କଳିଙ୍ଗ ସମ୍ରାଟ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ଦିଲ୍ଲୀରୁ ତାଙ୍କର ମରଶରୀର ଭୁବନେଶ୍ୱର ଆସି ଏଠାରୁ ସ୍ୱର୍ଗଦ୍ୱାର ନିଆଯାଇ ଶେଷକୃତ୍ୟ ସମାପନ୍ନ ବେଳେ ଅସୁମାରି ଜନସ୍ରୋତ ହେବା ଏକ ପ୍ରଶ୍ନ ଉଦ୍ରେକ କରିଥିଲା । ତାହା ହେଲା, ପରବର୍ତୀ ମୁଖ୍ୟମନ୍ତ୍ରୀ କିଏ? ଏଥିଲାଗି ପରବର୍ତୀ ସମୟରେ ଶାସକ ଦଳ ନେତାଙ୍କ ମଧ୍ୟରେ ବେଶ କିଛି ଦିନ ଧରି ମାନସ ମନ୍ଥନ ହୋଇଥିଲା । ଏପରିକି ସେତେବେଳର ଶାସକ ଦଳରେ ରହିଥିବା ବହୁ କ୍ଷମତାଶାଳୀ ଓ ପ୍ରବୀଣ ରାଜନେତା ଏ ସମ୍ପର୍କରେ ବାରମ୍ବାର ଆଲୋଚନା କରି କିଛି କୂଳକିନାରା ପାଉନଥିବା ବେଳେ ଯେଉଁ କେତେକ ହାତଗଣତି ନେତା ଦିଲ୍ଲୀଯାଇ ଦଳକୁ ସମ୍ଭାଳିବା ଓ ଶାସନ ଦଣ୍ଡକୁ ଧରିରଖିବା ଲାଗି ସ୍ୱର୍ଗତ ବିଜୁବାବୁଙ୍କ କନିଷ୍ଠ ସନ୍ତାନ ଓ ରାଜନୀତିରେ ସମ୍ପୁର୍ଣ୍ଣ ନବୀନ ତଥା ଅନଭିଜ୍ଞ ନବୀନ ବାବୁଙ୍କୁ ଆଣିବାରେ ସମର୍ଥ ହୋଇଥିଲେ । ତାଙ୍କୁ ଦଳର ନେତା କରାଯାଇଥିଲା । ନୂତନ ଭାବେ ବିଜୁବାବୁଙ୍କ ନାମରେ ବିଜୁ ଜନତା ଦଳ (ବିଜେଡି) ଗଠନ କରାଯିବା ସହ ଏହି ଦଳ କ୍ଷମତାକୁ ଆସି ନବୀନ ବାବୁ ମୁଖ୍ୟମନ୍ତ୍ରୀ ହୋଇଥିଲେ । ତେବେ ଏଠାରେ ଆମର କହିବାର କଥା ହେଲା ଯେ, ଇତିମଧ୍ୟରେ ୨୦ ବର୍ଷ ବିତିଗଲାଣି । ନବୀନ ପଟ୍ଟନାୟକ ରାଜନୀତିରେ ଆଉ ‘ନବୀନ’ନୁହନ୍ତି । ବରଂ ସେ ପ୍ରବୀଣ ରାଜନେତା ରୂପେ ପରିଚିତ । ସିକିମର ପୂର୍ବତନ ମୁଖ୍ୟମନ୍ତ୍ରୀ ପବନ କୁମାର ଚାମ୍ଲିଂ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜ୍ୟୋତି ବସୁଙ୍କ ପରେ ସର୍ବାଧିକ ସମୟ ମୁଖ୍ୟମନ୍ତ୍ରୀ ରହିବାରେ ନବୀନ ହେଉଛନ୍ତି ତୃତୀୟ ରାଜନେତା । ଗୋଟିଏ ପଟେ ସେ ଅନଭିଜ୍ଞ ଥିବା ବେଳେ ରାଜନୀତିର ବାଉନ ବଜାର ତେପନ ଗଳି ମଧ୍ୟରେ ଏଥିପ୍ରତି ଅନାଗ୍ରହ ପ୍ରକାଶ କରିପାରନ୍ତି ବୋଲି ଯେଉଁମାନେ ଭାବୁଥିଲେ ସେମାନେ ଭୁଲ୍ ଭାବୁଥିବା ଏବେ ପ୍ରମାଣିତ । ଦଳରେ ଏକଦା ଯେଉଁମାନେ ସର୍ବଶକ୍ତିମାନ ରୂପେ ପରିଚିତ ଥିଲେ, ସେମାନେ ଏବେ କେହି ସାଥିରେ ନାହାନ୍ତି କିମ୍ବା ବିଜେପିର ମେଂଟ ନାହିଁ । ପ୍ୟାରି ବାବୁଙ୍କ ଠାରୁ ଆରମ୍ଭ କରି ବିଜୟ ମହାପାତ୍ର, ନଳିନୀ ମହାନ୍ତି, ରାମକୃଷ୍ଣ ପଟ୍ଟନାୟକ ଓ ଦିଲୀପ ରାୟଙ୍କ ଭଳି ନେତାଙ୍କୁ ଦଳରୁ ଆଡେଇବା ଲାଗି ନବୀନ ବାବୁଙ୍କୁ ଗୋଟିଏ ମିନିଟ ଲାଗିନଥିଲା ବେଳେ ଏମାନେ ସମସ୍ତେ ରାଜ୍ୟ ରାଜନୀତିରେ ପ୍ରାୟତଃ ଅଖୋଜା ଓ ଅଲୋଡା । କିନ୍ତୁ ନବୀନଙ୍କ ଦବ୍ଦବା ବଢ଼ିଛି ଓ ବଢ଼ିଚାଲିଛି । ବିଶେଷତଃ, ମହାବାତ୍ୟା ପରର ଓଡ଼ିଶାକୁ ନେତୃତ ଦେବା ପରଠାରୁ ସେ ନିଜକୁ ପ୍ରମାଣିତ କରିଛନ୍ତି, ‘ବାପ୍ସେ ବେଟା ଜ୍ୟାଦା ହେ’ ।