ଶିକ୍ଷାନୁଷ୍ଠାନ ସାନିଟାଇଜ ହେଉ

ଭୁବନେଶ୍ୱର ରାଜଧାନୀ ହେବାର ପ୍ରାୟ ତିନି ଦଶନ୍ଧି ପରେ ଏଠାରେ ପୁଅଝିଅ ମିଳିତ ଶିକ୍ଷା ଲାଭ କରିବା ଏବଂ ‘ଫ୍ରେଣ୍ଡସିପ ଡେ’ରେ ଏକାଠି ଯାଇ କଲେଜ ନିକଟସ୍ଥ ହୋଟେଲରେ ଖାଇବା ଓ ‘ଭାଲେଂଟାଇନ୍ ଡେ’ ପାଳନ କରିବା ଆଦି କ୍ରମଶଃ ଅଭ୍ୟାସରେ ପରିଣତ ହେବା ସହିତ ପରବର୍ତୀ ସମୟରେ ପୁଅଝିଅଙ୍କ ମଧ୍ୟରେ ବନ୍ଧୁତା ସୃଷ୍ଟି ହେବା ସାଧାରଣ କଥାରେ ପରିଣତ ହେଲା । ଗତ ୧୦ ବର୍ଷ ଭିତରେ ଆଣ୍ଡ୍ରଏଡ ଫୋନ୍ ବ୍ୟବହାର ବଢ଼ିବା ସହିତ ପୁଅଝିଅଙ୍କ ବନ୍ଧୁତାକୁ ନୀତିଦିନିଆ କାର୍ଯ୍ୟକ୍ରମଠୁ ଆହୁରି ଅଧିକ ଗୃରୁତ୍ୱର ସହ ଉଭୟ ଗ୍ରହଣ କରିବାକୁ ଲାଗିଲେ ଏବଂ ଏହାର ସିଧାସଳଖ ପ୍ରଭାବ ସମାଜ ଉପରେ ପଡିଲା ଓ ପଡୁଛି । ତେବେ ଏଠାରେ ଆମର କହିବାର କଥା ହେଲା ଯେ, ଜଣେ ଯୁବକ ବା କିଶୋର ବୟସର ପୁଅ ଅନୁରୂପ ଭାବେ ଜଣେ ଯୁବତୀ ବା କିଶୋରୀ ସହ ବନ୍ଧୁତା ସ୍ଥାପନ କରିବା ଅତି ଉତମ କଥା । କିନ୍ତୁ ପରିଣତ ବୟସ ପରେ ଏହି ବନ୍ଧୁତ୍ୱ ଉଭୟଙ୍କ ଜୀବନ ଉପରେ ସକରାତ୍ମକ ପ୍ରଭାବ ପକାଇଥାଏ । କିନ୍ତୁ ଏହା ପୁର୍ବରୁ ଯେଉଁ ବନ୍ଧୁତ୍ୱ ସୃଷ୍ଟି ହୁଏ, ତାହା ଅନେକ ସ୍ଥାନରେ ଅପରିପକ୍ୱ ବିଚାରଧାରା, ସମ୍ପର୍କ ଓ ସ୍ୱାର୍ଥ ଉପରେ ଗୁରୁତ୍ୱ ଅରୋପ ସହ ଉଭୟ ବନ୍ଧୁ ସମ୍ପର୍କ ବଢ଼ାଇଥାନ୍ତି । ଯେଉଁ ମୁହୁର୍ତରେ ସ୍ୱାର୍ଥର ପଲା ଭାରି ହୋଇଯାଏ, ସେଇ ମୁହୁର୍ତରେ ବନ୍ଧୁତ୍ୱକୁ ଉଭୟେ ବଳିଦେଇ ପରସ୍ପରର ଶତ୍ରୂ ପାଳଟି ଯିବା ସହିତ ସମ୍ପର୍କର ଡୋରି ଛିଡିଯାଇଥାଏ । ଏପରିକି ଏହି ଶତ୍ରୂତାର କୁପ୍ରଭାବ ଯୋଗୁ ଉଭୟ ପୁଅ ଓ ଝିଅଙ୍କ ଭବିଷ୍ୟତ ବେଳେବେଳେ ଅନ୍ଧକାରାଚ୍ଛନ୍ନ ହୋଇଯାଇ ଥାଏ ।
ଆମେ ଏବେ ଏଠରେ ଏହା କହିବାର ଅର୍ଥ ହେଲା ଯେ, ସମ୍ପ୍ରତି କରୋନା ଯୋଗୁ କେହି କୁଆଡେ ଯାଇପାରୁ ନାହାନ୍ତି । ଏପରିକି ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଦ ରହିଥିବାରୁ ସାଙ୍ଗସାଥି ଏକାଠି ହେବା ଅସମ୍ଭବ ହୋଇପଡିଛି । ଏହାର ମଧ୍ୟ ମାନସିକ କୁପ୍ରଭାବ ଏହି କିଶୋରକିଶୋରୀ ଓ ଯୁବକଯୁବତୀଙ୍କ ଉପରେ ପଡୁଥିବା ଅସମ୍ଭବ ନୁହେଁ ବୋଲି ଆମେ କହିପାରୁ । କିନ୍ତୁ ଡାକ୍ତରମାନେ କହନ୍ତି, କରୋନା ଯୋଗୁ ସାମାଜିକ ଦୁରତ୍ୱ ଓ ସଙ୍ଗରୋଧରେ ରହିବା ଉଚିତ । ଥରେ କରୋନା ସଂକ୍ରମିତ ହେଲେ ମାନସିକ ସ୍ଥିତି ମଧ୍ୟ ହଠାତ୍ ବିଗିଡି ଯାଇପାରେ । ତେଣୁ ୧୩୦ କୋଟି ଲୋକଥିବା ଦେଶ, ଯାହାର ଅର୍ଦ୍ଧାଧିକ ହେଉଛନ୍ତି ଯୁବବର୍ଗର, ସେମାନଙ୍କୁ କରୋନା ମହାମାରିରୁ ମୁକ୍ତ ରଖିବାକୁ ହେଲେ ସେଥିଲାଗି ସର୍ବପ୍ରଥମେ ଅଙ୍ଗନବାଡିରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ସବୁ ଶିକ୍ଷାନୁଷ୍ଠାନକୁ ଏବେ ଅତି କମ୍ରେ ୨ସପ୍ତାହ ଅନ୍ତରରେ ଥରେ ଲେଖାଏ ବିଶୋଧନ କରାଯିବା ଉଚିତ । ଏ ଗୁଡ଼ିକୁ ସାନିଟାଇଜ କରିବା ସହିତ ଶ୍ରେଣୀ ଆରମ୍ଭ ହେବା ଓ ପାଠ ପଢ଼ା ଚାଲିବା ଉଚିତ । ନଚେତ କେବଳ ଅନ୍ଲାଇନ୍ ପାଠପଢ଼ା ଯେ ଛାତ୍ରଛାତ୍ରୀଙ୍କୁ ପାଠ୍ୟକ୍ରମ ସାରିବାରେ ସାହାର୍ଯ୍ୟ କରିବ, ତାହା ସମ୍ପୁର୍ଣ୍ଣ ଭୁଲ୍ ଧାରଣା ଉପରେ ପର୍ଯ୍ୟବେସିତ ବୋଲି କହିବା ଅଧିକ ଠିକ୍ ହେବ । ଭାରତ ଭଳି ବିରାଟ ଭୁଖଣ୍ଡରେ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ଆବଶ୍ୟକ ପଦକ୍ଷେପ ନେଇ ସାମାଜିକ ଦୁରତ୍ୱ ରକ୍ଷା ସହ ଖୋଲା ଯିବା ଏବଂ ଶିକ୍ଷା ପ୍ରଦାନ ଆରମ୍ଭ କରିବା ଆବଶ୍ୟକ । ତା’ ନହେଲେ ଚଳିତ ବର୍ଷ ପରୀକ୍ଷା କେବେ ହେବ ଓ କେତେ ପାସ୍ କରିବେ ତାହା ଆମେ କହିନପାରିଲେ ମଧ୍ୟ ଆଗାମୀ ବର୍ଷ ଅତି କମ୍ରେ ୩୦ ପ୍ରତିଶତ ଛାତ୍ରଛାତ୍ରୀ ସ୍କୁଲ ଓ କଲେଜ ଡ୍ରପଆଉଟ୍ ହୋଇ ସବୁଦିନ ଲାଗି ପାଠରେ ଡୋରି ବାନ୍ଧିବା ଅସମ୍ଭବ ନୁହେଁ ।

Leave A Reply

Your email address will not be published.

13 − five =