ଓଡ଼ିଶାରେ ଦୀର୍ଘକାଳ ମୁଖ୍ୟମନ୍ତ୍ରୀ ରହିବା ଓ କ୍ଷମତାକୁ ନିରଙ୍କୁଶ ରଖିବା ଏବଂ ଇତିହାସରେ ରହିବା ଭଳି କେତେକ ରାଜ୍ୟ ସ୍ୱାର୍ଥ ଭିତିକ କାର୍ଯ୍ୟକରିବାର ତାଲିକା ଯଦି ପ୍ରସ୍ତୁତ ହୁଏ, ତେବେ କେବଳ ସର୍ବାଧିକ ସମୟ ଶାସନ ଡୋରି ଧରିବାରେ ଏବଂ ଆଉ କେତେକ ଆଖିଦୃଶିଆ ପଦକ୍ଷେପ, ଯାହା ଇତିହାସ ଦୃଷ୍ଟିକୋଣରୁ ଆବଶ୍ୟକ, ତାହା କରି ଦେଖାଇବା କ୍ଷେତ୍ରରେ ଯଦି କାହାର ନାମ ଭବିଷ୍ୟତ ପିଢ଼ି ଚର୍ଚ୍ଚା କରେ, ତେବେ ସେଥିରେ ସର୍ବାଗ୍ରେ ନବୀନ ପଟ୍ଟନାୟକଙ୍କ ନାମ ଆସିବା ସୁନିଶ୍ଚିତ । ସମୟ ଗଡିଚାଲିବା ସହ ରାଜ୍ୟର ଆବଶ୍ୟକତା ଓ ସାମାଜିକ ଚଳଣି ସହିତ ରାଜ୍ୟବାସୀଙ୍କ ମୁଣ୍ଡପିଛା ମାସିକ ହାରାହାରି ଆୟ ଓ ବିପିଏଲ ତାଳିକାରେ ଭିନ୍ନତା ପରିଲକ୍ଷିତ ହେବା ସ୍ୱଭାବିକ । ସେହି ଦୃଷ୍ଟିକୋଣରୁ ଓଡ଼ିଶାରେ ଇତିହାସକୁ ଲକ୍ଷ୍ୟ କଲେ ଆମେ ଦେଖୁ, ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀରେ ମହାମେଘ ବାହାନ ଖାରବେଳ ସେତେବେଳର ‘କଳିଙ୍ଗ’ ଓ ବର୍ତମାନର ଓଡ଼ିଶାକୁ ଶାସନ କରୁଥିଲେ । ସେ ଆଗଙ୍ଗାଗୋଦାବରି ଜୟ କରିଥିବାରୁ ‘କଳିଙ୍ଗା ସାହସିକାଃ’ ବୋଲି କୁହାଯାଇଥାଏ । ଶହଶହ ବର୍ଷ ପରେ ପରାଧିନ ଭାରତ ବର୍ଷରେ ଇଂରେଜ ଶାସନ ଅମଳରେ ଓଡ଼ିଶା ଖଣ୍ଡବିଖଣ୍ଡିତ ହୋଇ ମାଡ୍ରାସ ଓ ପାଟନା (ବିହାର) ଶାସନାଧିନ ରହିଥିଲା । ଓଡ଼ିଶାର ପାଠପଢ଼ିବାକୁ ବିଦେଶ ଯିବା, ଆଇନ ପାଠ ସାରି ଓକିଲ ହେବା, ଭାଷାଭିତିରେ ସ୍ୱତନ୍ତ୍ର ଓଡ଼ିଶା ରାଜ୍ୟ ଦାବି କରିବା କ୍ଷେତ୍ରରେ ପ୍ରଥମ ଓଡ଼ିଆ ପୁଅ ବାରିଷ୍ଟର ମଧୁବାବୁ ଏବଂ ଉକôଳମଣି ଗୋପବନ୍ଧୁ ଦାସ ଥିଲେ ଅନନ୍ୟ ଓ ସେମାନଙ୍କ ପ୍ରଚେଷ୍ଟାରେ ସର୍ବପ୍ରଥମେ ୧୯୩୬ ଏପ୍ରିଲ ୧ରେ ଭାଷାଭିତିକ ଓଡ଼ିଶା ପ୍ରଦେଶ ଗଠନ କରାଯାଇପାରିଲା । ପରର୍ବତୀ ପର୍ଯ୍ୟାୟରେ ଦେଶ ସ୍ୱଧିନ ହେବା ପରେ ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ଥିଲେ ଡ.ହରେକୃଷ୍ଣ ମହତାବ । ସେତେବେଳେ ଗଡ଼ଜାତ ମିଶ୍ରଣ, ହିରାକୁଦ ବନ୍ଧ ଯୋଜନା ଓ ଭୁବନେଶ୍ୱରରେ ରାଜଧାନୀ ନିର୍ମାଣ ନିଷ୍ପତି ଥିଲା ତାଙ୍କର । ପରବର୍ତୀ ସମୟରେ ଏକାଧିକ ମୁଖ୍ୟମନ୍ତ୍ରୀ ହୋଇଥିଲେ ହେଁ ସେଥିରୁ କେବଳ ନବକୃଷ୍ଟ ଚୌଧୁରି ନିଶାନିବାରଣ ନିମିତ ସ୍ୱତନ୍ତ୍ର ଆଇନ କରିଥିଲା ବେଳେ ଜାନକୀବଲଭ ପଟ୍ଟନାୟକ ‘ହଜାର ଦିନରେ ହଜାରେ ଶିଳ୍ପ’ ଉପରେ ସର୍ବାଧିକ ଗୁରୁତ୍ୱ ଆରୋପ କରିଥିଲେ । ସେହିପରି ନନ୍ଦିନୀ ଶତପଥି ଦେଶରେ ଜରୁରି ପରିସ୍ଥିତି ବେଳେ ମୁଖ୍ୟମନ୍ତ୍ରୀ ରହିବା ମଧ୍ୟ ଏକ ଐତିହାସିକ ଘଟଣା । ସ୍ୱଳ୍ପଦିନ ପାଇଁ ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ରହିଥିଲେ ହେଁ ସେ ହିଁ ପାରାଦ୍ୱୀପ ବନ୍ଦର ଓ ରାଜ୍ୟରୁ ଚାଳ ଘର ଉଠାଇ ସମସ୍ତେ ଅତିକମ୍ରେ ଟାଇଲ ଘର କରିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଏହା ବ୍ୟତିତ ବ୍ୟକ୍ତିଗତ ଭାବେ ତାଙ୍କର ସ୍ୱଭାବ ଉଭୟ ଶାସକ ଓ ବିରୋଧି ଦଳ ସହିତ ସାଧାରଣ ବ୍ୟକ୍ତି ବିଶେଷଙ୍କୁ ବିଶେଷ ପ୍ରଭାବିତ କରିଥିଲା ଓ ସର୍ବଭାରତୀୟ ସ୍ତରୀୟ ରାଜନୀତିରେ ସେ ଥିଲେ ବହୁ ପ୍ରଭାବଶାଳୀ । ପରବର୍ତୀ ସମୟରେ ତାଙ୍କ ନାମରେ ୧୯୯୭ ଡିସେମ୍ବରରେ ବିଜୁ ଜନତା ଦଳ ଗଠନ ହେବା ସହ ତାଙ୍କର କନିÂ ପୁତ୍ର ନବୀନ ପଟ୍ଟନାୟକ ଦଳର ମୁଖ୍ୟ ହେବା ସହିତ ପରେ ରାଜ୍ୟର ମୁଖ୍ୟମନ୍ତ୍ରୀ ରହି ଏଥିରେ ରେକର୍ଡ ସୃଷ୍ଟି କରିଛନ୍ତି । ଆଗକୁ ଏହି ରେକର୍ଡ ସେହିଁ ଭାଙ୍ଗିବେ ବୋଲି ଅନେକ ଆଶା କରନ୍ତି । ତେବେ ତାଙ୍କ ସମୟରେ ଦୀର୍ଘ ଦୁଇ ଦଶନ୍ଧି ମଧ୍ୟରେ ରାଜନୀତି କ୍ଷେତ୍ରରେ ନବୀନରୁ ସେ ପ୍ରବୀଣ ହୋଇସାରିଲେଣି । କିନ୍ତୁ ଇତିହାସରେ ତାଙ୍କ କ୍ଷେତ୍ରରେ ଯଦି କୌଣସି ଉଲ୍ଲେଖନୀୟ କାର୍ଯ୍ୟ ସେ କରିଛନ୍ତି ବୋଲି ଆଗାମି ପିଢ଼ି ଜାଣିବାକୁ ଚାହେଁ, ତେବେ ତାହା ହେଲା, ରାଜଧାନୀ ଭୁବନେଶ୍ୱରର ସୌନ୍ଦର୍ଯ୍ୟୀକରଣ । ଯେପରି ଭାବେ ରାଜଧାନୀ ରାସ୍ତାଘାଟ ପ୍ରଶସ୍ତ କରିବାକୁ ପ୍ରଚେଷ୍ଟା ଜାରି ରହିଛି ଓ ବସ୍ତି ଗୁଡ଼ିକୁ ରାଜଧାନୀର ଉପକଣ୍ଠ ଅଂଚଳକୁ ନେବାଲାଗି ଗୁରୁତ୍ୱ ଦିଆଯିବା ସହିତ ସରକାରୀ ଜମିକୁ ଆଗାମୀ ପିଢ଼ି ଲାଗି ସୁରକ୍ଷିତ ରଖିବା ପ୍ରୟାସ ହେଉଛି, ତାହା ସମୟୋପଯୋଗୀ । ଏହା ବ୍ୟତିତ, ରାଜ୍ୟର ବିଭିନ୍ନ ସ୍ଥାନରେ ମେଡିକାଲ କଲେଜ ଖୋଲିବାର ନିରନ୍ତ୍ରର ପ୍ରୟାସ ନବୀନଙ୍କୁ ଓଡ଼ିଶା ଇତିହାସରେ ଉପରେ ରଖିବା ସ୍ୱଭାବିକ । ଏହା ସହିତ ଓଡ଼ିଆ ଜାତି ଓ ସଂସ୍କୃତିର ମୂଳ କେନ୍ଦ୍ର କହିଲେ ଏହା ପୁରୀର ଶ୍ରୀମନ୍ଦିର ଓ ଭୁବନେଶ୍ୱରର ଶ୍ରୀଲିଙ୍ଗରାଜ ମନ୍ଦିର ସମେତ କୋଣାର୍କ ସୂର୍ଯ୍ୟମନ୍ଦିରକୁ ବୁଝାଇଥାଏ । କିନ୍ତୁ ପୁରୀରେ ଯେପରିଭାବେ ଶ୍ରୀମନ୍ଦିର ବିଭିନ୍ନ ଦୋକାନ ବଜାର ଆଢ଼ୁଆଳରେ ଲୁଚି ଯାଇଥିଲା, ତାହା ଏବେ ନବୀନଙ୍କ ପ୍ରୟାସରେ ଏବେ ଅତ୍ୟନ୍ତ ମନମୁଗ୍ଧକର ହୋଇଛି । କେବଳ ସେତିକି ନୁହେଁ, ଭୁବନେଶ୍ୱରରେ ଶ୍ରୀଲିଙ୍ଗରାଜ ମନ୍ଦିର ଚତୁର୍ଦ୍ଧିଗର ସୌନ୍ଦର୍ଯ୍ୟୀକରଣ ପାଇଁ ତାଙ୍କର ପ୍ରଚେଷ୍ଟାକୁ ଇତିହାସ ମନେରଖିବ । ଏବେ ଦେଖିବାର କଥା, ଯେଉଁ ଭବିଷ୍ୟତ ପିଢ଼ି ରାଜନୀତିକୁ ଆସି ରାଜ୍ୟର ଶାସନ ଡେ଼ାର ଧରିବେ, ସେମାନଙ୍କୁ ପୂର୍ବସୁରୀମାନେ କେତେ ପ୍ରଭାବିତ କରିପାରୁଛନ୍ତି । ବିଶେଷତଃ ପ୍ରାକୃତିକ ବିପର୍ଯ୍ୟୟ ବନ୍ୟା, ବାତ୍ୟା, ମରୁଡି ଓ ଅଂଶୁଘାତ ଆଦି ମୁକାବିଲା ପାଇଁ ନବୀନ ଯେତେଗୁଡିଏ ଉଲ୍ଲେଖନୀୟ ପଦକ୍ଷେପ ନେଇଛନ୍ତି, ତାହା ଆଗାମି ପିଢ଼ିକୁ ନିଶ୍ଚିତ ଭାବେ ବାଟ ଦେଖାଇବ ବୋଲି ଆମର ଆଶା ଓ ବିଶ୍ୱାସ ।