କୌଣସି ସାମାଜିକ ନିୟମ, ବନ୍ଧନ ଆଦିରେ ସିମୀତ ହୋଇନଥିବାରୁ ଅନେକ ସମୟରେ ଏହାକୁ ନେଇ ମହାଭାରତ ସୃଷ୍ଟି ହୋଇଥାଏ । ଏହାର ସଦ୍ୟତମ ଉଦାହାରଣ ହେଲା, ୧୩ ବର୍ଷ ତଳେ ଉତରପ୍ରଦେଶର ହସନପୁର ଅନ୍ତର୍ଗତ ବୱାନଖେରୀରେ ପ୍ରେମିକା ଶବନମ୍ ନିଜର ପ୍ରେମିକ ସଲିମଙ୍କୁ ବିବାହ କରିବା ଉଦ୍ୟମରେ କଂଟା ସାଜିଥିବା ନିଜର ବାପ, ମା, ଭଉଣୀଙ୍କ ସମେତ ମୋଟ ୭ ଜଣଙ୍କୁ ପ୍ରଥମେ ଖାଦ୍ୟରେ ନିଶା ବଟିକା ଖୁଆଇ ପରେ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ । ଏହା ବିଚାର ପରେ ଅମ୍ରୋହ ଅଦାଲତ ୨୦୧୦ରେ ଏହି ପ୍ରେମୀ ଯୁଗଳଙ୍କୁ ଫାଶୀ ଦଣ୍ଡାଦେଶ ଦେଇଥିଲେ । ପରେ ସର୍ବୋଚ୍ଚ କୋର୍ଟ ଏହାକୁ ବଳବନ୍ତ ରଖିଥିଲା ବେଳେ ଉଭୟଙ୍କ ରାଜକ୍ଷମା ଯାଚିକା ରାଷ୍ଟ୍ରପତି ଖାରଚ କରିଦେଇଛନ୍ତି । ଯଦିଓ ଇତି ମଧ୍ୟରେ ଡେଥ ୱାରେଂଟକୁ ଅପେକ୍ଷା କରାଯାଇଛି, ତେବେ ଏଥିଲାଗି ଫାଶି ଦୌଡି ମଗାଇବା ଓ ଫାଶି ଖୁଂଟ ନିରୀକ୍ଷଣ ଆଦି କାର୍ଯ୍ୟ ସମାପ୍ତ ହୋଇଥିବା ପ୍ରକାଶ । ତେବେ ଆମର ଏଠାରେ କହିବାର କଥା ହେଲା ଯେ, ପ୍ରେମ ସାର୍ବଜନୀନ । ପରିବାର ମଧ୍ୟରେ, ବନ୍ଧୁମାନଙ୍କ ମଧ୍ୟରେ, ପ୍ରେମୀ ଯୁଗଳଙ୍କ ମଧ୍ୟରେ ଓ ସମାଜର ପ୍ରତି ସ୍ତରରେ ସମ୍ପର୍କକୁ ପ୍ରେମ ହିଁ ଦୃଢ଼ୀଭୁତ କରିଥାଏ । ମୋଟାମଟି ଭାବେ ଏହା କହିବା ଅଧିକ ଠିକ୍ ହେବ ଯେ, ପ୍ରେମ ଭଳି ପବିତ୍ର ସମ୍ପର୍କ ରକ୍ଷା କରିବାକୁ ଯାଇ ମୁହୁର୍ତକର ଭାବାବେଗରେ ଶବନମ କରିଥିବା ଭୁଲ୍ ଲାଗି ସେ ଫାଶି ପାଇବା ସୁନିଶ୍ଚିତ । କିନ୍ତୁ ପ୍ରେମର ଇତିହାସରେ କେଉଁ ଆଦିମ କାଳରୁ ଯେଉଁ ନାଲି ଓ କଳା ପୃଷ୍ଠା ଯୋଡି ହୋଇଆସୁଛି, ସେଥିରେ ସ୍ୱାଧିନ ଭାରତରେ ଯଦି ଶବନମଙ୍କୁ ପ୍ରଥମ ମହିଳା ରୂପେ ଫାଶି ମିଳେ ତେବେ ଏହା ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବା ସୁନିଶ୍ଚିତ ।