ବୁଦ୍ଧଙ୍କ ବାଣୀ ଥିଲା ଦୁଃଖର କାରଣ କାମନା ବା ତୃଷ୍ଣା, କାମନା ବା ତୃଷ୍ଣାକୁ ଜୟ କରିପାରିଲେ ଦୁଃଖର ବିନାଶ ସହ ମୋକ୍ଷପ୍ରାପ୍ତି ସମ୍ଭବ ହୋଇଥାଏ । ବର୍ଷବର୍ଷ ଧରି ବିଭିନ୍ନ ସ୍ଥାନ ଭ୍ରମଣ କରି ସେ ମୋହାନ୍ଧ ମାନବ ସଂପ୍ରଦାୟ ମଧ୍ୟରେ ପ୍ରଚାର କରିଥିଲେ ଶାନ୍ତି ଓ ଜୀବନ୍ମୁକ୍ତିର ବାଣୀ । ପାଟଳିପୁତ୍ର ନଗରୀରକ ଦରିଦ୍ର ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିବା ମୈତ୍ରେୟ ମୋକ୍ଷ ବା ନିର୍ବାଣ ଆଶାରେ ବୌଦ୍ଧଧର୍ମ ଓ ସଂଘର ଆଶ୍ରିତ ହୋଇଥିଲେ, କିନ୍ତୁ ପରବର୍ତ୍ତୀ ସମୟରେ କାମନାର ବଶ୍ୟତା ସ୍ୱୀକାର କରିନେଲେ । ସାଂସାରିକ ବିଷୟ ବାସନାର ମୋହରେ ନାଗରିକ ଜୀବନକୁ ଫେରିଯିବାର ଇଚ୍ଛା ବଳବତୀ ହେଲା ମନ ଭିତରେ । ଏ ନିମନ୍ତେ ତଥାଗତଙ୍କ ଅନୁମତି ଭିକ୍ଷାକଲେ । “କାମନା ଅସଂଯମ ଚିତ୍ତର ପରିପ୍ରକାଶ, କାମନା ଅସତ୍ୟ, ଗୋଟିଏ କାମନାର ପରିତୃପ୍ତିରେ ଉଙ୍କିମାରେ ଆଉ ଏକ କାମନା । ଏହି କାମନାର ଚରିତାର୍ଥ ଭିତରେ ମଣିଷପଣିଆଟିକକ ଜଳିପୋଡ଼ି ନଷ୍ଟ ହୋଇଯାଏ- ଏହାକୁ ଜୟ କରିପାରିଲେ ବୁଦ୍ଧତ୍ୱ ପ୍ରାପ୍ତି, ବୁଦ୍ଧଙ୍କର ଏହି ବାଣୀ କିନ୍ତୁ ଶୁଣିବାକୁ ପ୍ରସ୍ତୁତ ନ ଥିଲେ ମୋହାନ୍ଧ ମୈତ୍ରେୟ । କପିଳବାସ୍ତୁର ରାଜପଥରେ ଏକଦା ଭିକ୍ଷାନ୍ନରେ ଜୀବନ ନିର୍ବାହ କରୁଥିବା, ନିଜକୁ ଜୀବନର ସବୁଠାରୁ ଦୁଃଖୀ ଭାବୁଥିବା ବ୍ରାହ୍ମଣ ସନ୍ତାନ ମୈତ୍ରେୟ ତଥାଗତଙ୍କ ନୂତନ ଦର୍ଶନ (ଦୁଃଖର ବିନାଶ)ରେ ଅନୁପ୍ରାଣିତ ହୋଇ ଯେ ବୌଦ୍ଧଧର୍ମ ଓ ସଂଘର ଆଶ୍ରୟ ନେଇଥିଲେ, ପରମୁହୂର୍ତ୍ତରେ କାମନାବାସନାର ଲେଲିହାନ ଶିଖାରେ ତାହା ଜଳିଗଲା । ବେଶ କିଛି ବର୍ଷ ଅତିବାହିତ ହୋଇଗଲା । ଦିନେ ପାଟଳିପୁତ୍ରର ରାଜରାସ୍ତାରେ ଅଗଣିତ ଭିକ୍ଷୁଙ୍କ ସହ ଯାଉଥାନ୍ତି ତଥାଗତ ବୁଦ୍ଧ । ହଠାତ୍ କେହି ଜଣେ ସମ୍ମୁଖକୁ ଆସି ତାଙ୍କର ପାଦ ଦୁଇଟିକୁ ଜାବୁଡ଼ି ଧରି କ୍ଷମା ମାଗିଲେ ନିଜର କୃତକର୍ମ ନିମନ୍ତେ ।