ଜେଲରେ ମହିଳା କଏଦୀଙ୍କ ଆତ୍ମହତ୍ୟା

ବଡ଼ବିଲ: କେନ୍ଦୁଝର ଜିଲ୍ଲା ବଡ଼ବିଲ ଉପକାରାଗାରରେ ଶୁକ୍ରବାର ଜଣେ ବିଚାରାଧୀନ ମହିଳା କଏଦୀ ଆତ୍ମହତ୍ୟା କରିଛନ୍ତି । ଉପକାଗାରର ମହିଳା ୱାର୍ଡ ପଛପଟେ ଥିବା ଏକ ଶିଶୁ ଗଛରେ ପିନ୍ଧା ଶାଢ଼ି ସାହାର୍ଯ୍ୟରେ ବେକରେ ଫାଶି ଲଗାଇ ସେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ମୃତକ ହେଲେ ଯୋଡ଼ା ଥାନା ଲହଣ୍ଡା ମୁଣ୍ଡା ସାହି ଅଂଚଳର ସବିତା ମୁଣ୍ଡା (୨୫) ଗତ ୧ ତାରିଖରେ ମଧ୍ୟ ସେ ଜେଲରେ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ବଡ଼ବିଲ ସରକାରୀ ଡକ୍ତରଖାନାରେ ଚିକିତ୍ସିତ ହୋଇ ଜେଲ୍କୁ ଫେରିଥିବା ବେଳେ ଶୁକ୍ରବାର ଜେଲ୍ ଭିତରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ବଡ଼ବିଲ ସିଭିଲ୍ ଜଳ ତଥା ଜେଏମ୍ଏଫସି ପତିତପାବନ ପଣ୍ଡା, ତହସିଲଦାର ତଥା ଏକଜିକୁ୍ୟଟିଭ୍ ମାଜିଷ୍ଟ୍ରେଟ କ୍ଷୀରୋଦ କୁମାର ବେହେରା, ଏସ୍ଡ଼ିପିଓ ସତ୍ୟ ବିକାଶ ଭୂଆଁ, ଆଇଆଇସି ସୁଶାନ୍ତ ଦାଶ ପ୍ରମୁଖ ଜେଲ୍ରେ ପହଂଚି ମୃତଦେହ ଉଦ୍ଧାର କରିଥିଲେ । ଏନେଇ ବଡ଼ବିଲ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ସହ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହ ବ୍ୟବଚ୍ଛେଦ କରାଯାଇଛି । ଏ ସମ୍ପର୍କରେ ଜେଲ୍ ସୁପରିଂଟେଣ୍ଡଂଟ ସୁଧାଂଶୁ ଶେଖର ବେଉରାଙ୍କୁ ପଚାରିବାରୁ ପୂର୍ବରୁ ଏହି ମହିଳା କଏଦୀ ଜଣକ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଶୁକ୍ରବାର ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ପୋଲିସ ଘଟଣାର ତଦନ୍ତ କରୁଛି ବୋଲି କହିଥିଲେ । ଉଲ୍ଲେଖଯୋଗ୍ୟ ଯେ, ଡାହାଣୀ ସନ୍ଦେହରେ ସବିତା ତାଙ୍କ ସମ୍ପର୍କୀୟ ଶାଶୁ ବୁଦୁନୀ ମୁଣ୍ଡାଙ୍କୁ ଏକ ଦାଇଲି ସାହାଯ୍ୟରେ ହତ୍ୟା କରି ବଡ଼ବିଲ ଥାନା ଅଧୀନ ବଳିତା ଗାଁ ପାଖ ଜଙ୍ଗଲରେ ପୋଡି ଦେଇଥିଲେ । ବଡ଼ବିଲ ପୋଲିସ ଜଙ୍ଗଲରୁ ବୁଦୁନୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରି ସବିତାଙ୍କୁ ଗତ ମେ’ ୧୩ରେ ଗିରଫ କରିଥିଲା । ଥାନାରେ ଏକ ହତ୍ୟା ମାମଲା (ନଂ.୭୫/୨୦୨୦)ରୁଜୁ କରି ପୋଲିସ ସବିତାଙ୍କୁ କୋର୍ଟଚାଲାଣ କରିଥିଲା । ସେହିଦିନଠାରୁ ସେ ବଡ଼ବିଲ୍ ଉପକାରାଗାରରେ ବିଚାରାଧିନ ବନ୍ଦୀ ଭାବେ ରହି ଆସୁଥିଲେ ।

Leave A Reply

Your email address will not be published.

12 + fifteen =