ଶ୍ରେଷ୍ଠତା ପ୍ରତିପାଦନର ସୁଯୋଗ ହାତଛଡା ନହେଉ

ଦ୍ୱିତୀୟ ବିଶ୍ୱଯୁଦ୍ଧର ଭୟାବହତା ଏବଂ ମିଳିତ ଜାତିସଂଘର ଗଠନ ପରେ ସାରା ବିଶ୍ୱରେ ଯୁଦ୍ଧକ୍ଷୁଧା କମିଛି ସତ କିନ୍ତୁ ବଡ ବଡ ଧନୀ, ଶକ୍ତିଶାଳୀ ଦେଶ ପ୍ରଭାବ ବିସ୍ତାର କରିବା ଇଛାରୁ ନିଜକୁ ନିବୃତ କରିପାରି ନାହାନ୍ତି । ଜାତିସଂଘ ଗଠନ ପୁର୍ବରୁ କେହି ବଡ ଦେଶ ଯେଭଳି ମନଇଛା ଅନ୍ୟ ଅଞ୍ଚଳ ଉପରେ ଯୋରଜବରଦସ୍ତ ଆକ୍ରମଣ କିମ୍ବା କବଜା କରୁଥିଲେ ତାହା ବହୁମାତ୍ରାରେ କମିଛି ସତ, କିନ୍ତୁ ବିଶ୍ୱ ଆଗରେ ନିଜକୁ ବଡ କରି ଦେଖାଇବାର ଅଭିସ୍ପାରୁ କିନ୍ତୁ ଏହି ତଥାକଥିତ ଶକ୍ତିଶାଳୀ ଦେଶ ନିବୃତ ହୋଇପାରି ନାହାନ୍ତି । ସମ୍ମୁଖ ଯୁଦ୍ଧ ନ ହେଲେ ବି ନିଜକୁ ବଡ ବୋଲି ପ୍ରତିପାଦିତ କରିବା ନେଇ ଆଧୁନିକ ଅଲମ୍ପିକ୍ସ ସତେ ଯେମିତି ବନିଯାଇଛି ଏକ ମାଧ୍ୟମ । ଦୁଇ ବଡ ଶକ୍ତିଶାଳୀ ଦେଶ ଆମେରିକା ଓ ତତ୍‌କାଳୀନ ସୋଭିଏତ୍ ଋଷ ମଧ୍ୟରେ ଏନେଇ ଆରମ୍ଭ ହୋଇଯାଇଥିଲା ପ୍ରତିଯୋଗିତା ଏବଂ ଶୀତଳ ଯୁଦ୍ଧ । ଏହି ଦୁଇ ଦେଶକୁ ସମର୍ଥନ କରିବାକୁ ଯାଇ ସାରା ବିଶ୍ୱ ମଧ୍ୟ ଦୁଇ ଭାଗ ହୋଇଯାଇଥିଲା । ୧୯୮୦ସମିହାରେ ଅନୁଷ୍ଠିତ ମସ୍କୋ ଅଲମ୍ପିକ୍ସରେ ଅନେକ ଦେଶ ଏଥିରେ ଭାଗ ନନେବା ଘଟଣା ବିଶ୍ୱ ଦୁଇ ଭାଗ ହୋଇଥିବା ପ୍ରମାଣିତ ମଧ୍ୟ କରିଥିଲା । ତେବେ ସୋଭିଏତ୍ ଋଷର ବିଲୋପ ପରେ ପରିସ୍ଥିତି ବଦଳିଥିଲେ ବି ପରବର୍ତୀ ସମୟରେ ଅଲମ୍ପିକ୍ସରେ ଅଧିକ ପଦକ ଜିତି ନିଜକୁ ବିଶ୍ୱର ଶ୍ରେଷ୍ଠ, ବଡ, ଶକ୍ତିଶାଳୀ ଦେଶ ପ୍ରତିପାଦିତ କରିବା ଲକ୍ଷ୍ୟରେ ଚୀନର ଜବରଦସ୍ତ ପ୍ରଦର୍ଶନ ଏବେ ପୁଣି ଶୀତଳଯୁଦ୍ଧ ସମ ପରିସ୍ଥିତି ସୃଷ୍ଟି କଲାଣି । ବିଗତ କିଛି ଅଲମ୍ପିକ୍ସରେ ଚୀନର ଆଧିପତ୍ୟ ଆମେରିକା ପାଇଁ କଂଟା ସଦୃସ୍ୟ ହୋଇଛି । କିନ୍ତୁ ସେ ଯାହା ବି ହେଉ ଏକ ସୌହାଦ୍ୟପୁର୍ଣ୍ଣ ପରିବେଶ ମଧ୍ୟରେ ଶାନ୍ତିପୁର୍ଣ୍ଣ ଭାବେ ଅଲମ୍ପିକ୍ସରେ ନିଜ ଶ୍ରେଷ୍ଠତା ପ୍ରତିପାଦନ କିଛି ଖରାପ ନୁହେଁ । ପରିବର୍ତିତ ସମୟରେ କ୍ରୀଡାରେ ଆଜିକାଲି ସଫଳତା ପାଇବା ପଛରେ ଅତ୍ୟାଧୁନିକ ପଦ୍ଧତି ଆପଣେଇବାରେ ଯିଏ ଯେତେ ଆଗୁଆ ସେ ଦେଶରେ ଖେଳାଳୀ ସେତେ ସଫଳତା ସାଉଁଟୁଛନ୍ତି । ବିଗତ କିଛି ଅଲମ୍ପିକ୍ସରେ ଚୀନ ଏହା କରି ଦେଖାଉଛି । ଆଉ ଅଲମ୍ପିକ୍ସରେ ଅଧିକ ପଦକ ହାତେଇ ସେ ଯେ ଅନ୍ୟ ଦେଶଠାରୁ ଢେର ଆଗରେ ଏହି ବାର୍ତା ଛାଡୁଛି । ଏପରି ଏକ ସୁସ୍ଥ ପ୍ରତିଯୋଗିତାରେ ଭାରତ ତାର ସ୍ଥାନ ଠିକ୍ କରିନେବା ଉଚିତ । ଆମେ ସବୁ କ୍ଷେତ୍ରରେ ବିଶ୍ୱକୁ ଟକ୍କର ଦେବାକୁ ସକ୍ଷମ କହୁଥିଲେ ବି ଅଲମ୍ପିକ୍ସ ଖେଳରେ କାହିଁକି ଆଖି ଦୃଶିଆ ସଫଳତା ପାଇପାରୁନେ ତାହା ଯେତିକି ଚିନ୍ତା ଜନକ ଅଧିକ କ୍ଷୋଭର ବିଷୟ । ସବୁ ଅଲମ୍ପିକ୍ସ ଆରମ୍ଭରୁ କ୍ରୀଡା ସଂଗଠନର କର୍ମକର୍ତାଙ୍କଠୁ ଆରମ୍ଭ କରି କ୍ରୀଡାମନ୍ତ୍ରୀ ଯାଏ ଯେଭଳି ଦମ୍ଭୋକ୍ତି ଭରା ଭାଷଣ ଦିଅନ୍ତି ଫଳାଫଳ ଅନ୍ୟକଥା କୁହେ । ବରଂ ଏଥର ଅଲମ୍ପିକ୍ସରେ ଭାରତ ପଦକଶୁନ୍ୟ ରହିବନି ତ ଏଭଳି ଶଙ୍କା ସମସ୍ତଙ୍କୁ ଘାରେ । ଟୋକିଓ ଅଲମ୍ପିକ୍ସରେ ପ୍ରଥମ ଦିନରେ ଭାରୋତୋଳନରେ ମଣିପୁରର ମୀରାବାଇ ଚାନୁ ତାଙ୍କର ଚମକ ଦେଖାଇ ରୌପ୍ୟ ଜିତିବା ଭାରତୀୟଙ୍କୁ ଆଶ୍ୱସ୍ଥ କରିଛି । ଦ୍ୱିତୀୟ ଦିନ ସୁଦ୍ଧା ପଦକ ଆଶା କରାଯାଉଥିବା ଭାରତୀୟ ହକି ବିଜୟରୁ ଅଭିଯାନ ଆରମ୍ଭ କରିବା ହେଉ କିମ୍ବା ବ୍ୟାଡମିଂଟନରେ ପି.ଭି ସିନ୍ଧୁ, ଟେନିସରେ ସୁମିତ ନାଗାଲ ପ୍ରମୁଖ ପ୍ରଥମ ରାଉଣ୍ଡରେ ଜିତିବା ଖୁସି ଆଣି ଦେଇଛି । କିନ୍ତୁ ପ୍ରଶ୍ନ ଉଠୁଛି କ’ଣ ଏହା ଯଥେଷ୍ଟ । ୧୪୦ କୋଟି ଜନସଂଖ୍ୟା ବିଶିଷ୍ଟ ଭାରତ ଭଳି ଦେଶର ଅଲମ୍ପିକ୍ସରେ ଏ ଦୟନୀୟ ଅବସ୍ଥା କାହିଁକି । କାହାକୁ ଏଥିପାଇଁ ଦାୟୀ କରିବା । ସତରେ କ’ଣ ଅର୍ଥ ଆଧୁନିକ ପ୍ରଶିକ୍ଷଣ ଆଦିର ଅଭାବ ନା ଇଛାଶକ୍ତିର ଅଭାବ । ଅନ୍ତତଃ ବିଶ୍ୱ ଆଗରେ ନିଜକୁ ଶ୍ରେଷ୍ଠ ପ୍ରତିପାଦନ କରିବାକୁ ୪ ବର୍ଷରେ ଆସୁଥିବା ଏ ସୁଯୋଗକୁ କିଭଳି ବିନିଯୋଗ କରାଯିବ ଚିନ୍ତନ ଜରୁରୀ ।

Leave A Reply

Your email address will not be published.

19 − 15 =