ଅଙ୍ଗନୱାଡି କେନ୍ଦ୍ର ଗୁଡିକର ସ୍ଥାୟୀ ଗୃହ ନିର୍ମାଣ ପାଇଁ ଦାବି


ଭବାନୀପାଟଣା- ସମନ୍ନିତ ଶିଶୁ ବିକାଶ ଯୋଜନାରେ କଳାହାଣ୍ଡି ଜିଲ୍ଲାରେ ଖୋଲାଯାଇଛି ଅଙ୍ଗନୱାଡି କେନ୍ଦ୍ର । ଛୋଟ ଛୋଟଶିଶୁ ମାନଙ୍କୁ ପ୍ରାକ୍ ବିଦ୍ୟାଳୟ ଶିକ୍ଷା, ପୁଷ୍ଟିକର ଖାଦ୍ୟ, ଟିକାକରଣ ଆଦି ସୁବିଧା ଯୋଗାଇଦେବା ଲକ୍ଷ୍ୟରେ ଏହି ଯୋଜନା କାର୍ଯ୍ୟକାରୀ ହେଉଛି । କଳାହାଣ୍ଡି ଜିଲ୍ଲାରେ ଅଙ୍ଗନୱାଡି କେନ୍ଦ୍ର ଓ ମିନିଅଙ୍ଗନ ୱାଡିକେନ୍ଦ୍ର ମିଶି ସମୁଦାୟ ୨୨୬୮ ଗୋଟି କେନ୍ଦ୍ର ରହିଛି । ତେବେ ସେଥିରୁ ଏକ ହଜାର ରୁ ଉଦ୍ଧ୍ୱର୍ ଅଙ୍ଗନୱାଡି କେନ୍ଦ୍ରର ନିଜସ୍ୱ କୋଠାନାହିଁ । ଏହି କେନ୍ଦ୍ର ଗୁଡିକ କେଉଁଠି ଭଡା ଘରେ ବା କେଉଁଠି କାହାର ବାରଣ୍ଡା ତଳେ ତ’ କେଉଁଠି ଗଛମୂଳେ, କେଉଁ ସ୍କୁଲ ବାରଣ୍ଡାରେ ଚାଲିଛି । ବିଶେଷ କରି ଜିଲ୍ଲାର ଥୁ.ରାମପୁର, ଲାଞ୍ଜିଗଡ ଓ ମ.ରାମପୁର ବ୍ଲକର ଦୁର୍ଗମ ଅଞ୍ଚଳଗୁଡିକରେ ଅଙ୍ଗନୱାଡି କେନ୍ଦ୍ର ଗୁଡିକର ଏହି ସମସ୍ୟା ଅଧିକ ରହିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ନିଜସ୍ୱ କୋଠା ନଥିବା କେତେକ କେନ୍ଦ୍ର ନିମନ୍ତେ କୋଠା ନିର୍ମାଣ ପାଇଁ ଅର୍ଥ ଯୋଗାଇଦିଆଯାଇଛି । ତେବେ ବିଭାଗୀୟ ଅବହେଳା ଯୋଗୁଁ ଏହି କେନ୍ଦ୍ର ଗୁଡିକର ନିର୍ମାଣ କାର୍ଯ୍ୟ ବର୍ଷ ବର୍ଷ ଧରି ଶେଷ ହେଉନାହିଁ । ତାହାର ଏକ ଉଦାହରଣ ହେଉଛି ଥୁ.ରାମପୁର ବ୍ଲକ କର୍ଲାପାଟ ପଞ୍ଚାୟତର କୁଆଙ୍ଗ ଗ୍ରାମରେ ଥିବା ଅଙ୍ଗନୱାଡି କେନ୍ଦ୍ର । ଆଜକୁ ୫ ବର୍ଷ ତଳେ ଏହି ଅଙ୍ଗନୱାଡି କେନ୍ଦ୍ର କୋଠା ନିର୍ମାଣ ନିମନ୍ତେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ଏହି ନିର୍ମାଣ କାର୍ଯ୍ୟ ବିଭାଗୀୟ କରାଯାଉଛି । ତେବେ ୫ ବର୍ଷରେ କେବଳ ପ୍ଲିନ୍ଥ ପର୍ଯ୍ୟନ୍ତ ହିଁ ନିର୍ମାଣ କାର୍ଯ୍ୟ ହୋଇଛି । ନିଜସ୍ୱ କୋଠା ନଥିବାରୁ କୁଆଙ୍ଗ ଅଙ୍ଗନୱାଡି କେନ୍ଦ୍ର ଟି ସେହି ଗ୍ରାମର ଜଣେ ସୁହୃଦ ବ୍ୟକ୍ତିଙ୍କ ବାରଣ୍ଡାରେ ଚାଲିଛି । ବିଭାଗୀୟ କାମ ହେଉଥିବା ବେଳେ କାହିଁକି ୫ ବର୍ଷହେଲା ଏହାର ନିର୍ମାଣ ଶେଷ ହେଉନାହିଁ ତାହାର ତଦନ୍ତ ଆବଶ୍ୟକତା ଅଛି । ହୁଏତ ବିଭାଗୀୟ ଅଧିକାରୀ ମାନେ କାଗଜ କଲମରେ ଏହାର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣଦେଖାଇ ଅର୍ଥ ଆତ୍ମସାତ କରିଥାଇ ପାରନ୍ତି ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ଜିଲ୍ଲା ପ୍ରଶାସନ ଏହାର ତଦନ୍ତ କରି ଉଚିତ ପଦକ୍ଷେପନେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

Leave A Reply

Your email address will not be published.

eighteen − 14 =