ମାନବ ଜାତିକୁ ଏକ ପ୍ରଶ୍ନ

ବିବାହ ଏକ ସାମାଜିକ ବ୍ୟବସ୍ଥା ଯାହା ସମାଜ ଓ ପରିବାରକୁ ଶୃଙ୍ଖଳିତ କରିଥାଏ । ଅନେକ ସମୟରେ ବିବାହ ପାଇଁ ଯେଉଁ ସବୁ ରୀତିନୀତି ଓ ବ୍ୟବସ୍ଥା ଗ୍ରହଣ କରାଯାଇଥାଏ, ସେଗୁଡିକୁ ନେଇ ପରବର୍ତୀ ସମୟରେ ସ୍ୱାମୀ ଓ ସ୍ତ୍ରୀ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ହେଲେ କୌଣସି ପକ୍ଷ ଏଥିଲାଗି ଗ୍ରାମ ସଭା, ପଞ୍ଚାୟତ ବା କୋର୍ଟ କଚେରୀର ଆଶ୍ରୟ ନେବାକୁ ଉଚିତ୍ ମନେକରିଥାନ୍ତି । ନିକଟ ଅତୀତରେ ଆମ ରାଜ୍ୟ ଓଡିଶା ସମେତ ଦେଶର ରାଜଧାନୀ ଦିଲ୍ଲୀରେ ଏପରି ୨ଟି ଘଟଣା ଘଟିଛି, ଯେଉଁଥିରେ ଉଭୟ ପକ୍ଷ ( ପତି ଓ ପତ୍ନୀ) ଶିକ୍ଷିତ ଏବଂ ଆଭିଜାତ୍ୟ ବର୍ଗର ହୋଇଥିଲେ ହେଁ ସେମାନେ ପରସ୍ପର ଠାରୁ ଅଲଗା ହୋଇଛନ୍ତି । ଏପରିକି ଆଇନ ସଂପର୍କରେ ସବୁଠାରୁ ସଚେତନ ଓ ଧୂରୀଣ ତଥା ସୁପ୍ରିମକୋର୍ଟର ସବୁଠାରୁ ଦାମୀ ଓକିଲ ରୂପେ ପରିଚିତ ହରିଶ ସାଲ୍ଭେ ମଧ୍ୟ ଦୀର୍ଘ ବର୍ଷର ବୈବାହିକ ସଂପର୍କକୁ ଛିନ୍ନ କରିଛନ୍ତି । ଅବଶ୍ୟ ଏପରି କରିବା ଆଇନସମ୍ମତ ହୋଇଥିବାରୁ ଏଥିରେ କାହାର କିଛି କହିବାର ନାହିଁ । କିନ୍ତୁ ଯେପରି ଭାବେ ସାଲ୍ଭେ ପୂନର୍ବାର ଜଣେ ବିଦେଶିନୀଙ୍କୁ ବିବାହ କରିଛନ୍ତି, ତାହା ଭାରତୀୟ ସଭ୍ୟତାର ପରିପନ୍ଥୀ ବୋଲି କହିଲେ, ଏହା ସମ୍ପୂର୍ଣ୍ଣ ଠିକ ନହେଲେ ମଧ୍ୟ ଭୁଲ ବୋଲି କୁହାଯାଇପାରିବ ନାହିଁ । ସାଲ୍ଭେଙ୍କ ବୟସ ୬୫ ହୋଇଥିଲା ବେଳେ ଦୀର୍ଘ ୩୮ ବର୍ଷର ସ୍ୱାମୀ-ସ୍ତ୍ରୀ ସମ୍ପର୍କକୁ ତୁଟାଇ ଚଳିତ ବର୍ଷ ଜୁନ୍ ମାସରେ ସେ ନିଜର ପତ୍ନୀ ମିନାକ୍ଷୀଙ୍କୁ ଛାଡପତ୍ର ଦେଇଥିଲେ । ତାଙ୍କର ମଧ୍ୟ ୨ଝିଅ ଅଛନ୍ତି । କିନ୍ତୁ ସେ ଗୁରୁବାର ଦିନ ଲଣ୍ଡନର ଏକ ଚର୍ଚ୍ଚରେ ଜଣେ ଆର୍ଟିଷ୍ଟ କେରୋଲିନ୍ ବ୍ରୋସାର୍ଡଙ୍କୁ ବିବାହ କରିଛନ୍ତି, ଯାହାଙ୍କ ବୟସ ୫୬ ବର୍ଷ ଓ କେରୋଲିନ୍ଙ୍କର ମଧ୍ୟ ଜଣେ ୧୮ ବର୍ଷିୟା କନ୍ୟା ଅଛନ୍ତି । ନିକଟରେ ଜଣେ ହିନ୍ଦୁ ଯୁବକ ୟୁପିରେ ଜଣେ ମୁସ୍ଲିମ୍ ମହିଳାଙ୍କୁ ବିବାହ କରିଥିଲା ବେଳେ ମାସେ ପୂର୍ବରୁ ମହିଳା ଜଣଙ୍କ ହିନ୍ଦୁ ଧର୍ମ ଗ୍ରହଣ କରିବା ସହ ପୋଲିସ ସୂରକ୍ଷା ପାଇଁ ରିଟ୍ ପିଟିସନ୍ ଦାଖଲ କରିଥିଲେ ଯାହା ରାୟରେ ଖାରଜ ହୋଇଯାଇଥିଲା । ଏଥିରେ କୁହାଯାଇଥିଲା, ଧର୍ମଦ୍ୱାରା ଅନୁପ୍ରାଣିତ ନହୋଇ ବିବାହକୁ ଏଡାଇବା କିମ୍ବା ଧର୍ମ ଉପରେ ବିଶ୍ୱାସ ନଥାଇ କୌଣସି ସୁବିଧା ପାଇବା ପାଇଁ ହେଉଥିବା ଧର୍ମାନ୍ତରିକରଣ ପ୍ରାମାଣିକ ନୁହେଁ । ଏଥିପାଇଁ ହୃଦୟରେ ପରିବର୍ତନ ଆସିବା ଆବଶ୍ୟକ । ତେବେ ଏଠାରେ ଆମର କହିବାର କଥା ହେଲା ଯେ, ଇଂରାଜୀରେ ଜଣେ ଲେଖକ ପ୍ରକାଶ କରିଛନ୍ତି, “ ପୂର୍ବ ହେଉଛି ପୂର୍ବ ଓ ପଶ୍ଚିମ ହେଉଛି ପଶ୍ଚିମ ଏବଂ ଉଭୟ ଏକାଠି ହେବା ଏକ ପ୍ରକାର ଅସମ୍ଭବ ।” ସ୍ଥାନ, କାଳ ଓ ପାତ୍ର ନିର୍ବିର୍ଶେଷରେ ମନୁଷ୍ୟ ଜୀବନର ସବୁ କ୍ଷେତ୍ରରେ ଏହା ଗ୍ରହଣୀୟ । ସଫଳତା ମଣିଷକୁ ଏତେ ଅଭିଳାଷୀ ଓ ସ୍ୱାର୍ଥଲିପ୍ସୁ କରିଦେଇଛି ଯେ, ସେଥିରେ ମଣିଷ ନିଜ ଦେଶର ସଭ୍ୟତା ମଧ୍ୟରେ ରହିବାକୁ ମଧ୍ୟ ଏବେ ଅନିଚ୍ଛୁକ । ମୁକ୍ତ ବାଣିଜ୍ୟ ଏବଂ ବିଭିନ୍ନ ଦେଶର ସମ୍ପର୍କ ଏବେ ପୂନ୍ନର୍ବାର ସମଗ୍ର ମାନବ ଜାତିକୁ ଗୋଟିଏ ଛତାତଳେ ରଖିବାକୁ ଉଦ୍ୟମରତ । ଏହାକୁ ସାମ୍ପ୍ରତିକ ଅର୍ଥନୀତି ଅନେକଟା ପ୍ରଭାବିତ କରୁଛି । ତେଣୁ ସମାଜ ଓ ସଭ୍ୟତାର ମହାସାଗରରେ ମଣିଷ ନିଜର ଆତ୍ମ ପରିଚୟକୁ ଏକ ରକମ୍ ହଜାଇବା ଉପରେ । ତେବେ ଆମ ମତରେ ପୃଥକ ସଭ୍ୟତାକୁ ସ୍ୱତନ୍ତ୍ର ପରିଚିତି ନମିଳିଲେ ସଭ୍ୟତାର ବିକାଶ ଘଟିବା ଅସମ୍ଭବ ଓ ମନୁଷ୍ୟ ପୂନର୍ବାର ସେହି ଆଦିମ ଯୁଗକୁ ଫେରିଯିବା ଅସ୍ୱାଭାବିକ ନୁହେଁ ।

Leave A Reply

Your email address will not be published.

18 + 4 =