ୟୁପିରେ ଚାଲିଛି କ’ଣ?

ଉତରପ୍ରଦେଶରେ କ’ଣ ଚାଲିଛି? ଏହା ଗୋଟିଏ ଛୋଟିଆ ପ୍ରଶ୍ନ ନୁହେଁ । ଏହି ପ୍ରଶ୍ନ ମଧ୍ୟ କେବଳ ୟୁପି ପାଇଁ କୁହାଯାଉଛି ବୋଲି କେହି ଭାବିବା ଅନୁଚିତ । ଏହି ରାଜ୍ୟରେ କ୍ରମାଗତ ଭାବେ ବିଭିନ୍ନ ରାଜନୈତିକ ଦଳ କ୍ଷମତାର ଥିଲା ବେଳେ; ଏପରିକି ବର୍ତମାନର ବିଜେପି ସରକାର ବେଳେ କେଉଁଠି ନା କେଉଁଠି ନାରୀଜାତିକୁ ପ୍ରକାଶ୍ୟରେ ଅପମାନିତ କରାଯାଉଛି କହିଲେ ତା ମଧ୍ୟ ଯଥେଷ୍ଟ ହେବନାହିଁ । ଜାତୀୟ ରାଜପଥ ଉପରେ ଗଣବଳତ୍କାର ଓ ହତ୍ୟା ଉଦ୍ୟମ ସମେତ ବିଭିନ୍ନ ସ୍ଥାନରେ ମହିଳା ବିରୋଧି ହିଂସାକାଣ୍ଡ ଘଟୁଥିଲା ଦୈନନ୍ଦିନ ଅଭ୍ୟାସରେ ପରିଣତ ହୋଇଥିଲା ବେଳେ କିଛି ରାଜନୈତିକ ନେତା ଓ ପୋଲିସର ସାଧୁତାବିହୀନ ସମର୍ଥନ ଏହି ସମସ୍ୟାକୁ ଚର୍ତୁଗୁଣ ବୃଦ୍ଧି କରିଛି । କେବଳ ସେତିକି ନୁହେଁ, ଏହି ଗଣତାନ୍ତ୍ରିକ ଦେଶରେ ବିରୋଧିଦଳର ନେତାମାନଙ୍କୁ ଏପରି ପିଡିତାଙ୍କୁ ଭେଟିବା ପାଇଁ ପୋଲିସ ମନାକରିଥିଲା ବେଳେ ଶାସକ ବିଜେପି ଦଳର ବରିଷ୍ଟ ନେତ୍ରୀ ଉମା ଭାରତୀ ଏକ ବିବୃତିରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେଇ ରାଜନେତା ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ପୀଡିତାଙ୍କ ପରିବାର ସଦସ୍ୟକୁ ଭେଟିବାଲାଗି ଅନୁମତି ଦେବାକୁ କହିଛନ୍ତି । ଅବଶ୍ୟ ୟୁପିର ହାଥରସ୍ ଗଣବଳତ୍କାର ଓ ହତ୍ୟା ଘଟଣାକୁ ଦିଲ୍ଲୀରେ ଜୋରଦାର ବିରୋଧ କରାଯାଇଥିଲା ବେଳେ ୟୁପି ସରକାର ଏସପି, ଡିଏସପି ଓ ଇନିସପେକ୍ଟରକୁ ନିଲମ୍ବନ କରିଛନ୍ତି । ତେବେ ଏଠାରେ ଆମର କହିବାର କଥା ହେଲା ଯେ କେବଳ କେତେକ ପୋଲିସ ବା ପ୍ରଶାସନିକ ଅଫିସରଙ୍କୁ ନିଲମ୍ବନ କରିଦେଲେ ଗଣବଳତ୍କାର ଓ ହତ୍ୟାକାଣ୍ଡ ସଂଖ୍ୟା ହ୍ରାସ ପାଇବବୋଲି ଯଦି ୟୁପି ରାଜ୍ୟସରକାର ଭାବୁଥାନ୍ତି, ତେବେ ତାହା ଠିକ୍ ବୋଲି କୁହାଯାଇପାରିବ ନାହିଁ । ସମାଜରେ ନାରୀମାନଙ୍କ ପ୍ରତି ଯେଉଁ ହିଂସା ଆଚରଣ ଦେଖାଇବାକୁ କେତେକ ଅସାମାଜିକ ଚରିତ୍ରର ବ୍ୟକ୍ତି ଆଗଭର ହେଉଛନ୍ତି, ପ୍ରଥମେ ତାହା ବନ୍ଦ ହେବା ଉଚିତ । ସେପରି କରିବାକୁ ହେଲେ ଉଭୟ ସାମାଜିକ ଓ ପ୍ରଶାସନିକ ସ୍ତରରେ ଏବଂ ଗୋଇନ୍ଦା ବିଭାଗରେ ଏହି ମହିଳା ହିଂସାକୁ ସମର୍ଥନ କରୁଥିବା ଚିତ୍ର ଓ ଚରିତ୍ରମାନଙ୍କୁ ଧରିବା ସହିତ ଆଇନ ଅନୁଯାୟୀ ସେମାନଙ୍କ ବିରୋଧରେ ଶକ୍ତ କାର୍ଯାନୁଷ୍ଠାନ ହେବାର ଆବଶ୍ୟକତା ଅଧିକ ରହିଛି ।

Leave A Reply

Your email address will not be published.

5 × one =