ଶ୍ରୀମନ୍ଦିରକୁ ବର୍ଷ ବର୍ଷ ଧରି ଏକାଧିକ ପିଢ଼ିର ବଂଶଧର ଯେପରି ଦେଖିଆସିଛନ୍ତି, ସେଥିରେ ପ୍ରଥମ ଥର ଲାଗି ଗତ କେଇବର୍ଷ ଧରି ପରିବର୍ତନ ଘଟିଛି । ବଡ଼ଦାଣ୍ଡରେ ଯେପରିଭାବେ ପୂର୍ବରୁ ଦୋକାନ ଗୁଡ଼ିକ କୌଣସି ଦିଗଦିଶା ନମାନି ସବୁଠାରେ ରହିଥିଲା ଏବଂ ଭକ୍ତମାନେ ଶ୍ରୀମନ୍ଦିରକୁ ଯିବା କ୍ରମଶଃ କାଠିକର ପାଠ ହୋଇପଡୁଥିବାରୁ ଏହି ପ୍ରବେଶ ପଥକୁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ତା ମଧ୍ୟ ଦେଇ ନିୟନ୍ତଣ କରାଯାଉଥିଲା, ଏ ସବୁର ପରିବର୍ତନ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କରିବାଲାଗି ଯେପରି ଯୋଜନାବଦ୍ଧ ଭାବେ ଜିଲ୍ଲାପାଳଙ୍କ ପକ୍ଷରୁ ବ୍ୟବସ୍ଥା ଗ୍ରହଣକରାଗଲା, ତାହା ବାସ୍ତବରେ ପ୍ରଶଂସନୀୟ । ଏବେ ଶ୍ରୀମନ୍ଦିର ଚର୍ତୁଦିଗରେ ରହିଥିବା ମତର ପିଠକୁ ଅକ୍ଷୁନ୍ନ ରଖାଯାଇ, ସବୁ ଦୋକାନ ବଜାର ଓ ମଠ ଆଦି ଭାଙ୍ଗିରୁଜି ସମତୁଲ କରାଯାଇଛି । ନିଶ୍ଚିତଭାବେ ଏହା ଶ୍ରୀମନ୍ଦିରର ଶୋଭାକୁ ଦ୍ୱିଗୁଣିତ ବୃଦ୍ଧି କରିଛି । ଅନ୍ୟ ପକ୍ଷରେ ନିକଟରେ ରାଜ୍ୟ ବାହାରର ଜଣେ ଦାତା ଶ୍ରୀମନ୍ଦିରର ତିନି ପ୍ରମୁଖ କଳାହାଟ ଦ୍ୱାର, ବେହେରଣ ଦ୍ୱାର ଓ ଜୟବିଜୟ ଦ୍ୱାରକୁ ରୂପାଛାଉଣି କରିବା ଲାଗି ଆଗ୍ରପ୍ରକାଶ କରିବାପରେ ଶ୍ରୀମନ୍ଦିର ପ୍ରଶାସନ ଏହି ସମ୍ପର୍କରେ କାର୍ଯ୍ୟ ଆରମ୍ଭ କରିଛନ୍ତି । ଇତିମଧ୍ୟରେ ଏହି ତିନି କବାଟର ମାପ ନିଆଯାଇଛି । ଏଠରେ ପ୍ରାୟ ୧୯୨୦ କେଜି ରୂପା ଲାଗିବ ଯାହାର ଦାମ୍ ୧୪ କୋଟି ଟଙ୍କା ବୋଲି ଆକଳନ କରାଯାଏ । ଏଥିପାଇଁ ଯେଉଁ କବାଟ ତିଆରି ହେବ, ସେଗୁଡିକ ବାବଦ ଓ କାରିଗରଙ୍କ ବାବଦ ମୋଟ୍ ୧୮ରୁ ୨୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି କୁହାଯାଉଛି ।
ତେବେ ଆମର ଏଠାରେ କହିବାର କଥା ହେଲା ଯେ ଶ୍ରୀମନ୍ଦିରର ତିନି ପ୍ରମୁଖ ଦ୍ୱାର ଉପରେ ଯଦି ରୂପା ଛାଉଣିକରାଯାଏ, ତେବେ ନିଶ୍ଚିତ ଭାବେ ଏହା ଅଧିକ ଭକ୍ତଙ୍କୁ ପୁରୀକୁ ଆଣିବା ଲାଗି ଆକର୍ଷିତ କରିବ । ସମାନ୍ୟ ଡେରି ହେଉପଛେ, ରୂପା ଛାଉଣି ଠିକ୍ ଠାକ୍ ଭାବେ ବର୍ମାଟିକ କାଠ ଉପରେ କରାଗଳେ ଏହା ଭବିଷ୍ୟତରେ ପୁରୀକୁ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି କ୍ଷେତ୍ରରେ ଅଧିକ ସହାୟକ ହେବା ସ୍ୱାଭାବିକ । ତା ହୋଇପାରିଲେ, ଶ୍ରୀକ୍ଷେତ୍ରରେ କାରବାର ମଧ୍ୟ ବଢ଼ିବା ସହିତ ସ୍ଥାନୀୟ ବାସିନ୍ଦାମାନେ ଆର୍ଥିକ ଦିଗରୁ ବଳଶାଳି ହେବା ସ୍ୱାଭାବିକ ।