ମୁମ୍ବଇ: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍ସିବି) ପକ୍ଷରୁ ହାଜର ହେବା ପାଇଁ ସମନ ଜାରି ହେବା ପରଠାରୁ ଗତ ତିନି ଦିନ ହେଲା ଅଭିନେତ୍ରୀ ଦୀପିକା ପାଡୁକୋନ୍ଙ୍କ ମ୍ୟାନେଜର କରିଶ୍ମା ପ୍ରକାଶଙ୍କର ଖୋଜ୍ ଖବର ମିଳୁ ନାହିଁ। ତାଙ୍କୁ ଠାବ କରିବା ପାଇଁ ଏନ୍ସିବି ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଥିଲେ ମଧ୍ୟ ସଫଳତା ପାଇ ନାହିଁ। ଗତ ମଙ୍ଗଳବାର କରିଶ୍ମାଙ୍କର ବେର୍ଷାବାସ୍ଥିତ ବାସଭବନର ଚଢ଼ଉ କରାଯାଇଥିଲା ଓ ୧ଗ୍ରାମ ୭୦ ମିଲିଗ୍ରାମ ନିଷିଦ୍ଧ ମାଦକଦ୍ରବ୍ୟ ଜବତ ହୋଇଥିଲା। ଏଥିସହିତ ସେ ବଲିଉଡ୍ରେ ଚାଲିଥିବା ବେଆଇନ ମାଦକଦ୍ରବ୍ୟ କାରବାର ସହିତ ସମ୍ପୃକ୍ତ ଥିବା ପ୍ରମାଣିତ ହୋଇଥିଲା। ଏଥିସହିତ ପାଡୁକୋନ୍ଙ୍କ ସହିତ ମାଦକଦ୍ରବ୍ୟ ଯୋଗାଣ ସମ୍ପର୍କିତ ହ୍ବାଟ୍ସ ଆପ୍ ବାର୍ତ୍ତାଳାପ ମଧ୍ୟ ଧରାପଡ଼ିଥିଲା। ଏହି ପରିପ୍ରେକ୍ଷୀରେ ଅଧିକ ପଚରାଉଚୁରା ପାଇଁ କରିଶ୍ମାଙ୍କୁ ସମନ କରାଯାଇଥିଲେ ମଧ୍ୟ ସେ ହାଜର ହେବା ପରିବର୍ତ୍ତେ ନିଖୋଜ ଅଛନ୍ତି। ସେ ଧରାପଡ଼ିବା ପରେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏନ୍ସିବି ପକ୍ଷରୁ କୁହାଯାଇଛି। ଗତ ମାସରେ ଦୀପିକା ଓ କରିଶ୍ମାଙ୍କୁ ଏନ୍ସିବି ଜେରା କରିଥିଲା।