ସେବାର ମାନ ବୃଦ୍ଧି ଓ କରୋନା

ମଣିଷ ସମାଜ କାହିଁ କେଉଁ ଅନନ୍ତକାଳରୁ ଚାଲିଆସିଛି । ବଣ, ପର୍ବତ, ପାହାଡ଼ ଓ ଗୁମ୍ଫା ଆଦିର ଜୀବନକୁ ଅତିକ୍ରମ କରି ଏବେ ସେ ହାଇଟେକ୍ ଯୁଗରେ ପଂହଁଚିଛି । ପ୍ରତି ସ୍ତରରେ ମଣିଷର ବିକାଶ ଘଟିଛି । ଏହି ବିକାଶ କହିଲେ, କିଏ କ’ଣ ବୁଝେ, ତାହା ବୁଝିବା ମୁସ୍କିଲ । କିନ୍ତୁ ସାଧାରଣ ଭାବେ ବିକାଶ ସହିତ ମଣିଷର ମୌଳିକ ସମସ୍ୟାଗୁଡ଼ିକ ଜଡ଼ିତ । ଯେତେ ମୌଳିକ ସମସ୍ୟାଗୁଡ଼ିକର ସମାଧାନ ଯେତେ ଶୀଘ୍ର ହୋଇପାରିଲା, ସେତେ ବିକାଶ ସମ୍ଭବ । ତଦ୍ୱାରା ମାନବ ସମାଜ ଆଗକୁ ଚିନ୍ତା କରିପାରିବ, ଦେଖିପାରିବ ଏବଂ ଆଗେଇ ପାରିବ । ଭାରତବର୍ଷ କଥା କହିଲେ ଏବଂ ଏହି ଦେଶର ବିଭିନ୍ନ ରାଜ୍ୟ କଥା କହିଲେ ସ୍ୱାଧୀନତା ପାଇବାର ୭୦ ବର୍ଷକୁ ଅନୁଧ୍ୟାନ କରାଯାଇପାରେ । ଏଥିରେ ସାରା ଦେଶ ଯଥେଷ୍ଟ ଆଗେଇଛି । ଆମେ ଖାଦ୍ୟଶସ୍ୟ ଉତ୍ପାଦନରେ ସ୍ୱାବଲମ୍ବୀ ହୋଇଛୁ । ଆଣବିକ ଅସ୍ତ୍ରଶସ୍ତ୍ରର ମାଲିକ ପାଲଟିଛୁ । ଠିକ୍ ସେହିପରି ରାଜ୍ୟ ସ୍ତରରେ ଯଦି ବିକାଶର ଅନୁଶୀଳନ କରାଯାଏ, ଆଜିର ଦିନରେ ଓଡ଼ିଶାକୁ ଦେଖିଲେ ଖୁସି ଲାଗେ । ବିଗତ ଦୁଇ ଦଶନ୍ଧି ଧରି ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବା ପରେ ବିକାଶକୁ ସେ ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି । ରାଜନୀତିରେ ‘ନବୀନ’ ଥିବା ନବୀନ ଯେ ସାଧାରଣ ଲୋକଙ୍କ ସମସ୍ୟାକୁ ଏତେ ଗୁରୁତ୍ୱ ଦେଇ ରାଜ୍ୟର ବିକାଶ ସାମଗ୍ରୀକ ଭାବେ କରିପାରିବେ, ତାହା ଏକଦା ଅସମ୍ଭବ ମନେ ହେଉଥିବା ବେଳେ ଏବେ ରାଜ୍ୟ ଇତିହାସରେ ସେ ବିକାଶକୁ ନେଇ ଅଗ୍ରଗଣ୍ୟ ନେତା ଭାବେ ପରିଚିତ । ରାଜ୍ୟର ବିକାଶ କଥା କହିଲେ, ଏହା ନବୀନକୁ ଛାଡ଼ି ଆଲୋଚନା କରାଯାଇ ନପାରେ । ତାହା ଶ୍ରୀକ୍ଷେତ୍ର ହେଉ ବା ସ୍ୱାସ୍ଥ୍ୟସେବା ହେଉ କିମ୍ବା ପରିବହନ ହେଉ ଅଥବା ରାଜପଥ ହେଉ, ସବୁଥିରେ ତାଙ୍କ ପ୍ରଦତ୍ତ ‘୫-ଟି’ ମନ୍ତ୍ର କାର୍ଯ୍ୟରତ । କାଁ ଭାଁ ଏହାର ବିନିଯୋଗ ଠିକ୍ ଭାବେ ନହେବା କଥା ଯଦି କେହି କହେ, ତାହାକୁ ତାଙ୍କର ଦୋଷ ବୋଲି କୁହାଯାଇ ନପାରେ । ଉଦାହରଣ ସ୍ୱରୂପ ସେ ସ୍ୱାସ୍ଥ୍ୟସେବାରେ ଉତ୍ତମ କାର୍ଯ୍ୟ ପାଇଁ ଡାକ୍ତରଙ୍କୁ ୧୦ ଲକ୍ଷ ଓ ଅସ୍ଥାୟୀ କର୍ମ·ରୀଙ୍କ ସମେତ ସବୁ କର୍ମ·ରୀଙ୍କ ମଧ୍ୟରୁ ଭଲ କାର୍ଯ୍ୟ କରିଥିବା କର୍ମ·ରୀଙ୍କୁ ୫ଲକ୍ଷ ଟଙ୍କା ବୋନସ ଓ ବିଦେଶ ଭ୍ରମଣ ସୁବିଧା ଦିଆଯିବ ବୋଲି ଘୋଷଣା କରିଛନ୍ତି । ଏହା ବାସ୍ତବରେ ରାଜ୍ୟର ସ୍ୱାସ୍ଥ୍ୟସେବାକୁ ଆଉ ପାଦେ ଆଗେଇ ନେବା ସ୍ୱାଭାବିକ । କଥାରେ ଅଛି ରାଜ୍ୟର ପାପ ଏକଶ୍ସତାଂଶ ରାଜା ମୁଣ୍ଡରେ ଯାଏ । ସେହି ନୀତିରେ ଯଦି ରାଜ୍ୟର ବିକାଶ କଥା ଆଲୋଚନା କରାଯାଏ, ତେବେ ବୋଧହୁଏ ରାଜ୍ୟର ପୁଣ୍ୟ ନବୀନଙ୍କ ମୁଣ୍ଡରେ ଯାଉଛି, ଯେଉଁଥିପାଇଁ କ୍ରମାଗତ ଭାବେ ୫ଥର ସେ ନିର୍ବିବାଦୀୟ ନେତା ଓ ମୁଖ୍ୟମନ୍ତ୍ରୀ ହୋଇଆସିଛନ୍ତି । କେବଳ ସେତିକି ନୁହେଁ ସାରା ବିଶ୍ୱରେ ଏବେ ଚହଳ ପକାଇଥିବା କରୋନା ମହାମରୀ ମୁକାବିଲା ପାଇଁ ଦେଶ ଭିତରେ ସର୍ବପ୍ରଥମେ ଓଡ଼ିଶାରୁ ସେ ପ୍ରୟାସ ଆରମ୍ଭ କରିଥିଲେ ଏବଂ ଅଦ୍ୟାବଧି ସେ ତା ଜାରି ରଖିଛନ୍ତି । କରୋନା ପଜେଟିଭ ସଂଖ୍ୟା ଏବଂ ମୃତୁ୍ୟ ସଂଖ୍ୟା ରାଜ୍ୟରେ ବଢିଥିଲେ ହେଁ ଅନ୍ୟ ରାଜ୍ୟ ଗୁଡ଼ିକ ତୁଳନାରେ ଆମ ରାଜ୍ୟ ଏବେ ବି ପଛରେ ରହିଛି । ମଙ୍ଗଳବାର ସୁଦ୍ଧା ରାଜ୍ୟରେ ମୋଟ ମୃତୁ୍ୟ ସଂଖ୍ୟା ୭୪ ଏବଂ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪ ହଜାର ୨୮୦ ରହିଛି ଯାହା ମହାରାଷ୍ଟ୍ର ଓ ତାମିଲନାଡୁ ତୁଳନାରେ ବହୁତ କମ୍ । ଓଡ଼ିଶାରେ ମଧ୍ୟ କୋଭିଟ ପଜେଟିଭ ରୋଗୀ ଭଲ ହେଉଥିବା ସଂଖ୍ୟା ମଧ୍ୟ ୯୮୬୪, ଯାହା ମନ୍ଦନୁହେ ବୋଲି କୁହାଯାଇପାରେ । ଯଦିଓ ଓଡ଼ିଶାରେ ଅନେକ ଜିଲ୍ଲାକୁ ଏହା ବ୍ୟପିବା ଆରମ୍ଭ କରିଛି, କିନ୍ତୁ ମୁଖ୍ୟମନ୍ତ୍ରୀ ମହାମାରୀକୁ ଦୁରେଇ ଦେବା ଲାଗି ସବୁ ପ୍ରକାର ଉଦ୍ୟମ ଜାରି ରଖିଛନ୍ତି । ତେଣୁ ସ୍ୱାସ୍ଥ୍ୟ ବିଭାଗରେ ଯଦି ସେବାର ମାନ ଅଧିକ ବୃଦ୍ଧି ପାଇ ପାରନ୍ତା ଏବଂ ହସ୍ପିଟାଲରେ ଡାକ୍ତରଙ୍କ ଠାରୁ ଆରମ୍ଭ କରି ସଫେଇ କର୍ମଚାରୀ ପର୍ଯ୍ୟନ୍ତ ସମସ୍ତେ ନିଜ ନିଜର କାର୍ଯ୍ୟକୁ ସଫଳତାର ସହ ତୁଲାଇପାରନ୍ତେ ତେବେ କରୋନାର ସଠିକ୍ ମୁକାବିଲା କରାଯାଇ ପାରନ୍ତା । ଏବେ ପ୍ରାୟତଃ ଏକ ସପ୍ତାହ ଧରି ଦୈନିକ ପଜେଟିଭ ସଂଖ୍ୟା ୫୦୦ ଟପୁଛି ।ପ୍ରାୟତଃ ଦିନେ ଛଡା ଦିନେ ବା ପ୍ରତି ଦିନ ଏବେ କରୋନାରେ ଆକ୍ରାନ୍ତ କୌଣସି ବ୍ୟକ୍ତି ବା ଏକାଧିକ ବ୍ୟକ୍ତିଙ୍କ ମୃତୁ୍ୟ ଘଟୁଥିବାରୁ ସାମୁହିକ ସଂକ୍ରମଣ ଆଶଙ୍କା ସୃଷ୍ଟି ହେଉଛି । ଆଗକୁ ଦେଖିବାର କଥା, କ’ଣ ହେଉଛି?

Leave A Reply

Your email address will not be published.

one × one =