ଶିକ୍ଷାନୁଷ୍ଠାନ ଖୋଲିବା ଉଚିତ!

ଭୁବନେଶ୍ୱର ରାଜଧାନୀ ହେବାର ପ୍ରାୟ ତିନି ଦଶନ୍ଧି ପରେ ଏଠରେ ପୁଅଝିଅ ମିଳିତ ଶିକ୍ଷା ଲାଭ କରିବା ଏବଂ ‘ଫ୍ରେଣ୍ଡସିପ ଡେ’ରେ ଏକାଠି ଯାଇ କଲେଜ ନିକଟସ୍ଥ ହୋଟେଲରେ ଖାଇବା ଓ ‘ଭାଲେଂଟାଇନ୍ ଡେ’ ପାଳନ କରିବା ଆଦି କ୍ରମଶଃ ଅଭ୍ୟାସରେ ପରିଣତ ହେବା ସହିତ ପରବର୍ତୀ ସମୟରେ ପୁଅଝିଅଙ୍କ ମଧ୍ୟରେ ବନ୍ଧୁତା ସୃଷ୍ଟି ହେବ ସାଧାରଣ କଥାରେ ପରିଣତ ହେଲା । ଗତ ୫ ବର୍ଷ ଭିତରେ ଆଣ୍ଡ୍ରଏଡ ଫୋନ୍ ବ୍ୟବହାର ବଢ଼ିବା ସହିତ ପୁଅଝିଅଙ୍କ ବନ୍ଧୁତା ନୀତିଦିନିଆ କାର୍ଯ୍ୟକ୍ରମଠୁ ଆହୁରି ଅଧିକ ଗୃରୁତ୍ୱର ସହ ଉଭୟ ଗ୍ରହଣ କରିବାକୁ ଲାଗିଲେ ଏବଂ ଏହାର ସିଧାସଳଖ ପ୍ରଭାବ ସମାଜ ଉପରେ ପଡିଲା ଓ ପଡୁଛି । ତେବେ ଏଠାରେ ଆମର କହିବାର କଥା ହେଲା ଯେ, ଜଣେ ଯୁବକ ବା କିଶୋର ବୟସର ପୁଅ ଅନୁରୂପ ଭାବେ ଜଣେ ଯୁବତୀ ବା କିଶୋରୀ ସହ ବନ୍ଧୁତା ସ୍ଥାପନ କରିବା ଅତି ଉତମ କଥା । ପରିଣତ ବୟସ ପରେ ଏହି ବନ୍ଧୁତ୍ୱ ଉଭୟଙ୍କ ଜୀବନ ଉପରେ ସକରାତ୍ମକ ପ୍ରଭାବ ପକାଇଥାଏ । କିନ୍ତୁ ଏହା ପୁର୍ବରୁ ଯେଉଁ ବନ୍ଧୁତ୍ୱ ସୃଷ୍ଟି ହୁଏ, ଅନେକ ସ୍ଥାନରେ ଅପରିପକ୍ୱ ବିଚାରଧାରା, ସମ୍ପର୍କ ଓ ସ୍ୱାର୍ଥ ଉପରେ ଗୁରୁତ୍ୱ ଅରୋପ କରାଯାଇଥାଏ । ଯେଉଁ ମୁହୁର୍ତରେ ଜଣକର ବା ଉଭୟଙ୍କ ସ୍ୱାର୍ଥର ପଲା ଭାରି ହୋଇଯାଏ, ସେଇ ମୁହୁର୍ତରେ ବନ୍ଧୁତ୍ୱକୁ ଉଭୟେ ଦଳିଚକଟି ପରସ୍ପରର ଶତ୍ରୂ ପାଳଟିଯିବା ସହିତ ସମ୍ପର୍କର ଡୋରି ଛିଡିଯାଇଥାଏ, ଯାହା ମୃତୁ୍ୟ ପର୍ଯ୍ୟନ୍ତ ଯୋଡିବା ଅସମ୍ଭବ ହୋଇଥାଏ । ଏପରିକି ଏହି ଶତ୍ରୂତାର କୁପ୍ରଭାବ ଯୋଗୁ ଉଭୟ ପୁଅ ଓ ଝିଅଙ୍କ ଭବିଷ୍ୟତ ବେଳେବେଳେ ଅନ୍ଧକାରାଚ୍ଛନ୍ନ ହୋଇଯିବାର ଆଶଙ୍କା ଘନିଭୂତ ହେବା ସହିତ କଦବା ସ୍ଥଳବିଶେଷରେ ଏହା ମଧ୍ୟ ଯୁବକ ଯୁବତୀଙ୍କ ସୁନେଳି ଭବିଷ୍ୟତକୁ ପୋଡିଜାଳି ଅଙ୍ଗାର କରିଦେଇଥାଏ ।ଆମେ ଏଠରେ ଏହା କହିବାର ଅର୍ଥ ହେଲା ଯେ, ସମ୍ପ୍ରତି କରୋନା ଯୋଗୁ କେହି କୁଆଡେ ଯାଇପାରୁ ନାହାନ୍ତି । ଏପରିକି ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଦ ରହିଥିବାରୁ ସାଙ୍ଗସାଥି ଏକାଠି ହେବା ଅସମ୍ଭବ ହୋଇପଡିଛି । ଏହାର ମାନସିକ କୁପ୍ରଭାବ ଏହି କିଶୋରକିଶୋରୀ ଓ ଯୁବକଯୁବତୀଙ୍କ ଉପରେ ପଡୁଥିବା ଅସମ୍ଭବ ନୁହେଁ ବୋଲି ଆମେ କହିପାରୁ । କିନ୍ତୁ ଡାକ୍ତରମାନେ କହନ୍ତି, କରୋନା ଯୋଗୁ ସାମାଜିକ ଦୁରତ୍ୱ ଓ ସଙ୍ଗରୋଧରେ ରହିବା ଉଚିତ । ଥରେ କରୋନା ସଂକ୍ରମିତ ହେଲେ ମାନସିକ ସ୍ଥିତି ମଧ୍ୟ ହଠାତ୍ ବିଗିଡି ଯାଇପାରେ । ତେଣୁ ୧୩୦ କୋଟି ଲୋକଥିବା ଦେଶ, ଯାହାର ଅର୍ଦ୍ଧାଧିକ ହେଉଛନ୍ତି ଯୁବବର୍ଗର, ସେମାନଙ୍କୁ କରୋନା ମହାମାରିରୁ ମୁକ୍ତ ରଖିବାକୁ ହେଲେ ସେଥିଲାଗି ସର୍ବପ୍ରଥମେ ଅଙ୍ଗନବାଡିରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ସବୁ ଶିକ୍ଷାନୁଷ୍ଠାନକୁ ଏବେ ଅତି କମ୍ରେ ୨ସପ୍ତାହ ଅନ୍ତରରେ ଥରେ ଲେଖାଏ ବିଶୋଧନ କରାଯିବା ସହିତ ଏ ଗୁଡ଼ିକୁ ଆଦୌ ବନ୍ଦ କରାଯିବା ଉଚିତ ନୁହେଁ । ବରଂ ଦୈନିକ ସଂପୁର୍ଣ୍ଣ ଶିକ୍ଷାନୁଷ୍ଠାନ ସାନିଟାଇଜ କରିବା ସହିତ ପାଠପଢ଼ା ପ୍ରତିଦିନ ଚାଲିବା ଉଚିତ ।

Leave A Reply

Your email address will not be published.

four × one =