କରୋନା ମହାମାରୀ ସାରା ବିଶ୍ୱକୁ ଅଥୟ କରିଦେଇଥିଲା ବେଳେ ଆମ ଦେଶ ଭାରତ ଏଥିରୁ ବାଦ ପଡିନାହିଁ । ଏପରିକି ଆମ ଦେଶରେ ଏହି ମହାମାରୀ ବହୁ ସମୟ ପରେ ଆସି ଆସିଥିଲେ ହେଁ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ଏତେ ଦୃତଗତିରେ ବୃଦ୍ଧି ପାଉଛି ଯେ, ଆମେ ଅଧିକ ଆକ୍ରାନ୍ତ ଦେଶ ତାଲିକାରେ ଉପରକୁ ଉଠିଚାଲିଛୁ । ଆମ ସ୍ଥାନ ଏବେ ତୃତୀୟରେ ଥିଲା ବେଳେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଜୋର ଦେଇ କିଛି ଦିନ ପୂର୍ବରୁ କହିଛନ୍ତି ଯେ, ଭାରତ ଖୁବ୍ ଶୀଘ୍ର ଏକ ନମ୍ବରକୁ ଆସିବା ନିଶ୍ଚିତ । ଅବଶ୍ୟ ଆମ ଦେଶର ଜନ୍ମସଂଖ୍ୟା ହାରାହାରି ୧୪୦ କୋଟି । ତନ୍ନଧ୍ୟରୁ କେତେକ ବିଦେଶରେ ରହିଥିଲା ବେଳେ ଦେଶ ଭିତରେ ବିଭିନ୍ନ ରାଜ୍ୟର ବାସିନ୍ଦା ରୋଜଗାର ଲାଗି ଅନ୍ୟ ରାଜ୍ୟକୁ ଯାଇ କାମ ଧନ୍ଦାକରିଛନ୍ତି । ତେବେ ହଠାତ୍ କରୋନା ଆସିବା ସହିତ ଏହା ଭାରତବର୍ଷର ସହସ୍ରାଧିକ ପରମ୍ପରା, ସାମାଜିକ ଚଳଣି ଏବଂ ପଡୋଶୀ ସହ ସମ୍ପର୍କ ଓ କର୍ମସ୍ଥଳିରେ କାର୍ଯ୍ୟରତ ରହିବା ଆଦିକୁ ସଜୋର କ୍ଷତି ପହଂଚାଇଛି କହିଲେ ଅତୂ୍ୟକ୍ତି ହେବନାହିଁ । କେବଳ ମହାମାରୀ କୋଭିଡ-୧୯ ଭୂତାଣୁକୁ ନିୟନ୍ତଣ କରିବା ଲକ୍ଷ୍ୟ ରଖି ସବୁ ରାଜ୍ୟ ଏବେ ଏଥି ପାଇଁ ନିର୍ବିବାଦରେ ଲାଗି ପଡିଥିବା ପ୍ରକାଶ ।
ତେବେ ସେ ଯାହା ହେଉ ନା କାହିକି, କରୋନା ଆସିବା ସହ ଆମ ରାଜ୍ୟର ସମସ୍ତ ବୃହତ, ମଧ୍ୟମ ଓ କ୍ଷୁଦ୍ର ଶିଳ୍ପସଂସ୍ଥା ଗୁଡିକରୁ ପ୍ରାୟ ୯୦ ପ୍ରତିଶତ ବନ୍ଦ ରହିଥିଲା ବେଳେ ବାହାର ରାଜ୍ୟରୁ ବହୁ ପ୍ରବାସୀ ନିଜ ଜନ୍ମ ମାଟିକୁ ଫେରିଥିଲେ ହେଁ ସେମାନଙ୍କ ମଧ୍ୟରୁ ଅନେକ ହାତ ବାନ୍ଧି ବସିଛନ୍ତି । ଅନ୍ୟ ପକ୍ଷରେ ରାଜ୍ୟ ସରକାର ମୁଖ୍ୟତଃ କରୋନା ମୁକାବିଲା ପାଇଁ ପ୍ରଚୁର ଅର୍ଥ ଖର୍ଚ୍ଚ କରିବାକୁ ପ୍ରତିଶ୍ରୁତିବଦ୍ଧ । ଏପରି ଅବସ୍ଥାକୁ ଲକ୍ଷ୍ୟ କରି ଅର୍ଥ ବିଭାଗ ପକ୍ଷରୁ କେତେକ ଖର୍ଚ୍ଚକାଟ ପଦକ୍ଷେପ ନିଆଯାଇଛି । ବିଶେଷତଃ କୌଣସି ନୂଆ ପଦପଦବି ଖୋଲିବ ନାହିଁ । ଖାଲିପଡୁଥିବା ପଦବିରେ ନିଯୁକ୍ତି ପୂର୍ବବତ୍ ଅବ୍ୟାହତ ରହିବା ନେଇ ବିଭାଗ ପକ୍ଷରୁ ଦିଆଯାଇଥିବା ସ୍ପଷ୍ଟିକରଣ କେତେଦୁର ଓ କେତେ ପ୍ରତିଶତ କାର୍ଯ୍ୟକାରି ହେବ ତାହା ଏବେ ଦେଖିବାର କଥା । ରାଜସ୍ୱ ଆଦାୟ କମିବାରୁ ଏହା ସ୍ପଷ୍ଟ ହେଉଛି ଯେ ରାଜ୍ୟ ଅର୍ଥନୀତି ଚାପଗ୍ରସ୍ତ ହେଲାଣି । ତେଣୁ ଆଗାମି ଦିନରେ ରାଜ୍ୟରେ ବେକାରି ସଂଖ୍ୟା ଉତ୍କଟ ଭାବେ ବୃଦ୍ଧି ପାଇବା ବିଚିତ୍ର ନୁହେଁ ।