କରୋନା ଯେଉଁ ସ୍ପର୍ଶକାତର ପରିସ୍ଥିତି ସୃଷ୍ଟି କରିଛି ତାହା ନକହିବା ଭଲ । ଭାରତବର୍ଷ ଏକ ବିରାଟ ଭୂଖଣ୍ଡ । ଚାଇନା ପରେ ଭାରତ ହେଉଛି ଦ୍ୱିତୀୟ ବିଶାଳ ରାଷ୍ଟ୍ର ଯେଉଁଠାରେ ୧୨୦ କୋଟିରୁ ଅଧିକ ଲୋକ ବସବାସ କରନ୍ତି । ଏଠାରେ ସହର, ଗ୍ରାମାଂଚଳ, ବସ୍ତି ଏବଂ ପାହାଡିଆ ଅଂଚଳ ଆଦି ରହିଥିବାରୁ କରୋନା ସଂକ୍ରମଣ ହେବା ଭୟରେ ଯେପରି ଭାବେ ଅନେକ ରାଜ୍ୟ ଏବେ ଲକଡାଉନ୍ ପନ୍ଥା ଧରିଛନ୍ତି ତାହା କିପରି ଭାବେ ସଫଳ ହେବ ସେହି ବିଷୟ ଉପରେ ସମସ୍ତେ ଚିନ୍ତା କରିବା ଉଚିତ୍ । କରୋନା ବ୍ୟାପିବାର ପ୍ରଥମ ଓ ଦ୍ୱିତୀୟ କାରଣ ହେଉଛି ସଂଗବହୁଳତା ଏବଂ ନିକଟତର ହେବା । ଡାକ୍ତରମାନେ କହୁଛନ୍ତି ପ୍ରତ୍ୟେକ ବ୍ୟକ୍ତି ପ୍ରତି ବ୍ୟକ୍ତି ଠାରୁ ଅତି କମରେ ୧ ମିଟର ଓ ଅତି ବେଶୀରେ ୩ ମିଟର ଦୂରତ୍ୱ ରକ୍ଷା କରିବା ଆବଶ୍ୟକ । ଏହା ବାସ୍ତବରେ ହାଟ,ବଜାର ଏବଂ ମେଡିକାଲ୍ ଆଦି କ୍ଷେତ୍ରରେ ଅସମ୍ଭବ କହିଲେ ଅତ୍ୟୁକ୍ତି ହେବ ନାହିଁ । ସେପରି ସ୍ଥଳେ ଲକଡାଉନ ହିଁ ଏକମାତ୍ର ପନ୍ଥା, ଯାହା ସମସ୍ତଙ୍କୁ ଘର ଭିତରେ ରଖିବା ସହିତ କରୋନା ଭାଇରସ ସଂକ୍ରମିତ ହେବା ଆଶା କ୍ଷୀଣ ହେବ । କୁହାଯାଉଛି ଏହି ଭାଇରସ ୩ ଘଂଟା ଜୀବିତ ରୁହେ । କିନ୍ତୁ ବୈଜ୍ଞାନିକମାନେ ପୁଣି କହନ୍ତି, କାଠରେ ଏହା ୪ଘଂଟା ଏବଂ ଷ୍ଟେନଲେସ୍ ଷ୍ଟିଲ୍ରେ ୧୨ ଘଂଟା ଜୀବିତ ରୁହେ । ସେପରି ସ୍ଥଳେ ପ୍ରତ୍ୟେକ ବ୍ୟକ୍ତି ଏଥିପ୍ରତି ସାବଧାନତା ଅବଲମ୍ବନ କରିବା ବିଧେୟ । ତେଣୁ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନତାକର୍ଫ୍ୟୁ ପରେ ଯାହାସବୁ କହୁଛନ୍ତି ତାହା ଗ୍ରହଣୀୟ । ସେହିପରି ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହାସବୁ ପଦକ୍ଷେପ ନେଇଛନ୍ତି, ସେସବୁ ସ୍ୱାଗତଯୋଗ୍ୟ ଓ କରଣୀୟ । ତେବେ ଏଠାରେ ଆମର କହିବାର କଥା ହେଲା ଯେ, ଲକଡାଉନ୍ କରାଗଲେ ମଧ୍ୟ ଜିଲ୍ଲା ପ୍ରଶାସନ ପ୍ରଥମେ ଏହା ନିଶ୍ଚିତ କରିବା ଦରକାର ଯେ, କୌଣସି ବ୍ୟକ୍ତି ଯେପରି ଉପାସ ନରୁହେ । ଖାଦ୍ୟ ହେଉଛି ମନୁଷ୍ୟର ପ୍ରଥମ ମୌଳିକ ଆବଶ୍ୟକତା । ତେଣୁ ଲକଡାଉନ୍ ପାଇଁ ଯଦି କେହି ଉପାସରେ ରହୁଥାଏ ତେବେ ତାହା ନିକଟରେ ଖାଦ୍ୟ ପହଂଚାଇବା ଜିଲ୍ଲା ପ୍ରଶାସନର ଦାୟିତ୍ୱ । ଠିକ୍ ସେହିପରି ଲକଡାଉନ୍ ବେଳେ ଅର୍ଥାଭାବ ଯୋଗୁ ଯଦି କୌଣସି ବ୍ୟକ୍ତି ବା କେତେକ ବ୍ୟକ୍ତି ନିଜ ଘରକୁ ଫେରିବାକୁ ଉଦ୍ୟମ କରୁଥାନ୍ତି ତେବେ ସେମାନେ କିପରି ଫେରିବେ ତାହା ଦେଖିବାର ଦାୟିତ୍ୱ ହେଉଛି ଜିଲ୍ଲା ପୋଲିସ ପ୍ରଶାସନର । ଏଥିପ୍ରତି ରାଜ୍ୟର ମୁଖ୍ୟ ଶାସନ ସଚିବ ତୁରନ୍ତ ଧ୍ୟାନ ଦେବା ଜରୁରୀ । ଏହା ସହିତ ଆମେ ଏକଥା ମଧ୍ୟ କହିବାକୁ ଚାହୁଁ ଯେ, ସରକାର ଯାହା କରନ୍ତି ତାହା ଲୋକଙ୍କ ମଙ୍ଗଳ ପାଇଁ । ତେଣୁ ଲକଡାଉନ ସମସ୍ତେ ଠିକ୍ ଭାବେ ଗ୍ରହଣ କରିବା ଉଚିତ୍ ।