ଭାରତରେ ହାଜତ ଅସୁରକ୍ଷାର କାହାଣୀ

ଚଳିତ ବର୍ଷ ଜୁନ୍‍ ୧୯ ତାରିଖ ଘଟଣା। କରୋନା ଭୂତାଣୁ ସଂକ୍ରମଣର ତୀବ୍ରତା ରୋକିବା ପାଇଁ ସାରା ଦେଶରେ ସରକାର ଲକ୍‍ଡାଉନ୍‍ ଜାରି କରିଥିଲେ। ତାମିଲନାଡ଼ୁ ରାଜ୍ୟର ଥୁଥୁକୁଡ଼ି ଜିଲାର ସାନ୍ଥାକୁଲମ୍‍ ସହରରେ ଏକ ଛୋଟ ମୋବାଇଲ ଦୋକାନ ଖୋଲା ଯାଇଥିବାର ଅଭିଯୋଗ ସ୍ଥାନୀୟ ଥାନାକୁ ଯାଇଥିଲା। ପୁଲିସ ଦୋକାନ ପାଖରେ ପହଞ୍ଚି ବାପପୁଅ ଦୁଇଜଣଙ୍କୁ ଉଠାଇ ନେଇ ଥାନାରେ ଅଟକ ରଖିଥିଲେ। ଜୟରାଜଙ୍କ ବୟସ ୫୯ ବର୍ଷ ଏବଂ ତାଙ୍କ ପୁଅ ଜେ.ବେନିକ୍ସଙ୍କ ବୟସ ୩୧ ବର୍ଷ। ରାତିରେ ସେମାନଙ୍କ ଉପରେ ପୁଲିସଙ୍କର ଆରମ୍ଭ ହୋଇ ଯାଇଥିଲା ଅକଥନୀୟ ନିର୍ଯାତନା। ସେମାନଙ୍କ ସହିତ ଅଭିଯୁକ୍ତ ପୁଲିସମାନେ ଅପ୍ରାକୃତିକ ଯୌନକ୍ରିୟା କରିବା ସହ ସେମାନଙ୍କ ମଳଦ୍ୱାରରେ ଶକ୍ତ କାଠବାଡ଼ି ଭର୍ତ୍ତି କରିଦେଇଥିଲେ। ପ୍ରଚୁର ରକ୍ତସ୍ରାବ ଦ୍ୱାରା ସେମାନଙ୍କର ସଙ୍କଟାପନ୍ନ ଅବସ୍ଥା ଯୋଗୁଁ ପୁଲିସ ସ୍ଥାନୀୟ ହସ୍ପିଟାଲକୁ ଚିକିତ୍ସା ପାଇଁ ନେଇଥିଲେ। ଶେଷରେ ସେମାନଙ୍କର ମୃତ୍ୟୁ ଘଟିଥିଲା। ଅଭିଯୁକ୍ତ ପୁଲିସ ଶ୍ରୀଧର, ବାଳକୃଷ୍ଣ, ରଘୁଗଣେଶ, ମୁଥୁରାଜଙ୍କୁ ଚାକିରିରୁ ନିଲମ୍ବିତ କରି ଗିରଫ କରାଯାଇଥିଲା।
ଆମ ରାଜ୍ୟରେ ଗତ ମାସ ପାଟଣା ଥାନା ଅଧିକାରୀ ସନ୍ଧ୍ୟାରାଣୀ ଜେନା ଏକ ଜମିବାଡ଼ି ବିବାଦର ସମାଧାନ କରିବାକୁ ଯାଇ ଥାନା ଭିତରେ ଜଣେ ଯୁବକଙ୍କୁ ଗଡ଼ାଇଗଡ଼ାଇ ଜୋତାରେ ଗୋଇଠା ମାଡ଼ ମାରିବାର ଭିଡିଓ ସୋସାଲ୍‌ ମିଡିଆରେ ବହୁପ୍ରସାରିତ ହୋଇଥିଲା। ଘଟଣାକୁ ଅନୁଧ୍ୟାନ କରି ପୁଲିସ ଡି.ଜି. ପ୍ରଥମେ ତାଙ୍କୁ ଚାକିରିରୁ ନିଲମ୍ବିତ କରିଥିଲେ। ପରବର୍ତ୍ତୀ ସମୟରେ ମାମଲା ରାଜ୍ୟ ମାନବାଧିକାର କମିସନରଙ୍କ ପାଖରେ ପହଞ୍ଚିବା ପରେ ପୀଡ଼ିତ ଯୁବକଙ୍କୁ ଥାନା ଅଧିକାରୀ ଶ୍ରୀମତୀ ଜେନା ତାଙ୍କ ଦରମାରୁ ଟ୧୦,୦୦୦ଙ୍କା ଦେବାକୁ କମିସନ ନିର୍ଦେଶ ଦେଇଥିଲେ। ଏହାପରେ ତାଙ୍କୁ ଦୁଇବର୍ଷ ପାଇଁ ଦାୟିତ୍ୱରୁ ଅନ୍ତର କରି ଏକ ତାଲିମ କେନ୍ଦ୍ରରେ ଶିକ୍ଷାଗ୍ରହଣ କରିବା ପାଇଁ ଡି.ଜି.ପିଙ୍କୁ କମିସନ ନିର୍ଦେଶ ଦେଇଛନ୍ତି। ଚଳିତ ମାସ ୧୯ ତାରିଖ ଦିନ ୨୪ ଘଣ୍ଟା ମଧ୍ୟରେ ଆମ ରାଜ୍ୟରେ ଦୁଇଟି ହାଜତ ମୃତ୍ୟୁ ଅଭିଯୋଗ ଆସିବା ଦୁର୍ଭାଗ୍ୟଜନକ କଥା। ପୁରୀ ବାସେଳୀସାହି ଓ ସୁନ୍ଦରଗଡ଼ ବୀରମିତ୍ରପୁର ଥାନା ହାଜତ ମୃତ୍ୟୁ ଅଭିଯୋଗ ଘଟନା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିିଛି। ପୁଲିସ ଆଉ ଥାନା ଉପରେ ସାଧାରଣ ମଣିଷର ଭରସା ତୁଟି ଯାଇ ଭୟ ଓ ଆତଙ୍କ ଦେଖାଦେଇଛି କହିଲେ ଭୁଲ୍‌ ହେବନାହିଁ। ଯେମିତି କିଛି ପୁଲିସ ଅଧିକାରୀ କିଛି ଗୋଟାଏ କାମରେ ମହନୀୟତା, ମାନବିକତା ଦେଖାଇ ବିଭିନ୍ନ ଆଡ଼ୁ ପ୍ରଶଂସା ସାଉଁଟି ଥାଆନ୍ତି, ସେହିପରି କେତେକ ପୁଲିସ ଅଧିକାରୀ ନିଜର ଅମାନବିକତା ଏବଂ ଦୁର୍ବ୍ୟବହାର ପାଇଁ ନିନ୍ଦା ଓ ଭର୍ତ୍ସନା ପାଇଥାନ୍ତି। ଅଭିଯୁକ୍ତ କିମ୍ବା ସନ୍ଦିଗ୍ଧଙ୍କୁ ହାଜତରେ ୨୪ ଘଣ୍ଟାରୁ ଅଧିକ ରଖିବା ବେଆଇନ। ସେହିପରି ସେମାନଙ୍କୁ କୌଣସି ପ୍ରକାର ନିର୍ଯାତନା ଦେବା ମାନବିକତାର ବିରୁଦ୍ଧ ଆଚରଣ କରେ। ସରକାରଙ୍କ ୫ଟିର ଅନୁଶାସନ ଏବଂ ମୋ ସରକାରର ଉତ୍ତରଦାୟିତ୍ୱ ଗୁରୁତ୍ୱକୁ କିଛି ପୁଲିସ ବାବୁ ପାଣିର ଗାର ଭାବୁଛନ୍ତି ଏବଂ ମାନବ ଅଧିକାର ନିୟମକୁ ମଧ୍ୟ ଫୁଙ୍କି ଉଡ଼ାଇ ଦେଉଛନ୍ତି। ହାଜତ ନିର୍ଯାତନା ରୋକିବାକୁ ଯାଇ ସୁପ୍ରିମ କୋର୍ଟଙ୍କ ନିର୍ଦେଶ ଅନୁସାରେ ସବୁ ଥାନା ଓ ହାଜତରେ ସିସି କ୍ୟାମେରା ଲଗାଯିବା କଥା; କିନ୍ତୁ ଅଧିକାଂଶ ଥାନାର ସିସି କ୍ୟାମେରା ଅଚଳ ଅବସ୍ଥାରେ ପଡ଼ି ରହିଛି। ଫଳରେ ଥାନା ମଧ୍ୟରେ ଘଟୁଥିବା କୌଣସି ଘଟଣାର ଠିକ୍‌ ପ୍ରମାଣ ମିଳିପାରୁନାହିଁ। ଏହାଦ୍ୱାରା କେବଳ ଓଡ଼ିଶା ନୁହେଁ ସାରା ଦେଶରେ ହାଜତ ମୃତ୍ୟୁ ଏବଂ ନିର୍ଯାତନା ବୃଦ୍ଧି ଘଟିଛି। କେତେକ ମାମଲାରେ ତଦନ୍ତକାରୀ ପୁଲିସ ଅଫିସର ଅପରପକ୍ଷଠାରୁ ଲାଞ୍ଚ ନେଇ ତାଙ୍କୁ ଖୁସି କରିବା ପାଇଁ ଅଭିଯୁକ୍ତ ବା ସନ୍ଦିଗ୍ଧକୁ ହାଜତକୁ ଆଣି ମାଡ଼ ମାରିଥାନ୍ତି। ଏପରିକି ତାହାର କୌଣସି ପ୍ରମାଣ ମଧ୍ୟ ନଥାଏ।
ଗତ ୧୦ ବର୍ଷ ମଧ୍ୟରେ ଓଡ଼ିଶାରେ ୪୩ଜଣଙ୍କ ଜୀବନ ହାଜତରେ ଯାଇଥିବା ସରକାରୀ ତଥ୍ୟରୁ ଜଣାପଡ଼ିଛି। ଦେଶରେ ଦିନକୁ ଏହିପରି ଭାବେ ପାଞ୍ଚଜଣଙ୍କ ଜୀବନ ଯାଉଛି ବୋଲି ଜଣାଯାଏ। ୨୦୧୯ ମସିହାରେ ଦେଶରେ ସମୁଦାୟ ୧,୭୩୧ଜଣ ଲୋକ ଏହି ମାମଲାରେ ମୃତ୍ୟୁବରଣ କରିଥିବାର ଅଭିଯୋଗ ହୋଇଛି। ସେ ମଧ୍ୟରୁ ୧,୬୬୬ଟି ନ୍ୟାୟିକ ହେପାଜତ୍‍ରେ ଏବଂ ୧୨୫ ଜଣ ପୁଲିସ ହେପାଜତରେ ଘଟିଛି। ପୁଲିସ ହେପାଜତରେ ଥିବା ୧୨୫ ମୃତ୍ୟୁ ମଧ୍ୟରୁ ଉତ୍ତର ପ୍ରଦେଶରେ କେବଳ ୧୪ ଜଣ ମୃତ୍ୟୁବରଣ କରିଥିବା ବେଳେ ତାମିଲନାଡ଼ୁ ଏବଂ ପଞ୍ଜାବରେ ୧୧ଜଣ, ବିହାରରେ ୧୦ଜଣ ମୃତ୍ୟୁବରଣ କରିଛନ୍ତି। ସେହିଭଳି ଅନ୍ୟ ରାଜ୍ୟଗୁଡ଼ିକ ହେଉଛି ମଧ୍ୟପ୍ରଦେଶରେ ୯ଜଣ, ଗୁଜରାଟରେ ୮ଜଣ, ଦିଲ୍ଲୀରେ ୭ଜଣ ଏବଂ ଓଡ଼ିଶାରେ ୬ଜଣଙ୍କର ଜୀବନ ଯାଇଥିଲା। ତେବେ ଆସାମ, ହିମାଚଳପ୍ରଦେଶ, ତେଲଙ୍ଗାନା ଏବଂ ତ୍ରିପୁରାରେ ଜଣେ ଲେଖାଏଁ ହାଜତ ମୃତ୍ୟୁବରଣ କରିଥିବାର କେସ୍‌ ଦାଏର ହୋଇଛି।
କୌଣସି ଅାପରାଧିକ ମାମଲାରେ ଜଡ଼ିତ ଥିବା ସନ୍ଦେହରେ ଯଦି କାହାକୁ ପୁଲିସ ଆଣି ନିଜ ଥାନା ହାଜତରେ ରଖେ ମାତ୍ର ୨୪ ଘଣ୍ଟା ମଧ୍ୟରେ କୋର୍ଟ ଚାଲାଣ କରିବାର ନିୟମ ଅଛି। ଅନେକ କ୍ଷେତ୍ରରେ ଯେଉଁମାନଙ୍କୁ ଥାନାକୁ ଉଠାଇ ଅଣାଯାଏ କ’ଣ ପାଇଁ ତାଙ୍କୁ ନିଆଯାଉଛି, କେଉଁ କେସ୍‌ ସହିତ ସେମାନେ ଜଡ଼ିତ ଅଛନ୍ତି, ଏହିସବୁ କଥା ସନ୍ଦିଗ୍ଧ ଅଭିଯୁକ୍ତଙ୍କୁ କୁହାଯିବା ସହ ପରିବାର ସଦସ୍ୟଙ୍କୁ ମଧ୍ୟ କୁହାଯିବା ଉଚିତ୍‍। ଯେଉଁମାନେ ବିଭିନ୍ନ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥାନ୍ତି ବା ଔଷଧ ସେବନ କରୁଥାନ୍ତି ସେମାନଙ୍କ ପ୍ରତି ଥାନା ହାଜତରେ ସେତିକି ସୁବିଧା ଦେବା ଉଚିତ୍‍। ହାଜତରେ କେବଳ ପୁଲିସ ନିର୍ଯାତନାରେ ମୃତ୍ୟୁ ଘଟୁନାହିଁ, କିଛି ହୃଦ୍‌ରୋଗୀ ଭୟଭୀତ ହୋଇ ହୃଦ୍‌ଘାତର ଶିକାର ମଧ୍ୟ ହୋଇଥାନ୍ତି। ପୁଲିସର ବର୍ବରତା ହାଜତବାସୀଙ୍କର କିଛି ମାତ୍ରାରେ ଉଚ୍ଚ ରକ୍ତଚାପ ବୃଦ୍ଧି କରିଥାଏ; ଯାହାଦ୍ୱାରା ମଧ୍ୟ ମସ୍ତିଷ୍କାଘାତ ଘଟି ମୃତ୍ୟୁ ହୋଇଥାଏ। ପୁରୀ ହାଜତ ମୃତ୍ୟୁ ଅଭିଯୋଗ ଘଟଣାରେ ପୁଲିସ ଶବ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି ନା ନାହିଁ ​‌େ​‌ସନେଇ ବିବାଦ ରହିଛି। ନିୟମ ଅନୁଯାୟୀ ଯେତେବେଳେ ହାଜତ ମୃତ୍ୟୁ ଅଭିଯୋଗ ଆସେ ପଞ୍ଚନାମା, ବ୍ୟବଚ୍ଛେଦର ଭିଡିଓ ଟେପ୍‍, ଭିସେରା ଓ ଫରେନ୍‍ସିକ୍‍ ରିପୋର୍ଟକୁ ଗୁରୁତ୍ୱ ଦିଆଯାଏ ଏବଂ ସମସ୍ତ ତଥ୍ୟାବଳୀକୁ ମାଜିଷ୍ଟ୍ରେଟଙ୍କ ପାଖରେ ଦାଖଲ କରାଯାଏ। ଏହି ଘଟଣାକୁ ଗୁରୁତ୍ୱ ଦେଇ ହାଇକୋର୍ଟ ସମସ୍ତ ରେକର୍ଡ଼ପତ୍ର ଦାଖଲ ଲାଗି ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି।
ଦେଶରେ ପୁଲିସ ବ୍ୟବସ୍ଥାର ସଂସ୍କାର ଏବଂ ଥାନା ଏବଂ ନ୍ୟାୟିକ ହାଜତର ସୁରକ୍ଷାକୁ ଗୁରୁତ୍ୱ ଦେଇ ପ୍ରଚଳିତ ଥିବା ୧୮୬୦ ଭାରତୀୟ ଦଣ୍ଡବିଧି ସଂହିତାକୁ ପରିବର୍ତ୍ତନ କରିବାର ସମୟ ଆସିଛି। ଅଧିକାଂଶ ଥାନାରେ ନିର୍ଯାତନା ପ୍ରଣାଳୀ ଜାଣିଲେ ଆଶ୍ଚର୍ଯ୍ୟ ଓ ଘୃଣା ଲାଗେ। କିଛି ଅପରାଧୀଙ୍କଠାରୁ ସତଘଟଣା ଜାଣିବା ପାଇଁ ପୁଲିସ ବିପରୀତ ପାର୍ଶ୍ବରେ ଗୋଡ଼ ବିସ୍ତାର କରି ପଛପାର୍ଶ୍ବରେ ପିଚାକୁ ବାଡ଼ି ଦ୍ୱାରା ଶକ୍ତ ଆଘାତ କରିଥାନ୍ତି। ଗରମ ଲୁହା ରଡ଼ରେ ବ୍ରାଣ୍ଡିଂ କରିବା, ନଖ ଉପରେ ରୋଳ ପକାଇ ଚଢ଼ିବା, ମଳଦ୍ୱାରରେ କଠିନ ବସ୍ତୁ ଭର୍ତ୍ତି କରିବା, ପେଟ୍ରୋଲ କିମ୍ବା ଲଙ୍କାଗୁଣ୍ଡ ପକେଇବା, ଗୋଡ଼ ଉପରକୁ ମୁଣ୍ଡ ତଳକୁ କରି ଝୁଲାଇବା ପରି ବର୍ବରୋଚିତ ନିର୍ଯାତନା ହାଜତରେ ଦିଆଯାଇଥାଏ। ତେଣୁ ଏହି ସବୁକୁ ସଂପୂର୍ଣ୍ଣ ମାତ୍ରାରେ ବନ୍ଦ କରିବା ସରକାରଙ୍କର କେବଳ ଦାୟିତ୍ୱ ନୁହେଁ, ଅଭିଯୁକ୍ତ ପୁଲିସ ଅଧିକାରୀଙ୍କୁ ଚାକିରିରୁ ଅନ୍ତର କରି ଦଣ୍ଡିତ କରାଯିବା ଆବଶ୍ୟକ।

Leave A Reply

Your email address will not be published.

eighteen − seventeen =