ଅବସରପ୍ରାପ୍ତ ସୈନିକ କଲ୍ୟାଣ ସଂଘର ପେନସନ ଅସଙ୍ଗତି ନେଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର
ଚମ୍ପୁଆ : ଚମ୍ପୁଆ ଅଵସରପ୍ରାପ୍ତ ସୈନିକ କଲ୍ୟାଣ ସଂଘର ଏକ ପ୍ରତିନିଧି ମଣ୍ଡଳ ପେନସନ ରେ ଥିବା ଅଂସଗତିକୁ ନେଇ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଆଜି ସ୍ଥାନୀୟ ଉପଜିଲ୍ଲାପାଳ ସୁକାନ୍ତ କୁମାର ମାଝୀଙ୍କୁ ପ୍ରଦାନ କରିଛନ୍ତି । ଜୀବନକୁ ବାଜି ଲଗାଇ ବିଭିନ୍ନ କଠୋର ପରିସ୍ଥିତିରେ ଦେଶପାଇଁ କାର୍ଯ୍ୟ କରି ସାରିଥିବା ସେନା କର୍ମଚାରୀଙ୍କ ପେନସନ ପ୍ରଦାନରେ ଥିବା ଅଂସଗତିକୁ ନେଇ ଏଥିରେ କ୍ଷୋଭ ପ୍ରକାଶ କରାଯାଇଥିଲା ।ଅବସର ପରେ ପରିବାର ପୋଷଣ ସହ ସାମାଜିକ ଜୀବନ ଧାରଣ ପାଇଁ ଗୋଟିଏ ପଦବୀ ଗୋଟିଏ ଭତ୍ତା ନୀତିରେ ଥିବା ବିରୋଧାଭାସକୁ ନେଇ ଦେଶର ସର୍ବୋଚ୍ଚ ସାମରିକ କମାଣ୍ଡର ମହାମହିମ ରାଷ୍ଟ୍ରପତିଙ୍କୁ ଏହି ସ୍ମାରକପତ୍ର ମାଧ୍ୟମରେ ଅବଗତ କରାଯାଇଥିଲା ।ଅବସର କାର୍ଯ୍ୟକାଳ ସମାପ୍ତ ହେବା ପୂର୍ବରୁ ଯେଉଁ ସୈନିକ ମାନେ ସ୍ବେଛାକୃତ ଅବସର ନେଇଥାନ୍ତି,ସେମାନଙ୍କୁ ମଧ୍ୟ ଗୋଟିଏ ପଦବୀ ଗୋଟିଏ ଭତ୍ତା ର ପରିବର୍ଦ୍ଧିତ ଧାରାରେ ପରିବର୍ତ୍ତନ କରି ଉଚିତ ନ୍ୟାୟ ପ୍ରଦାନ କରିବାକୁ ସ୍ମାରକପତ୍ରରେ ଉଲ୍ଲେଖ କରିଥିଲେ ।
ଅବସରପ୍ରାପ୍ତ ସୈନିକ କଲ୍ୟାଣ ସଂଘ ତରଫରୁ ବିନା ମୂଲ୍ୟରେ ସ୍ଥାନୀୟ ଯୁବକ, ଯୁବତୀ ମାନଙ୍କୁ ଫିଟନେସ ଟ୍ରେନିଂ ପ୍ରଦାନ କରି ଉପଯୁକ୍ତ ଭାବେ ଗଢି ତୋଳିବା ପାଇଁ ବ୍ୟବସ୍ଥା କରାଯାଉଥିବା ଉଲ୍ଲେଖ କରିଥିଲେ । ଦେଶରକ୍ଷା ପୋଲିସ ଏବଂ ବିଭିନ୍ନ ସିକ୍ୟୁରିଟି ସଂସ୍ଥାରେ ନିୟୋଜିତ ହେବାପାଇଁ ଆବଶ୍ୟକ ଟ୍ରେନିଂର ସୁବିଧା ନେବା ପାଇଁ ଯୁବପିଢି ଙ୍କୁ ଆକର୍ଷିତ କରୁଛି ଏ ସଂଘ ।ଏ ମହତ ଉଦ୍ଦେଶ୍ୟଟି ପାଇଁ ସ୍ଥାନୀୟ ପ୍ରଶାସନ ଏକ ସରକାରୀ ଯାଗା ଯୋଗାଇ ଦେବାପାଇଁ ଉପଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ। ଏଥି ସହ ସଂଘର ମୃତକ ସଦସ୍ୟଙ୍କ ବିଧବା ପତ୍ନୀ ଓ ପିଲା ମାନଙ୍କୁ ଶିକ୍ଷା, ସ୍ଵାସ୍ଥ୍ୟ ବାବଦରେ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଥିବା ନେଇ ସ୍ପଷ୍ଟ କରିଥିଲେ ।ସଂଘର ସଭାପତି ଚକ୍ରଧର ମହାନ୍ତଙ୍କ ନେତୃତ୍ବରେ ସମ୍ପାଦକ ସୁରେଶ ଚନ୍ଦ୍ର ଗିରି,ଅସିତ ଗିରିଙ୍କ ସମେତ ଅନେକ କର୍ମକର୍ତ୍ତା ଉପସ୍ଥିତ ଥିଲେ ।