ଚେନ୍ନଇ ସୁପର କିଙ୍ଗ୍‍ସକୁ ଶକ୍ତ ଧକ୍କା : ଆଇପିଏଲ୍‍ରୁ ଓହରିଲେ ହରଭଜନ

ନୂଆଦିଲ୍ଲୀ : ସୁରେଶ ରୈନାଙ୍କ ପରେ ଚେନ୍ନଇ ସୁପର କିଙ୍ଗ୍‍ସ (ସିଏସ୍‍କେ)ର ୨ୟ ଖେଳାଳି ଭାବେ ଆଇପିଏଲ୍‍ର ୧୩ଶ ସଂସ୍କରଣରୁ ଓହରି ଯାଇଛନ୍ତି ବରିଷ୍ଠ ଅଫ୍‍ସ୍ପିନର ହରଭଜନ ସିଂହ। ବ୍ୟକ୍ତିଗତ କାରଣରୁ ଚଳିତବର୍ଷ ୟୁଏଇରେ ହେଉଥିବା ଆଇପିଏଲ୍‍ରେ ସେ ଖେଳିବେ ନାହିଁ ବୋଲି ହରଭଜନ ସ୍ପଷ୍ଟ କରିଛନ୍ତି। ଶୁକ୍ରବାର ସିଏସ୍‍କେ ଦଳ ମ୍ୟାନେଜମେଣ୍ଟକୁ ୪୦ ବର୍ଷ ବୟସ୍କ ହରଭଜନ ତାଙ୍କ ନିଷ୍ପତ୍ତି ଜଣାଇ ଦେଇଛନ୍ତି। ଅଗଷ୍ଟ ୩ୟ ସପ୍ତାହରେ ସିଏସ୍‍କେ ଦଳ ବଳ ସହ ୟୁଏଇ ଯାଇଥିବା ବେଳେ ହରଭଜନ ଯାଇନଥିଲେ। ଅନୁମାନ କରା ଯାଉଥିଲା ଯେ ଅଗଷ୍ଟ ପ୍ରଥମ ସପ୍ତାହରେ ପଞ୍ଜାବର ଏହି ଅଫ୍‍ସ୍ପିନର ୟୁଏଇ ଯାଇ ସିଏସ୍‍କେ ଦଳରେ ଯୋଗଦେବେ। ପୁଣି ୟୁଏଇ ଆସିବା ପୂର୍ବରୁ ଚେନ୍ନଇରେ ଆୟୋଜିତ ସିଏସ୍‍କେର ଅଭ୍ୟାସ ଶିବିରରେ ମଧ୍ୟ ହରଭଜନ ଭାଗ ନେଇନଥିଲେ।
ହରଭଜନ ସିଂହଙ୍କ ପରି ମ୍ୟାଚ୍‍ ବିଜେତା ସ୍ପିନର ଆଇପିଏଲ୍‍ରୁ ଓହରିଯିବା ଚେନ୍ନଇ ସୁପର କିଙ୍ଗ୍‍ସ ପାଇଁ ଶକ୍ତ ଧକ୍କା ହୋଇଛି। ପାରିବାରିକ ସମସ୍ୟା ଯୋଗୁଁ ଆଇପିଏଲ୍‌ରୁ ଓହରି ଯାଇଥିବା ହରଭଜନ କହିଛନ୍ତି। ହରଭଜନ୍ ସିଏସ୍‍କେର ଅନ୍ୟତମ ସଫଳ ବୋଲର। ଆଇପିଏଲ୍‍ରେ ସେ ପ୍ରାୟ ନୂଆ ବଲ୍‍ରେ ବୋଲିଂ କରିବାର ନଜିର ରହିଛି। ହରଭଜନଙ୍କ ଉପରେ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କର ବହୁତ ବିଶ୍ୱାସ ଥିଲା। ତଳ ଅର୍ଡରରେ ହରଭଜନ ଉପଯୋଗୀ ରନ୍‍ ମଧ୍ୟ ସ୍କୋର୍‍ କରୁଥିଲେ। ହରଭଜନ ସିଏସ୍‍କେରୁ ଓହରି ଯାଇଥିଲେ ହେଁ ଏହି ଦଳରେ ଭଲ ସ୍ପିନରମାନେ ଅଛନ୍ତି। ସେମାନେ ହେଲେ ଦକ୍ଷିଣ ଆଫ୍ରିକାର ଇମ୍ରାନ୍‍ ତାହିର, ନ୍ୟୁଜିଲାଣ୍ଡର ମିଚେଲ ସାଣ୍ଟନର, କର୍ଣ୍ଣ ଶର୍ମା, ଆର୍‍. ସାଇ କିଶୋର, କେଦାର ଯାଦବ ପ୍ରଭୃତି। ଗତ ସପ୍ତାହରେ ସିଏସ୍‍କେର ୨ ପ୍ରମୁଖ ଖେଳାଳି ପେସ୍‍ ବୋଲର ଦୀପକ ଚହର ଓ ବ୍ୟାଟ୍‍ସମ୍ୟାନ୍‍ ଋତୁରାଜ ଗାଏକ୍‍ୱାଡ୍‍ଙ୍କ ସହ ମୋଟ ୧୩ ଜଣ କରୋନା ସଂକ୍ରମିତ ହୋଇଥିଲେ। ଏହାର ଦିନକ ପରେ ବ୍ୟକ୍ତିଗତ କାରଣ ଦର୍ଶାଇ ଚେନ୍ନଇ ସୁପର କିଙ୍ଗ୍‍ସର ମଧ୍ୟକ୍ରମରେ ତାରକା ବ୍ୟାଟ୍‍ସମ୍ୟାନ୍‍ ସୁରେଶ ରୈନା ଆଇପିଏଲ୍‍ରୁ ଓହରି ଭାରତ ଚାଲି ଆସିଥିଲେ। କରୋନା ଭୟ ନୁହେଁ; ବରଂ ପାରିବାରିକ ସମସ୍ୟା ଯୋଗୁଁ ସେ ଖେଳୁଥିବା ଏକମାତ୍ର କ୍ରିକେଟ୍‍ ଟୁର୍ଣ୍ଣାମେଣ୍ଟ ଆଇପିଏଲ୍‍ରୁ ଓହରିଯିବାର ନିଷ୍ପତ୍ତି ହରଭଜନ ନେଇଛନ୍ତି। ଫଳରେ ହରଭଜନ ବହୁ କୋଟି ଟଙ୍କାର ପାରିଶ୍ରମିକ ହରାଇବେ। ହରଭଜନ ଓ ସୁରେଶ ରୈନାଙ୍କ ସ୍ଥାନରେ ସିଏସ୍‍କେ ବଦଳ ଖେଳାଳି ନେବ କି ନାହିଁ; ତାହା ଜଣା ପଡ଼ିନାହିଁ।

Leave A Reply

Your email address will not be published.

13 − 2 =