ରାଜଧାନୀର ଅନ୍ୟତମ ଗୁରୁତ୍ୱପୁର୍ଣ୍ଣ ଜନଗହଳି ଅଞ୍ଚଳ ରାଜଭବନ ଛକସ୍ଥିତ ପେଟ୍ରେଲପମ୍ପରେ ୪୮ ଘଂଟା ପୂର୍ବେ ଯେପରି ଏଲପିଜି ଟାଙ୍କି ବିସ୍ଫୋରଣ ଘଟିଗଲା, ତାହା ଅତି ମାରାତ୍ମକ ବିଷୟ । ସେଥିରେ ଜଣଙ୍କ ମୃତ୍ୟୁ କଟକ ବଡ ମେଡିକାଲରେ ହୋଇଥିବା ବେଳେ ଆଉ ଜଣେ ମୃତ୍ୟୁ ସହ ସଂଗ୍ରାମରତ । ଅନ୍ୟଜଣେ କର୍ମଚାରୀ ନିଖୋଜ ଥିବା କମିସନରେଟ ପୋଲିସ କହୁଛି । ତେବେ ଘଟଣାସ୍ଥଳ ଓ ଆଖ ପାଖ ଜାଗାରୁ ଗତ ଦୁଇ ଦିନ ମଧ୍ୟରେ ପ୍ରାୟ ତିନି ବସ୍ତା ଛିଣ୍ଡାମାଂସ, ଦୁଇଟି ଖପୁରୀ, ଗେୀଟିଏ ପିରା ସମେତ ମନିପର୍ସ ଆଦି ଜବତ ହୋଇଛି । କେତେ ଜଣଙ୍କ ମୃତ୍ୟୁ ଘଟିଛି ତାହାର ହିସାବ ଏପର୍ଯ୍ୟନ୍ତ ହୋଇପାରିଲା ନାହିଁ, ଯାହା ଅତ୍ୟନ୍ତ ଦୁଃଖଦାୟକ ଘଟଣା । କମିସନରେଟ ପୋଲିସ ପକ୍ଷରୁ ନିଜଆଡୁ ମାମଲା ରୁଜୁ କରି ତଦନ୍ତ ଚାଲିଥିବା ବେଳେ ଆଇଓସିଏଲ ପକ୍ଷରୁ ଏବଂ ପେସୋ ପକ୍ଷରୁ ଭିନ୍ନ ଭିନ୍ନ ତଦନ୍ତ ଚାଲୁ ରହିଛି । ତେବେ ଏଥିନେଇ ଯେଉଁ ସବୁ ସଙ୍ଗୀନ ପ୍ରଶ୍ନ ଉଠୁଛି, ତାହା ପ୍ରତି ସରକାର ଦୃଷ୍ଟି ଦେବା ଆବଶ୍ୟକ । ତଦନ୍ତକାରୀ ବିଭାଗ ଗୁଡିକ ମଧ୍ୟ ଏ ସମ୍ପର୍କରେ ସେମାନଙ୍କ ରିପୋର୍ଟ ଦେବା ଉଚିତ୍ । ପ୍ରଥମ ପ୍ରଶ୍ନଟି ହେଲା, ଜଣେ ଡାକ୍ତଖାନାରେ ମରିଥିବା ବେଳେ ଆଉ ଜଣେ ନିଖୋଜ ହେବା ପରେ ତିନି ବସ୍ତା ମଣିଷ ମାଂସ ଯଦି ମିଳିଲା, ତେବେ ସେହି ହତଭାଗ୍ୟ ମଣିଷ ଗୁଡିକ କିଏ? ସେମାନଙ୍କୁ ଚିହ୍ନଟ କରିବା, ଖୋଜି ବାହାର କରିବା ଓ ଅନୁସନ୍ଧାନକୁ ଏ ସମ୍ପର୍କରେ ଏକ ଦିଗମୁଖି କରିବା ଲାଗି ଅଦ୍ୟାବଧି କି କି ପଦକ୍ଷେପ ନିଆଯାଇଛି, ନିଆଯାଉଛି ଓ ନିଆଯିବାକୁ ଯୋଜନା ହେଉଛି? ଯଦି କେତେକ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲେହେଁ ଭୟାବହ ବିସ୍ଫୋରଣ ଯୋଗୁଁ ସେମାନଙ୍କୁ ଚିହ୍ନଟ କରିହେଉନାହିଁ ତେବେ ପୋଲିସ ବିଭାଗ ପକ୍ଷରୁ କି ପ୍ରକାର ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଉଛି? ଗତ ବର୍ଷ ଜାନୁଆରୀ ମାସରେ ସେଂଟ୍ରାଲ ପଲ୍ୟୁସନ କଂଟ୍ରୋଲ ବୋର୍ଡ (ସିପିସିବି) ଏକ ନିଦେ୍ଧଶନାମାରେ ଜନବସତି ଅଞ୍ଚଳ, ସ୍କୁଲ ଓ ହସପିଟାଲ ଆଦି ସ୍ଥାନରେ ଅତି କମ୍୍ରେ ୫୦ ମିଟର ଦୁରରେ ପେଟ୍ରୋଲ ପମ୍ପ ଗୁଡିକ ରଖିବାକୁ ତୈଳ କମ୍ପାନି ଗୁଡିକୁ ନିଦେ୍ର୍ଧଶ ଦେଇଥିବା ବେଳେ ବିଗତ ୮ମାସ ମଧ୍ୟରେ ଏହାକୁ କେତେ ପରିମାଣରେ ପାଳନ କରାଯାଇଛି? ମୋଟାମୋଟି ଭାବେ ଏତିକି କହିଲେ ଯଥେଷ୍ଟ ହେବ ଯେ, ମଣିଷ ଜୀବନ ସବୁଠାରୁ ମୁଲ୍ୟବାନ ହୋଇଥିଲା ବେଳେ ଯେପରି ହେଲେ ତଦନ୍ତ କରି ତିନି ବସ୍ତା ମାଂସର ପରୀକ୍ଷାନିରୀକ୍ଷା ସହ ରାଜଭବନ ଛକ ଓ ଏହାର ଅତି ଆଖପାଖ ଅଞ୍ଚଳରୁ ବ୍ୟକ୍ତି ନିଖୋଜ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ତଦନ୍ତ ହେବା ଜରୁରୀ ।