ମାଞ୍ଚେଷ୍ଟର୍ ଟେଷ୍ଟ: ଫଲୋଅନ୍ ଏଡ଼ାଇଲା ଇଣ୍ଡିଜ୍

ମାଞ୍ଚେଷ୍ଟର୍‌: ଇଂଲଣ୍ଡ-ୱେଷ୍ଟଇଣ୍ଡିଜ୍ ଦ୍ବିତୀୟ ଟେଷ୍ଟ୍‌ ନାଟକୀୟ ମୋଡ଼ ନେଇଛି। ଇଂଲଣ୍ଡର ପ୍ରଥମ ପାଳି ୪୬୯/୯ ଜବାବରେ ଚତୁର୍ଥ ଦିନ ଖେଳରେ ଶେଷ ଖବର ମିଳିବା ବେଳକୁ ୱେଷ୍ଟଇଣ୍ଡିଜ୍‌ ୮ ୱିକେଟରେ ୨୮୩ ରନ୍ ସଂଗ୍ରହ କରି ଫଲୋଅନ ଏଡ଼ାଇ ନେଇଛି। ତଥାପି ଭ୍ରମଣକାରୀ ଜାସନ୍‌ ହୋଲଡରଙ୍କ ଦଳ ଏବେ ୧୮୬ ରନ୍‌ ପଛରେ ରହିଛି। ବର୍ଷା କାରଣରୁ ଶନିବାର ତୃତୀୟ ଦିନର ଖେଳକୁ ସମ୍ପୂର୍ଣ୍ଣ ଧୋଇଯାଇଥିଲେ ମଧ୍ୟ ରବିବାର ବିନା ବାଧାରେ ଖେଳ ହୋଇଥିଲା। କ୍ରେଗ୍ ବ୍ରାଥ୍‌ୱେଟ୍‌ ଏବଂ ନାଇଟ୍ ୱାଚ୍‌ମ୍ୟାନ୍‌ ଅଲଜାରି ଯୋସେ‌ଫ୍‌ ଦ୍ବିତୀୟ ୱିକେଟ୍ ପାଇଁ ୫୪ ରନ୍ ଯୋଡ଼ିଥିଲେ। ଯୋସେଫ(୩୨, ୫୨ ବଲ୍‌) ଙ୍କୁ ଓଲି‌ ପୋପ୍‌ଙ୍କ ହାତରେ କ୍ୟାଚ୍‌ କରାଇ ଡୋମିନିକ୍‌ ବେସ୍‌ ଏହି ଭାଗୀଦାରିକୁ ଅଲଗା କରିଥିଲେ। ଏହ‌ା ପରେ ବ୍ରାଥୱେଟଙ୍କ ସହ ଯୋଗ ଦେଇଥିବା ସାଇ ହୋପ୍‌ କ୍ରିଜ୍‌ରେ ଜମିଯିବା ସତ୍ତ୍ବେ ଲମ୍ବା ପାଳି ଖେଳିପାରିନଥିଲେ। ସାଇ ହୋପ୍‌ (୨୫, ୭୧ ବଲ) ଙ୍କୁ  ୱିକେଟ ରକ୍ଷକ ଜୋସ୍ ବଟ୍ଟଲରଙ୍କ ଦ୍ବାରା କ୍ୟାଚ୍‌ କରାଇ ସାମ୍ କରନ୍ ଦ୍ବିତୀୟ ଝଟ୍‌କା ଦେଇଥିଲେ। କରନ୍‌ ଲଗାତାର ଦ୍ବିତୀୟ ଅର୍ଧଶତକ ଭାଗୀଦାରିକୁ ଅଲଗା କରିଥିଲେ। ସାମରା ବ୍ରୁକ୍ସଙ୍କ ସହିତ ମିଶି ଲଗାତାର ତୃତୀୟ ଅର୍ଧଶତକ ଭାଗୀଦାରି (୭୬) କରିବା ପ୍ରାରମ୍ଭିକ ବ୍ୟାଟସମ୍ୟାନ୍‌ କ୍ରେଗ୍ ବ୍ରାଥୱେଟଙ୍କୁ ବେନ୍ ‌ଷ୍ଟୋକ୍ସ ଆଉଟ୍ କରିଥିଲେ। ବ୍ରାଥୱେଟ୍‌ ୧୬୫ ବଲରୁ ୭୫ ରନ୍ କରିଥିବା ବ‌େଳେ ଷ୍ଟୋକ୍ସ ନିଜ୍‌ ବୋଲିଂରେ କ୍ୟାଚ୍‌ ନେଇଥିଲେ। ଚା’ପାନ ବିରତି ପରେ ଅଭିଜ୍ଞ‌ ବୋଲର ଷ୍ଟୁଆର୍ଟ ବ୍ରଡ୍‌ ୧୦ ରନ୍ ଭିତରେ ୩ ୱିକେଟ୍ ନେଇ ଇଂଲଣ୍ଡକୁ ପ୍ରତ୍ୟାବର୍ତନ ପଥକୁ ଆଣିଥିଲେ। ପ୍ରଥମ ଟେଷ୍ଟ୍‌ରେ ନ ଖେଳି ଅସନ୍ତୋଷ ପ୍ରକାଶ କରିଥିବା ବ୍ରଡ୍ ଲଗାତାର ୩ ଓଭରରେ ସାମରା ବ୍ରୁକ୍ସ (୬୮, ୧୩୭ ବଲ), ଜର୍ମାଇନ୍ ବ୍ଲାକଉଡ୍‌ (୦) ଏବଂ ୱିକେଟରକ୍ଷକ ବ୍ୟାଟ୍ସମ୍ୟାନ୍‌ ସନ୍ ଡାଓରିଚ୍ (୦)ଙ୍କୁ ଆଉଟ୍ କରିଥିଲେ। ବ୍ରୁକ୍ସ ଏବଂ ଡାଓରିଚ୍ ଏଲବିଡବ୍‌ଲ୍ୟୁ ହୋଇଥିବା ବେଳେ ବ୍ଲାକଉଡ୍‌ ବୋଲ୍ଡ ହୋଇଯାଇଥିଲେ। ଅଧିନାୟକ ଜାସନ୍ ହୋଲଡର (୨) ଙ୍କୁ କ୍ରିସ୍ ୱକ୍ସ ସ୍ଲିପ୍‌ରେ ଜୋ ରୁଟଙ୍କ ହାତରେ କ୍ୟାଚ୍‌ କରାଇ ଇଣ୍ଡିଜ୍‌କୁ ଆଉ ଏକ ଝଟ୍‌କା ଦେଇଥିଲେ। ପ୍ରଥମ ଟେଷ୍ଟ୍‌କୁ ୱେଷ୍ଟଇଣ୍ଡିଜ୍ ଜିତି ୧-୦ରେ ଆଗୁଆ ଥିବାରୁ ଏବେ କେବଳ ଏହି‌ ‌ଟେଷ୍ଟ୍ ନୁହେଁ ୩ ମ୍ୟାଚ୍‌ ଶୃଙ୍ଖଳାରେ ବି ସୁରକ୍ଷିତ ରହିବାର ସମ୍ଭାବନା ବଢ଼ିଯାଇଛି।

Leave A Reply

Your email address will not be published.

1 × five =