ଦାରିଦ୍ର୍ୟ କବଳରେ ୧୦ କୋଟି ଶ୍ରମିକ : ବେକାରୀ ଛୁଇଁବ ୨୦ କୋଟି

ଜାତିସଂଘ: କରୋନା ମହାମାରୀ ୧୦ କୋଟିରୁ ଅଧିକ ଶ୍ରମିକଙ୍କୁ ଦାରିଦ୍ର୍ୟ ମଧ୍ୟକୁ ଠେଲି ଦେଇଛି ବୋଲି ଜାତିସଂଘର ସଂସ୍ଥା ଆନ୍ତର୍ଜାତିକ ଶ୍ରମିକ ସଂଗଠନ (ଆଇଏଲ୍‌ଓ) ପକ୍ଷରୁ ଏସଂପର୍କରେ ଏକ ରିପୋର୍ଟ ପ୍ରକାଶ ପାଇଛି । ରିପୋର୍ଟରେ ଆକଳନ କରାଯାଇଛି ଯେ ମହାମାରୀ ଯୋଗୁଁ ଶ୍ରମ ବଜାରରେ ଯେଉଁ ସ୍ଥିତି ସୃଷ୍ଟି ହୋଇଛି ସେଥିରେ ୨୦୨୩ ପର୍ଯ୍ୟନ୍ତ ସୁଧାର ହେବାର ସମ୍ଭାବନା କମ୍ ।
ଆଇଏଲ୍‌ଓ ଏହାର ରିପୋର୍ଟରେ କହିଛି ଯେ ଚଳିତ ବର୍ଷ ଶେଷ ସୁଦ୍ଧା ୨୩ ନିୟୁତ ନିଯୁକ୍ତିର ଅଭାବ ଦେଖାଦେବ । କୋଭିଡ୍ ମହାମାରୀ କେବଳ ଏକ ସ୍ୱାସ୍ଥ୍ୟ ସଙ୍କଟ ନୁହେଁ, ଏହା ଶ୍ରମ ଓ ମାନବ ସଙ୍କଟ ମଧ୍ୟ ବୋଲି ଆଇଏଲ୍‌ଓର ମୁଖ୍ୟ ଗାଏ ରାଇଡର୍ କହିଛନ୍ତି । ଗୁଣାତ୍ମକ କାର୍ଯ୍ୟ ସୃଷ୍ଟି କରିବା ଲାଗି ଯଦି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାନଯିବ ଓ ସମାଜର ଦୁର୍ବଳ ବର୍ଗଙ୍କୁ ସହାୟତା ଦିଆନଯିବ ତେବେ ମହାମାରୀର ପ୍ରଭାବ ଆମ ସହିତ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ରହିବ । ଦାରିଦ୍ର୍ୟ ଓ ଅସମାନତା ବୃଦ୍ଧି ପାଇବ । ୨୦୧୯ରେ ସାରା ବିଶ୍ୱରେ ବେକାରିଙ୍କ ସଂଖ୍ୟା ୧୮.୭ କୋଟି ଥିଲା । ୨୦୨୨ରେ ଏହି ସଂଖ୍ୟା ୨୦.୫ କୋଟିରେ ପହଞ୍ଚିବ ବୋଲି ଆଇଏଲ୍‌ଓ ଆକଳନ କରିଛି । ମହାମାରୀ ସ୍ଥିତି ନିୟନ୍ତ୍ରଣରେ ରହିଲେ ୨୦୨୧ ଦ୍ୱିତୀୟ ଭାଗ ସୁଦ୍ଧା ନିଯୁକ୍ତି କ୍ଷେତ୍ରରେ ସୁଧାର ଅସିପାରେ । ଟିକାକରଣ ଆଶାନୁରୂପ ରହିନଥିବାରୁ ସ୍ଥିତି ସୁଧୁରିବନି । ବର୍ତ୍ତମାନ ସୁଦ୍ଧା ୭୫% କୋଭିଡ୍ ଟିକା କେବଳ ୧୦ଟି ରାଷ୍ଟ୍ରକୁ ମିଳିଛି । ନିଯୁକ୍ତି କ୍ଷେତ୍ରରେ ହେବାକୁ ଥିବା ସୁଧାର ପଥରେ ଏହା ଏକ ପ୍ରତିବନ୍ଧକ ବୋଲି କୁହାଯାଉଛି ।
ଲୋକମାନଙ୍କୁ କାମ ମିଳିନଥିବାରୁ ସେମାନଙ୍କ ଆୟ ହ୍ରାସ ପାଇଛି । ତେଣୁ ସେମାନେ ଦାରିଦ୍ର୍ୟ ମଧ୍ୟକୁ ଠେଲି ହୋଇଯାଇଛନ୍ତି । ୨୦୧୯ ତୁଳନାରେ ଏବେ ୧୦.୮ କୋଟି ଅଧିକ ଶ୍ରମିକ ଗରିବ କିମ୍ବା ଅତି ଗରିବ ଶ୍ରେଣୀରେ ସାମିଲ ହୋଇଛନ୍ତି । ଆଇଏଲ୍‌ଓର ମୁଖ୍ୟ ଶ୍ରୀ ରାଇଡର କହିଛନ୍ତି ଯେ ଦାରିଦ୍ର‌୍ୟ ଦୂରୀକରଣ ଲାଗି ପାଞ୍ଚ ବର୍ଷ ଭିତରେ ଯେଉଁ ଲାଭ ମିଳିଥିଲା ତାହା ପ୍ରଭାବହୀନ ହୋଇଯାଇଛି । ମହାମାରୀର ପ୍ରଭାବ ସମ୍ବେଦନଶୀଳ ବର୍ଗ ଉପରେ ଅଧିକ ପଡ଼ିଛି । ଅଣ ସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ୨୦୦ କୋଟି ଲୋକ ଯେଉଁମାନଙ୍କ ପାଇଁ କେ?ଣସି ପ୍ରକାର ସାମାଜିକ ସୁରକ୍ଷା ବ୍ୟବସ୍ଥା ନାହିଁ ସେମାନଙ୍କ ଜୀବନଜୀବିକା ଓ ପରିବାର ଉପରେ ମହାମାରୀର ଗୁରୁତର ପ୍ରଭାବ ପଡ଼ିଛି ।
ପୁରୁଷଙ୍କ ତୁଳନାରେ ମହିଳାମାନଙ୍କୁ କରୋନା ଅଧିକ ପ୍ରଭାବିତ କରିଛି । ଅନେକ ମହିଳା କର୍ମକ୍ଷେତ୍ରରୁ ବାହାରି ଯାଇଛନ୍ତି । ଯୁବପିଢ଼ି ମଧ୍ୟ ନିଯୁକ୍ତି ହରାଇଛନ୍ତି । ଗତବର୍ଷ ୮.୭% ହାରରେ ଯୁବପିଢ଼ି ନିଯୁକ୍ତି ହରାଇଛନ୍ତି । ବୟସ୍କଙ୍କ ବର୍ଗରେ ଏହି ହାର ଅପେକ୍ଷାକୃତ କମ୍ ୩.୭% ରହିଛି । ଗୁଣାତ୍ମକ କାର୍ଯ୍ୟ ନ ଫେରିବା ପର୍ଯ୍ୟନ୍ତ ବାସ୍ତବ ସୁଧାର ହୋଇପାରିବ ନାହିଁ ବୋଲି ରାଇର୍ଡ କହିଛନ୍ତି ।

Leave A Reply

Your email address will not be published.

7 − 5 =