ପ୍ଲାଷ୍ଟିକ ବୋତଲ ବାନ୍ଧି ସମୁଦ୍ର ବାଟେ ସ୍ପେନ ପହଂଚିଲା ମରକ୍କୋ ବାଳକ

ଋାବା: ନିଜ ଦେହସାରା ପ୍ଲାଷ୍ଟିକ ବୋତଲ ବାନ୍ଧି ତାହା ସାହାଯ୍ୟରେ ସମୁଦ୍ରରେ ପହଁରି ପହଁରି ସ୍ପେନ ସୀମାନ୍ତରେ ପହଂଚିଥିବା ମରକ୍କୋର ଜଣେ ବାଳକ ଫଟୋ ଏବେ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ଓ ଚର୍ଚ୍ଚିତ ହୋଇଛି । ୟୁରୋପରେ ପ୍ରବେଶ କରିବା ଲକ୍ଷ୍ୟରେ ବାଳକ ଜଣକ ନିଜ ଜୀବନକୁ ବାଜି ଲଗାଇ ସମୁଦ୍ରରେ ଦୀର୍ଘପଥ ପ୍ଲାଷ୍ଟକ ବୋତଲକୁ ଧରି ପହଁରିଥିବା ସମୟରେ ବାଳକ ଜଣକ କାନ୍ଦି କାନ୍ଦି କହିଥିଲେ, ସେ ମରିଯିବେ ପଛେ ଆଉ ମରକ୍କୋ ଫେରିବେ ନାହିଁ । ତାଙ୍କର ଏହି କଥା ସମସ୍ତଙ୍କ ହୃଦୟକୁ ଚହଲାଇଦେବା ଭଳି ହୋଇଛି । ଏକ ଗାଢ଼ ରଙ୍ଗର ଟି ସାର୍ଟ ପରିହିତ ବାଳକ ଜଣକର ଶରୀର ଚାରିପଟେ ପ୍ଲାଷ୍ଟିକ ବୋତଲ ବନ୍ଧାଯାଇଥିବା ବେଳେ ସେ କାନ୍ଦୁଥିଲେ । ପହଁରି ପହଁରି ସେ ସିଉଟା ଉପକୂଳରେ ପହଂଚିଥିଲେ, ଯାହା ସ୍ପେନ ଅଧୀନରେ ଉତର ଆଫ୍ରିକାରେ ଥିବା ଅଂଚଳ । କୂଳରେ ଲାଗିବାମାତ୍ରେ ତାଙ୍କୁ ସୈନ୍ୟମାନେ ନିଜ ଦେଶକୁ ଫେରାଇ ନଦେବାକୁ ଆକୁଳ ନିବେଦନ କରିଥିଲେ । ରାଚିଡ ମହମ୍ମଦ ନାମକ ଜଣେ ସୈନ୍ୟ କହିଛନ୍ତି ଯେ ଏଭଳି କମ୍ ବୟସର ଜଣେ ବାଳକ ମୁହଁରୁ ସେ ଏଭଳି କଥା କେବେ ଶୁଣିନଥିଲେ ।
ସଂପୃକ୍ତ ବାଳକକୁ ଏବେ ଦୁଇ ଦେଶ ମଧ୍ୟବର୍ତୀ ଏକ ନିରାପତା ସ୍ଥଳରେ ରଖାଯାଇଛି । ସେଠାରେ ପୂର୍ବରୁ ପ୍ରାୟ ୮ ହଜାର ଦେଶାଟନକାରୀ ଅଛନ୍ତି, ଯେଉଁମାନେ ୟୁରୋପକୁ ପ୍ରବେଶ କରି ଏକ ନୂଆ ଜୀବନ ଆରମ୍ଭ କରିବା ଅପେକ୍ଷାରେ ରହିଛନ୍ତି । ସେମାନଙ୍କ ମଧ୍ୟରୁ ସମସ୍ତେ ମରକ୍କୋରୁ ପହଁରି ପହଁରି ଆସିବା ସମୟରେ ସୈନ୍ୟଙ୍କ ହାତରେ ଧରାପଡିଛନ୍ତି । ତେବେ ଏହା ୟୁରୋପ ପାଇଁ ଏକ ସଙ୍କଟଜନକ ସ୍ଥିତି ସୃଷ୍ଟି କରିବାକୁ ଯାଉଛି ବୋଲି ସ୍ପେନ କହିଛି ।

Leave A Reply

Your email address will not be published.

nine + 7 =