ସେବାର ମାନ ବୃଦ୍ଧି ଜରୁରୀ

ମଣିଷ ସମାଜ କାହିଁ କେଉଁ ଅନନ୍ତକାଳରୁ ଚାଲିଆସିଛି । ବଣ, ପର୍ବତ, ପାହାଡ଼ ଓ ଗୁମ୍ଫା ଆଦିର ଜୀବନକୁ ଅତିକ୍ରମ କରି ଏବେ ସେ ହାଇଟେକ୍ ଯୁଗରେ ପହଂଚିଛି । ପ୍ରତି ସ୍ତରରେ ମଣିଷର ବିକାଶ ଘଟିଛି । ଏହି ବିକାଶ କହିଲେ, କିଏ କ’ଣ ବୁଝେ, ତାହା ବୁଝିବା ମୁସ୍କିଲ । କିନ୍ତୁ ସାଧାରଣ ଭାବେ ବିକାଶ ସହିତ ମଣିଷର ମୌଳିକ ସମସ୍ୟାଗୁଡ଼ିକ ଜଡ଼ିତ । ଯେତେ ମୌଳିକ ସମସ୍ୟାଗୁଡ଼ିକର ସମାଧାନ ଯେତେ ଶୀଘ୍ର ହୋଇପାରିଲା, ସେତେ ବିକାଶ ସମ୍ଭବ । ତଦ୍ୱାରା ମାନବ ସମାଜ ଆଗକୁ ଚିନ୍ତା କରିପାରିବ, ଦେଖିପାରିବ ଏବଂ ଆଗେଇ ପାରିବ । ଭାରତବର୍ଷ କଥା କହିଲେ ଏବଂ ଏହି ଦେଶର ବିଭିନ୍ନ ରାଜ୍ୟ କଥା କହିଲେ ସ୍ୱାଧୀନତା ପାଇବାର ୭୦ ବର୍ଷକୁ ଅନୁଧ୍ୟାନ କରାଯାଇପାରେ । ଏଥିରେ ସାରା ଦେଶ ଯଥେଷ୍ଟ ଆଗେଇଛି । ଆମେ ଖାଦ୍ୟଶସ୍ୟ ଉତ୍ପାଦନରେ ସ୍ୱାବଲମ୍ବୀ ହୋଇଛୁ । ଆଣବିକ ଅସ୍ତ୍ରଶସ୍ତ୍ରର ମାଲିକ ପାଲଟିଛୁ । ଠିକ୍ ସେହିପରି ରାଜ୍ୟ ସ୍ତରରେ ଯଦି ବିକାଶର ଅନୁଶୀଳନ କରାଯାଏ, ଆଜିର ଦିନରେ ଓଡ଼ିଶାକୁ ଦେଖିଲେ ଖୁସି ଲାଗେ । ବିଗତ ଦୁଇ ଦଶନ୍ଧି ଧରି ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବା ପରେ ବିକାଶକୁ ସେ ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି । ରାଜନୀତିରେ ‘ନବୀନ’ ଥିବା ନବୀନ ଯେ ସାଧାରଣ ଲୋକଙ୍କ ସମସ୍ୟାକୁ ଏତେ ଗୁରୁତ୍ୱ ଦେଇ ରାଜ୍ୟର ବିକାଶ ସାମଗ୍ରୀକ ଭାବେ କରିପାରିବେ, ତାହା ଏକଦା ଅସମ୍ଭବ ମନେ ହେଉଥିବା ବେଳେ ଏବେ ରାଜ୍ୟ ଇତିହାସରେ ସେ ବିକାଶକୁ ନେଇ ଅଗ୍ରଗଣ୍ୟ ନେତା ଭାବେ ପରିଚିତ । ରାଜ୍ୟର ବିକାଶ କଥା କହିଲେ, ଏହା ନବୀନକୁ ଛାଡ଼ି ଆଲୋଚନା କରାଯାଇନପାରେ । ତାହା ଶ୍ରୀକ୍ଷେତ୍ର ହେଉ ବା ସ୍ୱାସ୍ଥ୍ୟସେବା ହେଉ କିମ୍ବା ପରିବହନ ହେଉ ଅଥବା ରାଜପଥ ହେଉ, ସବୁଥିରେ ତାଙ୍କ ପ୍ରଦତ୍ତ ‘୫-ଟି’ ମନ୍ତ୍ର କାର୍ଯ୍ୟରତ । କାଁ ଭାଁ ଏହାର ବିନିଯୋଗ ଠିକ୍ ଭାବେ ନହେବା କଥା ଯଦି କେହି କହେ, ତାହାକୁ ତାଙ୍କର ଦୋଷ ବୋଲି କୁହାଯାଇ ନପାରେ । ଉଦାହରଣସ୍ୱରୂପ ସଦ୍ୟ ସେ ସ୍ୱାସ୍ଥ୍ୟସେବାରେ ଉତ୍ତମ କାର୍ଯ୍ୟ ପାଇଁ ଡାକ୍ତରଙ୍କୁ ୧୦ ଲକ୍ଷ ଓ ଅସ୍ଥାୟୀ କର୍ମଚାରୀଙ୍କ ସମେତ ସବୁ କର୍ମଚାରୀଙ୍କ ମଧ୍ୟରୁ ଭଲ କାର୍ଯ୍ୟ କରିଥିବା କର୍ମଚାରୀଙ୍କୁ ୫ଲକ୍ଷ ଟଙ୍କା ବୋନସ ଓ ବିଦେଶ ଭ୍ରମଣ ସୁବିଧା ଦିଆଯିବ ବୋଲି ଘୋଷଣା କରିଛନ୍ତି । ଏହା ବାସ୍ତବରେ ରାଜ୍ୟର ସ୍ୱାସ୍ଥ୍ୟସେବାକୁ ଆଉ ପାଦେ ଆଗେଇ ନେବା ସ୍ୱାଭାବିକ । କଥାରେ ଅଛି ରାଜ୍ୟର ପାପ ଏକଷଷଷ୍ଠନ୍ସ ରାଜା ମୁଣ୍ଡରେ ଯାଏ । ସେହି ନୀତିରେ ଯଦି ରାଜ୍ୟର ବିକାଶ କଥା ଆଲୋଚନା କରାଯାଏ, ତେବେ ବୋଧହୁଏ ରାଜ୍ୟର ପୁଣ୍ୟ ନବୀନଙ୍କ ମୁଣ୍ଡରେ ଯାଉଛି, ଯେଉଁଥିପାଇଁ କ୍ରମାଗତ ଭାବେ ୫ଥର ସେ ନିର୍ବିବାଦୀୟ ନେତା ଓ ମୁଖ୍ୟମନ୍ତ୍ରୀ ହୋଇଆସିଛନ୍ତି ଓ ଏହାକୁ ନେଇ ସବୁ ଦଳ ମାନସମନ୍ଥନ କରିବା ଉଚିତ ।

Leave A Reply

Your email address will not be published.

4 × 3 =