ଲଣ୍ଡନ: ମୁଁ ସରଳ ଜୀବନଯାପନ କରେ । ମୁଁ ଜଣେ ମାରଥନ୍ ଧାବକ । କେବେ ଜୀବନରେ ମଦ ପିଇନାହିଁ କିମ୍ବା ଧୂମପାନ କରିନାହିଁ । ଜନ୍ମରୁ ମୁଁ ଶାକାହାରୀ । ମୋ ଜୀବନ ଅତ୍ୟନ୍ତ ବିଳାସପୂର୍ଣ୍ଣ ବୋଲି ଯାହା କୁହାଯାଉଛି ତାହା କେବଳ ଭ୍ରମାତ୍ମକ ଆକଳନ ଛଡ଼ା ଆଉ କିଛି ନୁହେଁ ବୋଲି ଋଣ ପାହାଡ଼ ଉପରେ ଠିଆ ହୋଇଥିବା ଶିଳ୍ପପତି ଅନିଲ ଅମ୍ବାନି କହିଛନ୍ତି । ଚୀନ୍ର ତିନିଟି ସରକାରୀ ବ୍ୟାଙ୍କ ଠାରୁ ତାଙ୍କର ବନ୍ଦ ହୋଇଯାଇଥିବା ଟେଲିକମ୍ କଂପାନି ରିଲାଏନ୍ସ କମ୍ୁ୍ୟନିକେସନ୍ ୨୦୧୨ରେ ଋଣ ଆଣିଥିଲା । ସେହି ଋଣ ପରିଶୋଧ ନହେବାରୁ ଅନିଲଙ୍କ ନାମରେ ବ୍ରିଟେନ୍ ହାଇକୋର୍ଟରେ ଚୀନ୍ର ତିନି ବ୍ୟାଙ୍କ ମାମଲା ରୁଜୁ କରିଛନ୍ତି । ସେହି ମାମଲାର ଶୁଣାଣି ବେଳେ ପ୍ରଥମ ଥର ପାଇଁ ଅନିଲ ଭିଡିଓ କନଫରେନ୍ସି ଜରିଆରେ ସାମିଲ ହୋଇଥିଲେ । ଅନିଲ କହିଛନ୍ତି ଚଳିତ ବର୍ଷ ଜାନୁଆରିରୁ ଜୁନ୍ ଭିତରେ ଗହଣା ବିକ୍ରି କରି ସେ ୯.୯ କୋଟି ଟଙ୍କା ଯୋଗାଡ଼ କରିଥିଲେ । ସେହି ଟଙ୍କାକୁ ସେ ଓକିଲଙ୍କ ଫି’ ବାବଦରେ ଦେଇଛନ୍ତି । ଅନେକ ସଂଖ୍ୟକ କାର୍ ରଖିଥିବା ସମ୍ପର୍କରେ ପ୍ରଶ୍ନ ହେବାରୁ ସେ କହିଥିଲେ ଯେ ମୋ ପାଖରେ ମାତ୍ର ଗୋଟିଏ କାର୍ ଅଛି । ଗଣମାଧ୍ୟରେ ବିଭ୍ରାନ୍ତିକର ଖବର ପ୍ରକାଶ ପାଉଛି । ମୋ ପାଖରେ କେବେବି ରୋଲସ୍ ରୟସ୍ କାର୍ ନଥିଲା । ବର୍ତମାନ ମୁଁ କେବଳ ଗୋଟିଏ କାର୍ ବ୍ୟବହାର କରୁଛି । ଏକ ବିଳାସପୂର୍ଣ୍ଣ ସାମଗ୍ରୀ ବିକ୍ରି କରୁଥିବା ଦୋକାନରେ ତାଙ୍କ କ୍ରେଡିଟ୍ କାର୍ଡ ବ୍ୟବହାର ହୋଇଥିବା ସମ୍ପକର୍ରେ କୋର୍ଟ ପ୍ରଶ୍ନ କରିବାକୁ ସେ କହିଥିଲେ ଯେ ସେହି କାର୍ଡକୁ ମୋ ମା’ କୋକିଳାବେନ୍ ଅମ୍ବାନି ବ୍ୟବହାର କରନ୍ତି । ନିଜ ମା’ ଓ ପୁଅ ଠାରୁ ଆଣିଥିବା ୬୬ ନିୟୁତ ଡଲାର ଋଣ ସମ୍ପର୍କରେ ସେ କହିଛନ୍ତି ଯେ ମୁଁ ଏହାର ସର୍ତ ବିଷୟରେ କିଛି କହିପାରିବି ନାହିଁ । ତେବେ ଏହି ଟଙ୍କା ମୋତେ ଉପହାର ସୂତ୍ରରେ ମିଳିନାହିଁ । କୋର୍ଟଙ୍କୁ ସେ କହିଛନ୍ତି ଯେ କିଛି ବର୍ଷ ପୂର୍ବେ ଦେଶର ପ୍ରମୁଖ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ମୋ ନାମ ଥିଲା । ଏବେ ମୋ ପାଖରେ ୧,୧୦,୦୦୦ ଡଲାର ମୂଲ୍ୟର ମାତ୍ର ଗୋଟିଏ । ପେଂଟିଙ୍ଗ ଅଛି । ଅନିଲଙ୍କ ପ୍ରବକ୍ତା କହିଛନ୍ତି ଯେ ସେ ଅତ୍ୟନ୍ତ ସାଧାସିଧା ଜୀବନ ଅତିବାହିତ କରୁଥିବା ଜଣେ ବ୍ୟକ୍ତି । ସହରରେ ବୁଲିବା ବଦଳରେ ଘରେ ପିଲାମାନଙ୍କ ସହିତ ବସି ସିନେମା ଦେଖିବାକୁ ଅଧିକ ପସନ୍ଦ କରନ୍ତି । ସେ କୌଣସି ପ୍ରକାରର ନିଶାଦ୍ରବ୍ୟ ସେବନ କରନ୍ତି ନାହିଁ ।