ବିମାନରେ ଏଟିଏମ୍ ଲୁଟେରା

ଆମ ରାଜ୍ୟରେ ଏବେ ବିଭିନ୍ନ ବ୍ୟାଙ୍କରେ ଏଟିଏମ୍ ଲୁଟ୍ ହେଉଛି । କିଏ ଲୁଟ୍ କରୁଛି; ଏବଂ କାହିଁକି ଲୁଟେରାମାନଙ୍କୁ ଧରାଯାଉନାହିଁ ବୋଲି ପଚାରିଲେ ଏହାର ଉତର ପୋଲିସ କମିସନୋରେଟ୍ ନିକଟରେ ନାହିଁ, ଯଦିଓ ପୋଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ଏବେ କହିଛନ୍ତି, ଆନ୍ଧ୍ର ପୋଲିସ ଏହି ଲୁଟେରାମାନଙ୍କୁ ଗିରଫ କରିଛି । ବାସ୍ତବରେ ପୋଲିସ କମିସନର କହିବା ଅନୁଯାୟୀ ଲୁଟେରା ଦୁଇ ଜଣ ହେଲେ ହାଇପ୍ରୋଫାଇଲ ଲୁଟେରା । ସେମାନେ ଭାରତର ଅନେକ ସହରକୁ ଅତୀତରେ ଯାତ୍ରା କରିବା ସହ ଏଟିଏମ୍ ଲୁଟ୍ କରିହେବ କି ନା ସେ ସମ୍ପର୍କରେ ବୁଲି ଦେଖିବା ସହ ଠିକଣା ସମୟରେ ଲୁଟ୍ କରୁଥିଲେ । ଓଡ଼ିଶାରେ ଏମାନେ ଅତୀତରେ ମଧ୍ୟ ପଟିଆ ରେଳଟେଷ୍ଟସନ ନିକଟସ୍ଥ ଏଟିଏମ୍ ପ୍ରାୟ ୨୭ ଲକ୍ଷ ଟଙ୍କା ଲୁଟ୍ କରିବା ପରେ ଏହାକୁ ନେଇ କମିସନରେଟ ପୋଲିସର ମୁଣ୍ଡ ବିନ୍ଧିବା ବଢ଼ି ଯାଇଥିଲା । ତେବେ ଏହି ଲୁଟେରାମାନେ ପରବର୍ତି ସମୟରେ ଭାଇଜାଗରୁ ଏଟିଏମ୍ ଲୁଟ୍ କରିଥିଲେ ହେଁ ପୋଲିସ ତାଙ୍କୁ ତତ୍କ୍ଷଣାତ ଧରିବା ଅସମ୍ଭବ ଥିଲା । ଏଟିଏମ୍ ଲୁଟ୍ ଓଡ଼ିଶାରେ ହେବା ନେଇ କିଛି ସୂଚନା ପୋଲିସ କମିସନର ପକ୍ଷରୁ ଆନ୍ଧ୍ର ପୋଲିସକୁ ଦିଆଯିବା ପରେ ଏହି ଦୁଇ ଜଣ ଅଭିଯୁକ୍ତୁଙ୍କୁ ସେମାନେ ଗିରଫ କରିବାକୁ ସମର୍ଥ ହୋଇଥିଲେ । ଏପରିକି ଏହା ମଧ୍ୟ ଜଣା ପଡିଛି ଯେ, ଲୁଟେରା ଦ୍ୱୟ ବିଭିନ୍ମ ରାଜ୍ୟକୁ ବିମାନ ଯୋଗେ ଯିବା ସହିତ ବଡ଼ ବଡ଼ ହୋଟେଲରେ ରହି ରାତିରେ ଗ୍ୟାସ କଟର ଦ୍ୱାରା ଏଟିଏମ୍ କାଟି ଟଙ୍କା ଲୁଟିଥାନ୍ତି । ସେମାନେ ମଧ୍ୟ କର୍ଣ୍ଣାଟକର ବେଙ୍ଗାଲୁରୁରୁ ଦୁଇଟି ଏଟିଏମ୍ ଓ ଦିଲ୍ଲୀ, ହାଇଦ୍ରାବାଦ, ଭୁବନେଶ୍ୱର ସମେତ ଅକ୍ଟୋବର ୨୧ ତାରିଖରେ ଭାଇଜାଗରୁ ୯ ଲକ୍ଷ ଟଙ୍କା ଲୁଟିଥିବା ପ୍ରକାଶ । ଆନ୍ଧ୍ର ପୋଲିସ ଗିରଫ କରିଥିବା ଅଭିଯୁକ୍ତ ଦ୍ୱୟଙ୍କ ମଧ୍ୟରୁ ଜଣେ ପଞ୍ଜାବର ସମରଜାଥ ସିଂ ଓ ଅନ୍ୟ ଜଣେ ହେଲେ କେରଳର ଜାଫର ସାଦ୍ଧିକ୍ ଏଭି । ସବୁଠାରୁ ବିଚିତ୍ର କଥାଟି ହେଲା, ଭୁବନେଶ୍ୱରର ପଟିଆ ନିକଟରୁ ଏହି ଦୁଇ ଜଣ ୨୮ ଲକ୍ଷରୁ ଅଧିକ ଟଙ୍କା ଲୁଟିବା ପରଦିନ ୧୧ତାରିଖ ସକାଳ ପ୍ରାୟ ୭ଟା ୪୦ରେ ବିମାନ ଯୋଗେ ନୂଆଦିଲ୍ଲୀ ପଳାଇଥିଲେ । ପୁଣି ବିମାନ ଚଢ଼ି ଚଣ୍ଡିଗଡ, ବାଙ୍ଗାଲୋର ଏବଂ ଭାଇଜାଗ ଯିବା ସହିତ ଏଟିଏମ୍ ଲୁଟିଥିଲେ । ପୋଲିସ ହାତରେ ଧରାପଡିବା ସହିତ ଜେରା ବେଳେ ଦୁଇ ଅଭିଯୁକ୍ତ ସବୁ ସତ ମାନିଯାଇଥିଲେ । ତେବେ ଏଠାରେ ଆମେ କହିପାରୁ, ବିମାନ ଯୋଗେ ଗଲାବେଳେ ସେମାନେ ଯେଉଁ ପ୍ରୋଫାଇଲ୍ ରଖି ଜିବା ଆସିବା କରନ୍ତି, ତାହା କହିବା ନଷ୍ପ୍ରୟୋଜନ । ଆମେ ଏହା ଜୋରଦେଇ କହିପାରୁ, ଲୁଟେରାମାନେ ଭୁବନେଶ୍ୱର ଛାଡିଲାବେଳେ ଦୁଇଟି ପ୍ରଶ୍ନ ମନରେ ଆସୁଛି । ପ୍ରଥମଟି ହେଲା, ଏତେ ପରିମାଣ ଅର୍ଥ ବିମାନ ଯୋଗେ ଗଲା ବେଳେ ଲୁଟେରା ଲୁଚାଇଲେ କିପରି? ଏତେ ପରିମାଣ ଅର୍ଥକୁ ଡିଆର୍ଆଇ ଓ ବ୍ୟାଗେଜ ସ୍କାନର ଧରିବାକୁ ସମର୍ଥ ହେଲାନାହିଁ କିପରି? ଆମେ ଯଦି ମାନିଯିବା ଯେ, ଉକ୍ତ ଲୁଟେରା ଦ୍ୱୟ ସାଥିରେ ଟଙ୍କା ନନେଇ ବାହାର ରାଜ୍ୟକୁ ଯିବା ଲାଗି ଚଳାଇଥିବା ପ୍ରୟାସରେ ସଫଳ ହେଇଥିଲେ ତେବେ ଆଉ ଗୋଟିଏ ପ୍ରଶ୍ନ ମନରେ ଉଠିବା ସ୍ୱଭାବିକ । ତାହା ହେଲା ସେମାନେ ଯଦି ହୋଟେଲରେ ରହିଥିଲେ ତେବେ ସେମାନେ ରହୁଥିବା ରୁମ୍ ଭିତରେ ନିଶ୍ଚିତ ଭାବେ ଟଙ୍କା ରହିଥିବ । କିନ୍ତୁ ଏଠାରେ ଯେଉଁ ପୋଲିସ ଅଫିସରମାନେ ଥିଲେ, ସେମାନେ କରୁଥିଲେ କଣ? ପୋଲିସ ଅଫିସରମାନେ ସିସିଟିଭି ଫୁଟେଜ୍ ଦେଖିବା ପରେ କିମ୍ବା ଅଭିଯୁକ୍ତ ଦ୍ୱୟ ଗିରଫ ହେବା ପରେ ସେମାନେ ଏଠାରେ ରହୁଥିବା ହୋଟେଲକୁ ଯାଂଚ କରାଯାଇଛି କି? ଯଦି ଯାଂଚରୁ ଟଙ୍କା ମିଳିନାହିଁ, ତେବେ ଏହା ମଧ୍ୟ କୁହାଯାଇପାରିବ ଯେ, ଟଙ୍କାର ଡେଣା ନ ଥିଲା ଯେ, ଏହା ଉଡିଗଲା । ଏତେ ପରିମାଣର ଅର୍ଥ ଏବେ କେଉଁଠି ରହିଛି ଓ କାହାପାଖରେ ରହିଛି, ତାହା ତଦନ୍ତ କରାଯିବା ନିତ୍ୟାନ୍ତ ଆବଶ୍ୟକ । ପୋଲିସ ଏବେ କୋଭିଡ କାମରେ ଲାଗିରହୁଥିବାରୁ ତଦନ୍ତ ଲାଗି ସମୟ ନମିଳିବା ସ୍ୱାଭାବିକ । ଆମେ ଗୋଟିଏ କଥା କହିବାକୁ ଚାହୁଁ ଯେ, ଟଙ୍କା ଯଦି ହୋଟେଲରେ ନଥିଲା ଓ ବିମାନ ବନ୍ଦରରେ ଯାଂଚ ପରେ ବ୍ୟାଗରୁ ମିଳିନଥିଲା, ତେବେ ଗଲା କୁଆଡେ? ଆମର ଆଶଙ୍କା ହେଉଛି ଯେ, ଏହି ହାଇ ପ୍ରୋଫାଇଲ୍ ଲୁଟେରା ଦ୍ୱୟ ଓଡ଼ିଶାରେ ସମପରିମାଣର ଟଙ୍କାକୁ ରଖିବା ଲାଗି ବହୁ ପୂର୍ବରୁ ଏକାଧିକ ଟଙ୍କା ଲୁଟ୍ ମାମଲାରେ ସଂଶ୍ଲିଷ୍ଟ ଥିବା ରାଜଧାନୀ ଭୁବନେଶ୍ୱରର କେତେକ ଲୁଟେରାଙ୍କ ସହ ସମ୍ପର୍କରେ ଅଛନ୍ତି କି? ଯଦି ନାହାନ୍ତି, ତେବେ ଟଙ୍କା ପର୍ଫୁ୍ୟମ୍ ହୋଇନି ଯେ, ପବନରେ ମିଳାଇ ଯିବ । ଏହି ଦୁଇ ଜଣଙ୍କ ବ୍ୟତିତ ଭୁବନେଶ୍ୱର ଏଟିଏମ୍ ଲୁଟ୍ ମାମଲାରେ ହୁଏତ ଆହୁରି ଅନେକ ସ୍ଥାନୀୟ ଲୁଟେରା ଅଂଶଗ୍ରହଣ କରିଥିବେ । ନଚେତ, ଏହି ଟଙ୍କାକୁ ନେଲା କିଏ ଓ ପୋଲିସକୁ ନଜଣାଇ ରଖିଲା କିପରି, ତାହା ହେଉଛି ଏକ ବଡ଼ ଆସମାହିତ ପ୍ରଶ୍ନ । ଏଥି ନେଇ ଉଭୟ ରାଜ୍ୟ ସରକାର ଓ ପୋଲିସ କଡା ଦୃଷ୍ଟି ରଖିବା ସହ ଅତିଶୀଘ୍ର ଅଭିଯୁକ୍ତମାନଙ୍କୁ ଆଣି ତଦନ୍ତ କରିବା ଶ୍ରେୟସ୍କର ।

Leave A Reply

Your email address will not be published.

three × 1 =