ବାଙ୍ଗଲାଦେଶରେ ନିଷିଦ୍ଧ କରାଯାଇଥିବା ଆତଙ୍କବାଦୀ ସଂଗଠନ ଜମାତ-ଉଲ୍-ମୁଜାହିଦ୍ଧିନ (ଜେଏମ୍ବି)ର କିଛି ସଦସ୍ୟ ଏବେ ଆମ ରାଜ୍ୟ ଓଡ଼ିଶା ଭିତରକୁ ପଶିଆସିଥିବା ଆଶଙ୍କା କରାଯାଉଛି । ଏହାର ମୁଖ୍ୟକାରଣ ହେଲା ଯେ, କୋଲକତାରୁ ତିନି ଜଣ ସନ୍ଦିଗ୍ଧ ଆତଙ୍କବାଦୀ ଓଡ଼ିଶାକୁ ଆସି ଲୁଚିଥିବା ସମ୍ପର୍କିତ ଏକ ରିପୋର୍ଟ ଗଣମାଧ୍ୟମରେ ପ୍ରକାଶ ପାଇଛି ଯାହା, ଅତ୍ୟନ୍ତ ଭୟଙ୍କର ବୋଲି କୁହାଯାଇପାରେ । ରବିବାର କୋଲକାତା ପୋଲିସ ଏଠାରୁ ତିନି ଜଣକୁ ଗିରଫ କରିବା ସହିତ ପଚାରାଉଚରାରୁ କୁଆଡେ ଅତି ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇଛନ୍ତି । କୋଲକତା ପୋଲିସ ଏଥିନେଇ କୌଣସି ଠୋସ୍ ପଦକ୍ଷେପ ନେଇନାହିଁ ବୋଲି କୁହାଯାଇପାରେ । ତେବେ ସେ ଯାହାହେଉ ନା କାହିଁକି, ଓଡ଼ିଶା ଭିତରେ ଆତଙ୍କବାଦୀ ମାନେ ଆସିବା ଏବଂ ସେମାନଙ୍କ କାର୍ଯ୍ୟ ଅବ୍ୟାହତ ରଖିବା ଆଦୌ ଗ୍ରହଣୀୟ ନୁହେଁ । ମିଳିଥିବା ସୂଚନା ଅନୁଯାୟୀ କୋଲକତାରେ ଯେଉଁ ତିନି ଜଣ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି ସେମାନଙ୍କ ସମେତ ମୋଟ ୧୫ ଜଣ ଚଳିତ ବର୍ଷ ବାଙ୍ଗଲାଦେଶରୁ ଭାରତକୁ ଅନୁପ୍ରବେଶ କରିଛନ୍ତି । କୋଲକତାରେ ୫ ଜଣ ଥିଲା ବେଳେ ୧୦ ଜଣ ଓଡ଼ିଶା, ବିହାର ଓ କାଶ୍ମୀର ଯାଇଥିବା କୁହାଯାଉଛି । ତେବେ ଆମର ଏଠାରେ କହିବାର କଥା ହେଲା ଯେ, ଅତୀତରେ ମଧ୍ୟ ବହୁ ଆତଙ୍କବାଦୀ ଓଡ଼ିଶା ମାଟିରେ ଧରାପଡିଛନ୍ତି । ଏପରିକି ବାଲେଶ୍ୱର ସ୍ଥିତ ଆଇଟିଆରରେ ମୟୂରଭଞ୍ଜର ଇଶ୍ୱରନାମଙ୍କ ଜଣେ ବ୍ୟକ୍ତି ଚାନ୍ଦିପୁରର ଆଇଟିଆରରେ ଠିକା କ୍ୟାମେରାମ୍ୟାନ୍ ଭାବେ କାର୍ଯ୍ୟ କରିବା ସହିତ ସେଥିଲା ଆଇଏସଆଇ ଏଜେଂଟ । ସେହି ଭଳି ଜଗତପୁର ନିକଟସ୍ଥ ପ୍ରଶ୍ଚିମ କଛର ଅବଦୁଲ ରେହେମାନ ଏକ ଆତଙ୍କବାଦୀ ବୋଲି ପୋଲିସ ଗିରଫ କରିଥିଲା । ଯଦି ଅତୀତକୁ ଦେଖାଯାଏ ତେବେ ରାଉଳକେଲାରେ ୨୦୧୬ ଫେବୃଆରୀ ୧୬ ତାରିଖ ବିଳମ୍ବିତ ରାତିରେ ତେଲେଗାନା କାଉଂଟର ଇଂଟେଲିଜେନ୍ସ ସେଲ୍ ଯେଉଁ ୫ ଜଣଙ୍କୁ ଗିରଫ କରିଥିଲା । ସେମାନେ ସମସ୍ତ ‘ସିମି’ ଗ୍ରୃପ୍ର । ଏହା ପରେ ୨୦୧୭ ଅକ୍ଟବର ୨୯ରେ କଟକ ଜିଲ୍ଲା କିଶନ ନଗର ସାମନ୍ତାରାପୁର ଆଖ୍ତାର ହୁସେନ୍ଙ୍କୁ ମଧ୍ୟ ଆତଙ୍କବାଦୀ ଗୋଷ୍ଟ ସହ ଲିକ୍ ଅଭିଯୋଗରେ ଅଟୋକ ରଖି ପ୍ରବାଣ ନମିଳିବାରୁ ପରିଶେଷରେ ଛାଡିଦିଆଯାଇଥିଲା । ୨୦୧୮ ଅଗଷ୍ଟ ୫ରେ ରସ୍କର ସଂଗଠନର ସଦସ୍ୟ ତଥା କେନ୍ଦ୍ରାପଡା ଜିଲ୍ଲାର ପାଟକୁରା ଥାନା ଅନ୍ତରଗର୍ତ ତେଣ୍ଡାକୁଡା ପଂଚାୟତ ସ୍ଥିତ ନିରମହଲା ଅଂଚଳର ହବିବୁର ରେହେମାନଙ୍କୁ ପୋଲିସ ଗିରଫ କରିବା ସହ ଏବେ ଆଉ ତିନି ଜଣ ଗିରଫ ହୋଇଥିବାରୁ ଉଭୟ କୋଲକାତା ଓ ଓଡ଼ିଶା ପୋଲିସ ଏଥିନେ ପରସ୍ପର ସହ ଯୋଗାଯୋଗରେ ଅଛନ୍ତି । ତେବେ ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ, ଆତଙ୍କବାଦୀମାନେ ମଧ୍ୟ ଓଡ଼ିଶା ଆସୁଛନ୍ତି । ଏହି ସଂଖ୍ୟା ବୃଦ୍ଧି ପାଇଲେ ଏହା ଆମ ରାଜ୍ୟ ପାଇଁ ଆଗକୁ ବିପଦ ସୃଷ୍ଟି କରିବା ଆଦୌ ଅସମ୍ଭବ ନୁହେଁ ।