ଅମ୍ଫାନ ଉଜାଡ଼ିଲା ଦଳିତ ବିଧବାଙ୍କ ଘର, କଂଗ୍ରେସ ନେତାଙ୍କ ସାହାଯ୍ୟ

ବିଞ୍ଝାରପୁର,୭ ।୦୭(ନି.ପ୍ର.): ଆମ୍ଫାନ ବାତ୍ୟା ପ୍ରଭାବରେ ବିଞ୍ଝାରପୁର ଅଂଚଳରେ ବହୁ କ୍ଷୟକ୍ଷତି ହୋଇଥିଲା । ଜରୀ ପଂଚାୟତ ୮ ନଂ. ୱାର୍ଡର ଦଳିତ ବିଧବା ମହିଳା ରଙ୍ଗଲତା ମଲ୍ଲିକଙ୍କର ନୂଆଁଣିଆ ଆଜବେଷ୍ଟ ଘର ଉପରେ ବିରାଟ ଗଛ ଭାଙ୍ଗି ପଡିବାରୁ ତାଙ୍କର ଆଜବେଷ୍ଟଗୁଡିକ ଚୂରମାର ହୋଇ ଯାଇଥିଲା । ୧୯୮୪ ଜରୀ ଦଙ୍ଗାରେ ଘର ହରାଇଥିବା ଏହି ଦଳିତ ବିଧବା ପୁଣି ସତେ ଯେମିତି ଆମ୍ଫାନରେ ଘର ହରାଇ ବେସାହାରା ହୋଇପଡିଥିଲେ । ପ୍ରଶାସନକୁ ନିଜର ଦୁଃଖ ଗୁହାରୀ ଜଣାଇଥିଲେ । ତହସିଲ ପ୍ରଶାସନ ପକ୍ଷରୁ ଏହି ମହିଳାଙ୍କୁ କେବଳ ପାଲ ଖଣ୍ଡେ ପ୍ରଦାନ କରାଯାଇଥିଲା । ତେବେ ଏଭଳି ଦୁଃଖ ଦୁର୍ଦ୍ଧଶା ସାମାଜିକ ଗଣମାଧ୍ୟମରେ ପ୍ରଚାରିତ ହେବା ପରେ ଏହି ଦଳିତ ବିଧାବା ମହିଳାଙ୍କୁ ସହଯୋଗର ହାତ ବଢାଇଛନ୍ତି ଫତେପୁର ପଂଚାୟତର କଂଗ୍ରେସ ନେତା ତଥା ପିସିସି କୋଭିଡ ୧୯ର ରାଜ୍ୟ ସଂଯୋଜକ ପଦ୍ମାକର ଗୁରୁ । ଶ୍ରୀ ଗୁରୁ ସ୍ଥାନୀୟ ସମିତି ସଭ୍ୟ ତଥା କଂଗ୍ରେସ ନେତା ଭୂବନାନନ୍ଦ ସାମଲଙ୍କ ସହିତ ଫୋନରେ କଥା ହୋଇ ଏହି ମହିଳାଙ୍କ ନିକଟକୁ ପ୍ରକାଶ ଦାସ, ଶ୍ରୀମନ୍ତ ପାତ୍ର ପ୍ରମୁଖଙ୍କୁ ପଠାଇ ତୁରନ୍ତ ସୁଖିଲା ଖାଦ୍ୟ ଓ ଆର୍ଥୀକ ସାହାର୍ଯ୍ୟ କରିବା ସହିତ ନଷ୍ଟ ହୋଇଯାଇଥିବା ଆଜବେଷ୍ଟକୁ ବଦଳାଇ ନୂତନ ଆଜବେଷ୍ଟ ପକାଇବାର ବ୍ୟବସ୍ଥା କରିଥିଲେ । ଶ୍ରୀ ଗୁରୁଙ୍କର ଏହି ସହଯୋଗ ଯୋଗୁଁ ବିଧବା ମହିଳା ଜଣଙ୍କ କୃତଜ୍ଞତା ଜଣାଇବା ସହିତ ଜରୀ ପଂଚାୟତର ବହୁ ଲୋକେ ଗୁରୁଙ୍କୁ ପ୍ରଶଂସା କରିଛନ୍ତି । ତେବେ ଏହି ମହିଳା ଜଣଙ୍କୁ ତୁରନ୍ତ ଅନ୍ୟାନ୍ୟ ସରକାରୀ ସହାୟତା ପ୍ରଦାନ କରିବା ସହିତ ଗୃହ ଯୋଜନାରେ ଗୃହ ଯୋଗାଇ ଦେବାକୁ ଶ୍ରୀ ଗୁରୁ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି ।

Leave A Reply

Your email address will not be published.

twenty − 9 =