ହାଜତ୍ ମୃତ୍ୟୁ

ସମ୍ପ୍ରତି ସାରା ରାଜ୍ୟ ହାଜତ୍ ମୃତ୍ୟୁ ଘଟଣାକୁ ନେଇ କମ୍ପୁଛି । ପୁରୀ ସହର ଓ ସୁନ୍ଦରଗଡ଼ର ଜିଲ୍ଲାର ବିରମିତ୍ରପୁର ଥାନାରେ ଏପରି ଘଟଣା ଘଟିବା ପରେ ଏହାକୁ ନେଇ ବିଧାନସଭାର ଶୀତକାଳିନ ଅଧିବେଶନରେ କମ୍ପନ ସୃଷ୍ଟି ହୋଇଥିବା ଅନୁଭୁତ ହୋଇଛି । ଦୁଇଟି ଭିନ୍ନ ଭିନ୍ନ ଘଟଣାରେ ହାଜତରେ ଥିବା ଅଭିଯୁକ୍ତମାନଙ୍କ ମୃତ୍ୟୁ ଘଟିଥିଲା ବେଳେ ଶୁକ୍ରବାର ରାତିରେ ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ଏଥିନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବିରମିତ୍ରପୁର ଥାନା ଆଇଆଇସି ସ୍ମୁତିପ୍ରଭା ପ୍ରଧାନକୁ ନିଲମ୍ବିତ କରାଯାଇଥିଲା ବେଳେ ପୁରୀ ଘଟଣାରେ ଜିଲ୍ଲାର ଏସ୍ପି ଅଖିଳେଶ୍ୱର ସିଂଙ୍କୁ ପୋଲିସ ମୁଖ୍ୟ କାର୍ଯ୍ୟାଳୟରେ ଅବସ୍ଥାପିତ କରାଯାଇଛି ଓ ତାଙ୍କ ଜାଗାରେ ସମ୍ବଲପୁର ଏସ୍ପି କନୱର ବିଶାଲ ସିଂଙ୍କୁ ନିଯୁକ୍ତି ମିଳିଛି । ଏହା ବ୍ୟତିତ ପୁରୀ ବାସେଳିସାହି ଥାନା ଏସ୍ଆଇ ବିଳ୍ପବ କୁମାର ପ୍ରଧାନ ଓ କନଷ୍ଟେବଳ ଦ୍ୱୟ ଜଗନ୍ନାଥ ସ୍ୱାଇଁ ଓ ବାବୁଲି ବେହେରାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି । ଏହି ହାଜତ୍ ମୃତ୍ୟୁ ଘଟଣା ମେଇ ଜାତୀୟ ମାନବାଧିକାର ଆୟୋଗ ମଧ୍ୟ ରାଜ୍ୟ ମୁଖ୍ୟଶାଷନ ସଚିବ ଓ ପୋଲିସ ମହାନିର୍ଦେଶକଙ୍କଠାରୁ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ତଲବ କରିଛନ୍ତି । ଅନ୍ୟପକ୍ଷରେ, ପୁରୀ ହାଜତ୍ ମୃତ୍ୟୁ ମାମଲାରେ ହାଇକୋର୍ଟ ମଧ୍ୟ ଏ ସମ୍ପର୍କିତ ବିସ୍ତୃତ ବିବରଣୀ ଦାଖଲ କରିବାକୁ ରାଜ୍ୟସରକାରଙ୍କୁ ନିର୍ଦେଶ ଦେଇଛନ୍ତି । ଇତିମଧ୍ୟରେ ବିଧାନସଭାର ଶୀତକାଳିନ ଅଧିବେଶନର ପ୍ରଥମ ଦିନ ବିରୋଧି ବିଜେପି ଓ କଂଗ୍ରେସ ପକ୍ଷରୁ ପୁରୀ ହାଜତ୍ ତ୍ମୃତ୍ୟୁ ଘଟଣା ଲାଗି ପୋଲିସ କର୍ମଚାରୀଙ୍କ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ଏପରିକି ଏଥିଲାଗି ଗୃହ ଏକାଧିକବାର ମୁଲତବି ରହିବା ସହି ବାରମ୍ବାର ବିରୋଧି ସଦସ୍ୟମାନେ ଗୃହର ମଧ୍ୟ ଭାଗକୁ ଆସି ସରକାରୀ ବିରୋଧି ସ୍ଲୋଗାନ ଦେବାରୁ ଗୃହକାର୍ଯ୍ୟ ବ୍ୟାହତ ହେବା ଯୋଗୁ ଶନିବାର ପର୍ଯ୍ୟନ୍ତ ଗୃହକୁ ମୁଲତବି ରଖାଯାଇଥିଲା । ଅନ୍ୟପଟେ ଉଭୟ ପୁରୀ ଓ ବିରମିତ୍ରପୁର ହାଜତ୍ ତ୍ମୃତ୍ୟୁତ୍କୁ ନେଇ ରାଜ୍ୟ ମାନବାଧିକାର ଆୟୋଗଙ୍କ ନିକଟରେ ଅଭିଯୋଗ କରାଯାଇଥିବା ପ୍ରକାଶ ହାଇକୋର୍ଟରେ ଆଗତ ଜନସ୍ୱାର୍ଥ ମାମଳାର ଶୁଣାଣୀ ସୋମବାରକୁ ଧାର୍ଯ୍ୟ ହୋଇଛି । ତେବେ ଏଠାରେ ଆମର କହିବାର କଥା ହେଲା ଯେ, ବାସେଲି ସାହି ଘଟଣାରେ କେ ରମେଶଙ୍କୁ ପୋଲିସ ପିଟି ପିଟି ମାରିଦେଇଥିବା ଅଭିଯୋଗର ତିବ୍ର ପ୍ରତିକ୍ରିୟାର ଜ୍ୱଳନ କମିନଥିଲା ବେଳେ ପୁଣି ପୁରୀ ହାଜତରେ ୫ ଜଣ ଅଭିଯୁକ୍ତଙ୍କୁ ପୋଲିସ ଏକ ସପ୍ତାହ ଧରି ମାଡ଼ମାର କ୍ଷତାକ୍ତ କରିବା ସହିତ ନିମାପଡ଼ା ଜେଲ୍କୁ ପଠାଇଥିଲା ବେଳେ ଜେଲ୍ କର୍ତୁପକ୍ଷ ନରଖିବାରୁ ସେମାନଙ୍କୁ କଟକ ବଡ଼ମେଡିକାଲ ପଠାଯାଇଥିବା ଗଣମାଧ୍ୟମରେ ପ୍ରକାଶ ପାଇଛି, ଯାହା ଅତ୍ୟନ୍ତ ଗୁରୁତର ବୋଲି କୁହାଯାଇପାରେ । ସୂଚନାଯୋଗ୍ୟ, ବିରମିତ୍ରପୁର ପୋଲିସ ହାଜତରେ କରବୋଲା ରୋଡର ତାରିକ ସଲିମ୍ଙ୍କ ତ୍ମୃତ୍ୟୁ ହୋଇଥିବା ଅଭିଯୋଗକୁ ନେଇ ବିଧାନସଭାରେ ଓ ବାହାରେ ବିଜେପି ଓ କଂଗ୍ରେସ ହଟ୍ଟଗୋଳ ଓ ଆନ୍ଦୋଳନ କରୁଛନ୍ତି । ତେବେ ଏହା କୁହାଯାଇପାରେ ଯେ, ଗଣତନ୍ତ୍ରର ମୂଳ କଥାଟିହେଲା, ଏହା ଜନସାଧାରଣଙ୍କର, ଜନସାଧାରଣଙ୍କ ଦ୍ୱାରା ଏବଂ ଜନସାଧାରଣଙ୍କ ପାଇଁ ଉଦ୍ଧିଷ୍ଟ ବୋଲି ପ୍ରମୁଖ ଗଣତନ୍ତ୍ର ପ୍ରବକ୍ତା ଆବ୍ରାହମ ଲିଙ୍କନ କହିଯାଇଛନ୍ତି, ଯାହା ଅକ୍ଷରେ ଅକ୍ଷରେ ସତ୍ୟ ବୋଲି କୁହାଯାଇପାରେ । ସେପରି ସ୍ଥଳେ ଦୋଷୀକୁ ପୋଲିସ ଧରିବା ସହିତ ଦୋଷର ପ୍ରମାଣ ଖୋଜିବା ନିତ୍ୟାନ୍ତ ଆବଶ୍ୟକ । କିନ୍ତୁ ସେଥିଲାଗି ଥାର୍ଡ ଡିଗ୍ରୀ ମେଥଡ ବା ଶାରୀରିକ ନିର୍ଯାତନା ଦେବା ସର୍ବଦା ଅନୁଚିତ । ଏପରି ହେଲେ ଏବଂ ଏହି ଅଭ୍ୟାସ ବଢ଼ିଲେ ‘ଡେମୋକ୍ରାସି’ କେତେବେଳେ ସମସ୍ତଙ୍କ ଅଗୋଚରରେ ‘ଡେମୋନକ୍ରାସି’ରେ ପରିଣତ ହେବା ଏବଂ ଏହା ଦେଶର ଶାସନ ବ୍ୟବସ୍ତା ସମେତ ଜନସାଧାରଣଙ୍କୁ ନକରାତ୍ମକ ଢ଼ଙ୍ଗରେ ପ୍ରଭାବିତ କରିବା ଅସମ୍ଭବ ନୁହେଁ । ଏହା ଜ୍ୱଳନ୍ତ ଉଦାହରଣ ହେଉଛି ଆମର ପଡୋଶୀ ରାଷ୍ଟ୍ର ପାକିସ୍ତାନ । ଗଣତନ୍ତ୍ର ଭାରତବର୍ଷରେ ଅତି ଦୃଢ଼ ସ୍ଥିତିରେ ରହିଛି ବୋଲି ସାଧାରଣ ଜନତାଙ୍କ ବିକାଶ ଏବଂ ସେମାନେ ସ୍ୱାଧୀନ ମତ ପୋଷଣ କରିବା ସହିତ ଭୁଲ୍କୁ ଦର୍ଶାଇବା ସମ୍ଭବପର ହୋଇପାରୁଛି । ଭାରତ ଏକ ଜନବହୁଳ ରାଷ୍ଟ୍ର ହୋଇଥିବାରୁ ଏଠାରେ ଦୋଷୀକୁ ଧରିବା ଯେତିକି ଆବଶ୍ୟକ; ତାହା ସହିତ ଅମାନବୀୟ ଆଚରଣ ପ୍ରଦର୍ଶିତ ନହେବା ଉଚିତ । ସେପରି ହେଲେ ଗଣତନ୍ତ୍ର ଠିକ୍ ଭାବେ କାର୍ଯ୍ୟକରିବ ବୋଲି ଦୃଢ଼ତାର ସହ କୁହାଯାଇପାରେ ।

Leave A Reply

Your email address will not be published.

one × 3 =