ପୁରାଣରେ ବର୍ଣ୍ଣିତ ଅବତାର ଶ୍ରୀକୃଷ୍ଣଙ୍କ ଚରିତ୍ର ସାର୍ବଜନୀନ ଓ କାଳଜୟୀ । କଂସ ନିଧନ ବେଳେ ମଂଚାରୁ ପଡ଼ି ମାମୁଁଙ୍କ ମୃତ୍ୟୁ ଘଟିଲା ଓ ଦୈବ ବଳରୁ ମୁଁ ବଂଚିଗଲି ବୋଲି ସେ କହିଥିଲେ । ତାତ୍କାଳିକ ଭାଷାରେ ସଦ୍ୟ ଖବର ଉଣ୍ଡାଳିଲେ ମାଫିଆ ଡନ୍ ବିକାଶ ଦୁବେକୁ ଏନ୍କାଉଂଟର ବେଳେ ତା’ର ନିହାତ ହେବା ଖବର କ୍ଷେତ୍ରରେ ଶ୍ରୀକୃଷ୍ଣଙ୍କ ବାଣୀର ଯଥାର୍ଥତା ଯେ ଅନେକଟା ରହିଛି, ତାହା କୁହାଯାଇପାରେ । ଭାରତବର୍ଷ ହେଉଛି ମୂନିଋୁଷିମାନଙ୍କ ଦେଶ । ବହୁ ବୀର, ସାହସୀ ଓ ଧାର୍ମିକ ନରନାରୀ ଏଠାରେ ଜନ୍ମ ଗ୍ରହଣ କରିବା ସହିତ ସେମାନଙ୍କ ପ୍ରତ୍ୟେକଟି କର୍ଯ୍ୟକଳାପ ଏହି ମାଟିକୁ ଧନ୍ୟ କରିଛି । ପୁରାଣ ଓ ଲୋକକଥାରୁ ସଦାସର୍ବଦା ଜାଣିବାକୁ ମିଳିଛି ଯେ, ଯେତେବେଳେ କୌଣସି ମଣିଷ ଅବାଟକୁ ଚାଲିଯିବା ସହ ଅଧର୍ମକୁ ଧର୍ମ ଓ ପାପକୁ ପୁଣ୍ୟ ଏବଂ ମିଛକୁ ସତ ଆଖ୍ୟାଦେଇ ନିଜର ସ୍ୱାର୍ଥ ଓ ଲୋଭକୁ ଅନ୍ଧଭାବେ ଚରିତାର୍ଥ କରିଚାଲେ, ସେତେବେଳେ ଏ ମାଟିରେ ପ୍ରତିଟି ପ୍ରାଣୀର ପାପପୁଣ୍ୟକୁ ତଉଲୁଥିବା ସ୍ୱୟଂ ଇଶ୍ୱର ପାପର ବିନାଶ ପାଇଁ ପଥ ପ୍ରଦର୍ଶନ କରିଥାନ୍ତି । ଏହା ଆମେ କହିବାର ଅର୍ଥ ହେଲା ଯେ, ଉତର ପ୍ରଦେଶର କାନପୁର ଅନ୍ତର୍ଗତ ମାଫିଆ ଡନ୍ ବିକାଶ ଦୁବେ ଯେପରି ଭାବେ ତା’ଘର ଉପରେ ପୋଲିସ ଚଢାଉ ବେଳେ ସମର୍ଥକଙ୍କ ସାହର୍ଯ୍ୟରେ ଗୁଳି ଚଳାଇବାରୁ ୮ ଜଣ କର୍ତବ୍ୟରତ ପୋଲିସ ସହିଦ ହେଲେ ତାହା ଅତ୍ୟନ୍ତ ଦୁଃଖଦାୟକ ଘଟଣା । ଏହା ବିକାଶର ମା’ଙ୍କୁ ଏତେ ମର୍ମାହତ କରିଦେଇଥିଲା ଯେ, ସେ ମଧ୍ୟ କହିଥିଲେ, ବିକାଶ ଯଦି ମଣିଷ ମାରିଛି ତେବେ ତାକୁ ମାରିଦିଆଯାଉ । କିନ୍ତୁ ପୋଲିସ ତାକୁ ପାଇବାରେ ଅସମର୍ଥ ହୋଇଥିଲା । ଏପରିକି ପାଟି ଖୋଲି ‘ମୁଁ କାନପୁରର ବିକାଶ ଦୁବେ’ ବୋଲି ମଧ୍ୟପ୍ରଦେଶର ଉଜ୍ଜୟିନୀ ସ୍ଥିତ ମହାକାଳ ମନ୍ଦିରରେ ସେ ବଡ ପାଟିରେ ଏକାଧିକ ବାର କହିବା ପରେ ମନ୍ଦିର କର୍ତୁପକ୍ଷ ଓ ପୋଲିସ ତାକୁ ଗିରଫ କରିଥିଲେ । ପରେ ୟୁପିର ଏସଟିଏଫ ଅଧିକାରୀମାନେ ୪ଟି କାର୍ ଯୋଗେ ଉଜ୍ଜୟିନୀରୁ କାନପୁରକୁ ଗୁରୁବାର ବିଳମ୍ବିତ ରାତିରେ ଆଣିଥିଲେ । ତେବେ ୟୁପି ସୀମା ଛୁଇଁବାପରେ ପ୍ରବଳ ବର୍ଷା ହେଉଥିବାରୁ ଦ୍ରୂତଗତିରେ ବିକାଶକୁ ଧରି ଆସୁଥିବା କାର୍ଟି ଦୁର୍ଘଟଣାର ସମ୍ମୁଖିନ ହେବା ସହିତ ଘଟଣା ସ୍ଥଳରୁ ଜଣେ ଏସଟିଏଫ ଅଧିକାରୀଙ୍କ ହାତରୁ ପିସ୍ତଲ ଛଡାଇ ପଲାଇ ଯାଉଥିବା ମାଫିଆ ଡନ୍ ବିକାଶକୁ ବାଧ୍ୟ ହୋଇ ପାଲଟା ଗୁଳି ଏସଟିଏଫ ପକ୍ଷରୁ ଚଳାଯିବା ସହିତ ଗୁରୁତର ଆହତ ଡନ୍କୁ ନିକଟସ୍ଥ ମେଡିକାଲରେ ଭତି କରାଯିବା ସହିତ ଡାକ୍ତରମାନେ ସେ ମୃତ ବୋଲି ଘେଷଣା କରିଥିଲେ ।
ତେବେ ଏଠାରେ ଆମର କହିବାର କଥା ହେଲା ଯେ, ଉଧାର ମାଣକ କେବେହେଲେ ତିନିପା’ହୁଏନି । ଏକ ଲୋକକଥା ରହିଆସିଛି ଓ ତାହା ହେଲା, ‘ଟେକାଟିଏ ମାରିଥିଲେ ପଥରଟିଏ ଥୁଆ’ । ଯେଉଁ ଢଙ୍ଗରେ ବିକାଶ କାନପୁରରେ ରାଜପ୍ରାସାଦ ତୋଳି ସେଥିରେ ଗୋଟିଏ ବା ଦୁଇଟି ନୁହେଁ, ୪ଟି ସିସିଟିଭି କ୍ୟାମେରା ଲାଗିବା ସହିତ ଏହାକୁ ତାର ପତ୍ନୀ ନିୟନ୍ତଣ କରୁଥିଲା ଏବଂ ପ୍ରାୟ ୩ଶହ ପୋଲିସ ଅଫିସରଙ୍କ ଠାରୁ ଆରମ୍ଭ କରି ତଳିଆ କର୍ମଚାରୀ ପର୍ଯ୍ୟନ୍ତ ତାର ସମ୍ପର୍କରେ ଥିଲେ ବୋଲି ଏବେ ସନେ୍ଦହ ଓ ତଦନ୍ତ ଘେରରେ ରାହିଥିଲା ବେଳେ ତନ୍ନଧ୍ୟରୁ ୧୦ ଜଣଙ୍କୁ ନିଲମ୍ବନ କରାଯାଇଛି, ତାହା ଜଣାଇ ଦେଉଛି ଯେ, ବିକାଶର ହାତ ଢେର ଲମ୍ବା ଥିଲା । ଏପରିକି କିଛି ରାଜନୈତିକ ଦଳର ନେତାଙ୍କ ସହ ତାହାର ମଧ୍ୟ ନିଗୂଢ ସମ୍ପର୍କ ଥିବା ନେଇ ଏବେ ଆଲୋଚନା ହେଉଛି । କିନ୍ତୁ ଯେପରି ଭାବେ ଧରାପଡିବା ପରେ ବିକାଶ ଦୁବେ ପଳାଇବାକୁ ଚେଷ୍ଟାକରି ଏନ୍କାଉଂଟରରେ ମଲା, ତାହା ଅଳ୍ପ ବର୍ଷପୂର୍ବେ ତେଲେଙ୍ଗାନାରେ ଘଟିଥିବା ଏକ ବଳାତ୍କାର ହତ୍ୟା ଜନିତ ମାମଲାରେ ଗିରଫ ୪ଜଣଙ୍କୁ ଘଟଣା ସ୍ଥଳକୁ ତଦନ୍ତ ପାଇଁ ଓ ଭିଡିଓ ରେକର୍ଡିଙ୍ଗ ପାଇଁ ନିଆଯାଇଥିଲା ବେଳେ ସେମାନେ ଦୌଡି ପଳାଇବାକୁ ଉଦ୍ୟମକରି ପୋଲିସ ଏନ୍କାଉଂଟରରେ ପ୍ରାଣ ହରାଇଥିଲେ, ତାହା ମନେପକାଇଦିଏ । ସେତେବେଳେ ପ୍ରତିକ୍ରିୟାରେ ସାଧାରଣ ଲୋକେ ଏନ୍କାଉଂଟର ପାଇଁ ପୋଲିସକୁ ବାହାବା’ ଦେଇଥିଲେ । ଅବଶ୍ୟ ଉତର ପ୍ରଦେଶକୁ ନେଇ ଦେଶର ରାଜନୀତି ସଦାସର୍ବଦା ଆରମ୍ଭ ହେଉଥିବାରୁ ଏବଂ ଏଠାରେ ଅତିତରେ ଅନେକ ନେତା ମଧ୍ୟ ବେଆଇନ୍ କାମ କରିବା ଓ ଜେଲ ଜିବା ନଜୀର୍ ରହିଥିବାରୁ ବିକାଶ ମୃତୁ୍ୟ ନେଇ ସାଧାରଣ ଲୋକଙ୍କ ପ୍ରକୃତ ପ୍ରତିକ୍ରିୟା କ’ଣ, ତାହ ଜାଣିବାକୁ ନିଶ୍ଚିତ ଭାବେ ସମୟ ଲାଗିବ । କିନ୍ତୁ ଯଦି ବିକାଶ ପ୍ରକୃତରେ ପଳାଇବାକୁ ଉଦ୍ୟମ କରିନଥାଏ ଏବଂ ୮ ପୋଲିସ ମରିବା ସହିତ ବିକାଶ ଧରାପଡିବା ମମଲାରେ ବହୁ ରାଜନେତା ଓ ଅଫିସରମାନେ ଫସିବା ଆଶଙ୍କା ରହିଥିବାରୁ ଜାଣିଶୁଣି ସେ ପଲାଇ ଯାଉଥିବା ଦେଖାଇ ଏନ୍କାଉଂଟରରେ ତାକୁ ମାରିଦିଆ ଯାଇଥାଏ, ତେବେ ଗଣତାନ୍ତ୍ରିକ ବ୍ୟବସ୍ଥା ମଧ୍ୟରେ ଏପରି ପଦକ୍ଷେପ ମଧ୍ୟ ଗ୍ରହଣଯୋଗ୍ୟ ନୁହେଁ । ଅବଶ୍ୟ ଏ ସମ୍ପର୍କରେ ଆଗାମୀ ଦିନେ ବା ଦୁଇ ଦିନ ମଧ୍ୟରେ ୟୁପି ପୋଲିସ ମହାନିଦେ୍ର୍ଧଶକ, ରାଜ୍ୟ ଗୃହମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀ ଏବଂ ବିକାଶର ପିତାମାତାଙ୍କ ବିବୃତି ଏହାକୁ ଅଧିକ ସ୍ପଷ୍ଟ କରିବାରେ ସହାୟକ ହେବ । ଗଣତନ୍ତ୍ରରେ ଦୋଷୀ ବିରୋଧରେ ମାମଲା କରାଯିବା, ତଦନ୍ତ ହେବା ଓ ପ୍ରମାଣ ସଂଗ୍ରହ କରାଯିବା ସହିତ କୋର୍ଟରେ ଚାର୍ଜସିଟ ଦାଖଲ କରାଯିବା ସହିତ ଏହା ବିଚାର ହୋଇ ରାୟକୁ ଅପେକ୍ଷା କରାଯାଇଥାଏ । ତେଣୁ ବାସ୍ତବରେ ବିକାଶ ବିରୋଧରେ କେତେ ଏତଲା ଦିଆଯାଇଛି ଓ ସେ କେତେ ଥର ଗିରଫ ହୋଇଛି, ତାହା ଲୋକଲୋଚନକୁ ଆସିବା ସହ ଏହି ମଫିଆ ଡନ୍ର ପ୍ରକୃତ ଚିତ୍ର ଓ ଚରିତ୍ର ଲୋକଲୋଚନକୁ ଆସିପାରିବ । ତେବେ ଏ ଦେଶର ସମସ୍ତଙ୍କୁ ଆମେ ଆଉଥରେ ମନେପକାଇ ଦେଉଛୁ ଯେ, ‘ଅଧର୍ମ ବିତ,ବଢେ ବହୁତ, ଗଲାବେଳେ ଯାଏ ମୂଳ ସହିତ’ ।