ଭୁବନେଶ୍ୱର,୮ ।୦୬(ନି.ପ୍ର.): ଦୀର୍ଘ ଅଢେ଼ଇ ମାସ ପରେ ଆଜିଠାରୁ ରାଜ୍ୟରେ ଟ୍ରେନ୍ ଓ ସରକାରୀ ବସ୍ ଚଳାଚଳ ଆରମ୍ଭ ହୋଇଛି । ରାଜ୍ୟ ଭିତରେ ୬ଟି ସ୍ପେଶାଲ ଟ୍ରେନ୍ ଚଳାଚଳ ଆରମ୍ଭ କରିଥିବା ବେଳେ ୬୬ଟି ରୁଟ୍ରେ ସରକାରୀ ବସ୍ ଚଳାଚଳ ଆରମ୍ଭ କରିଛି । ଆଜି ଭୋର ୫ଟା ୧୦ରୁ ରାଉରକେଲାରୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା ଆରମ୍ଭ କରିଛି ଏକ ସ୍ପେଶାଲ ଟ୍ରେନ୍ । ଷ୍ଟେସନ ଛାଡ଼ିବା ପୂର୍ବରୁ ଏହି ଟ୍ରେନ୍କୁ ସାନିଟାଇଜ କରାଯାଇଥିବା ବେଳେ ଏଥିରେ ସାମାଜିକ ଦୂରତା ଓ ସ୍ୱଚ୍ଛତାତ ଅବଲମ୍ବନକୁ ଗୁରୁତ୍ୱ ଦିଆଯାଇଛି ।
ଏହାବ୍ୟତୀତ ଭୁବନେଶ୍ୱରରୁ ବଲାଙ୍ଗିର, ଭଦ୍ରକ, ବ୍ରହ୍ମପୁର, କୋରାପୁଟ ଏବଂ ସମ୍ବଲପୁରରୁ ଖୋର୍ଦ୍ଧା ରୋଡ ଷ୍ଟେସନ ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ଚାଲିବ ।
ଭୁବନେଶ୍ୱର-କୋରାପୁଟ ସ୍ପେଶାଲ ଟ୍ରେନ୍ଟି ସମ୍ବଲପୁର, ଟିଟିଲାଗଡ଼ ଓ ରାୟଗଡ଼ା ଦେଇ ଚଳାଚଳ କରିବ । ଏହି ଟ୍ରେନ୍ଟି ସପ୍ତାହକୁ ୩ ଦିନ ଚଳାଚଳ କରିବ । ଅନ୍ୟ ୫ଟି ସ୍ପେଶାଲ ଟ୍ରେନ୍ କେବଳ ଶନିବାର ଓ ରବିବାରକୁ ଛାଡ଼ି ଅନ୍ୟ ୫ ଦିନ ଯିବା ଆସିବା କରିବ ।
ସ୍ପେଶାଲ ଟ୍ରେନ ପାଇଁ ଟିକେଟ୍ ରିଜର୍ଭେସନ କାଉଂଟର ଓ ଆଇଆରଟିସି ୱେବସାଇଟରୁ ମିଳିବ । କେବଳ କନ୍ଫର୍ମ ଟିକେଟ ଥିବା ଯାତ୍ରୀଙ୍କୁ ଯାତ୍ରା ପାଇଁ ଅନୁମତି ମିଳିବ ବୋଲି ରେଲୱେ ପକ୍ଷରୁ ସୂଚନା ମିଳିଛି ।
ଆଜିଠୁ ରାଜ୍ୟରେ ଗଡ଼ିଲା ସରକାରୀ ବସ୍ । ସକାଳ ୬ଟାରୁ ରାଜ୍ୟରେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ଓଏସ୍ଆର୍ଟିସିର ବସ୍ଗୁଡ଼ିକ ନିଜର ଗନ୍ତବ୍ୟ ପଥରେ ଚଳାଚଳ ଆରମ୍ଭ କରିଛି ।
ରାଜଧାନୀ ଭୁବନେଶ୍ୱରରୁ ୨୨ଟି ସହରକୁ ୯୬ଟି ବସ୍ ଯାତ୍ରା ଆରମ୍ଭ କରିଛି । ଯେତିକି ବସ୍ ସେତିକି ଯାତ୍ରୀଙ୍କୁ ନେଇ ·ଲୁଛି ବସ୍ । ତେବେ ସରକାରଙ୍କ ନିଦେ୍ର୍ଧଶାବଳୀ ଅନୁସାରେ କୌଣସି ଯାତ୍ରୀଙ୍କୁ ଛିଡ଼ା କରି ନିଆଯାଉନାହିଁ । ଜନସାଧାରଣ ଓ ବସ୍ କର୍ମଚାରୀଙ୍କ ସୁରକ୍ଷା ଦୃଷ୍ଟିରୁ ଯାତ୍ରା ବେଳେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।
ଉଲ୍ଲେଖଯୋଗ୍ୟ ଯେ, ଜନଜୀବନକୁ ସ୍ୱାଭାବିକ କରିବା ନିମନ୍ତେ ପୂର୍ବରୁ ଟ୍ରେନ୍, ବିମାନ, ମୋ ବସ୍ ସେବା ଆରମ୍ଭ ହୋଇଥିବା ବେଳେ ଆଜିଠୁ ରାଜ୍ୟର ବିଭିନ୍ନ ପ୍ରାନ୍ତକୁ ସରକାରୀ ବସ୍ ଗଡ଼ିବା ଆରମ୍ଭ ହୋଇଛି ।