ଆଇପିଏଲ୍‌ ଆୟୋଜନ ପାଇଁ ପ୍ରସ୍ତୁତି ଚଳାଇଛି ୟୁଏଇ

ଦୁବାଇ : ବିସିସିଆଇ ଆନୁକୂଲ୍ୟରେ ଆୟୋଜିତ ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଚଳିତ ସଂସ୍କରଣ ଆୟୋଜନ ନେଇ ନାନା ମତ ପ୍ରକାଶ ପାଉଛି। ଯଦି ଅଷ୍ଟ୍ରେଲିଆରେ ଅକ୍ଟୋବରରେ ଆୟୋଜିତ ହେବାକୁ ଥିବା ଟ୍ବେଣ୍ଟି୨୦ ବିଶ୍ବକପ୍‌ ସ୍ଥଗିତ ରହେ ତେବେ ସେହି ସମୟରେ ଆଇପିଏଲ୍‌ ଆୟୋଜନ ପାଇଁ ବିସିସିଆଇ ଯୋଜନା ରଖିଛି। ତେବେ ଭାରତରେ କରୋନା ଭୂତାଣୁ ସଂକ୍ରମଣଜନିତ ପରିସ୍ଥିତି ଉଦ୍‌ବେଗଜନକ ରହିଥିବାରୁ ଭାରତରେ ଆଇପିଏଲ୍‌ର ଚଳିତ ସଂସ୍କରଣ ଆୟୋଜନ ସମ୍ଭାବନା ପ୍ରାୟତଃ ନାହିଁ। ତେଣୁ ଆଇପିଏଲ୍‌ର ଚଳିତ ସଂସ୍କରଣ ୟୁଏଇରେ ଆୟୋଜିତ ହେବାର ଆଶା ରହିଛି। ଏପରି ପରିସ୍ଥିତିରେ ଆଇପିଏଲ୍‌ ଆୟୋଜନ ପାଇଁ ୟୁଏଇ କ୍ରିକେଟ୍‌ ଆସୋସିଏସନ୍‌ ପ୍ରସ୍ତୁତି ଚଳାଇଥିବା ଜଣାପଡ଼ିଛି। ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଦୁବାଇ ସ୍ପୋର୍ଟସ୍‌ ସିଟି କ୍ରିକେଟ୍‌ ବିଭାଗ ମୁଖ୍ୟ ସଲମାନ ହନିଫ୍‌ କହିଛନ୍ତି ଆଇପିଏଲ୍‌ ମ୍ୟାଚ୍‌ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡ଼ିୟମ ଏବଂ ଆଇସିସି ଏକାଡେମୀରେ ଆୟୋଜନ ପାଇଁ ପ୍ରସ୍ତୁତ ରହିଛି। କମ୍‌ ସମୟ ମଧ୍ୟରେ ଅଧିକ ମ୍ୟାଚ୍‌ ଖେଳାଯିବା ପାଇଁ ଏହି ଷ୍ଟାଡ଼ିୟମରେ ସୁବିଧା ରହିଛି। ସେହିପରି ଆଇପିଏଲ୍‌ରେ ଖେଳିବା ପାଇଁ ଆସିବାକୁ ଥିବା କ୍ରିକେଟର୍‌, ବିଭିନ୍ନ ଦଳର ପ୍ରଶିକ୍ଷକ ଓ ସପୋର୍ଟ ଷ୍ଟାଫ୍‌ଙ୍କ ରହିବା ନିମନ୍ତେ ଉପଯୁକ୍ତ ବ୍ୟବସ୍ଥା କରାଯାଇଛି। କ୍ରିକେଟର୍‌ଙ୍କ ଅଭ୍ୟାସ ନିମନ୍ତେ ଆଇସିସି ଏକାଡେମୀରେ ସୁବିଧା ରହିଛି। ତେଣୁ ଏଠାରେ ଆଇପିଏଲ୍ ଆୟୋଜନ ନେଇ କୌଣସି ଅସୁବିଧା ନାହିଁ। ସୂୂଚନାଥାଉକି ଆସନ୍ତା ସପ୍ତାହରେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି)ର ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ଟ୍ବେଣ୍ଟି୨୦ ବିଶ୍ବକପ୍‌ ସ୍ଥଗିତ ରହିବା ନେଇ ଘୋଷଣା ହୋଇପାରେ। ସେହିପରି କିଛିଦିନ ତଳେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କହିଥିଲେ ଆଇପିଏଲ୍‌ର ଚଳିତ ସଂସ୍କରଣ ଆୟୋଜନକୁ ବିସିସିଆଇ ପ୍ରାଥମିକତା ଦେଉଛି।

Leave A Reply

Your email address will not be published.

nine + three =