ବୌଦ୍ଧ- ବୌଦ୍ଧସହର ଏନ.ଏ.ସି. ଛକଠାରୁ ଜାମୁଛକ ଯାଏଁ ଜାତୀୟ ରାଜପଥ ନମ୍ବର ୫୭ର ରାସ୍ତାକୁ ଦୁଇ ପାଖିଆ ରାସ୍ତା କରିବା ପାଇଁ ସରକାର ନିଷ୍ପତ୍ତି ନେଇଥିଲେ । କାମ ମଧ୍ୟ ଉଣା ଅଧିକେ ସରିଯାଇଛି ଓ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଗତ ଜାନୁଆରୀ ୨ ତାରିଖରେ ଜିଲ୍ଲା ପ୍ରତିଷ୍ଠା ଦିବସରେ ଉଦଘାଟିତ ହୋଇସାରିଛି । ଜାମୁ ଛକ ନିକଟରୁ ରାଜନପାଲି ଛକ ପାଖ ଯାଏଁ ରାସ୍ତା ମଝିରେ ଡିଭାଇଡର ଦିଆଯାଇଛି ଓ ରାଜନପାଲି ଛକ ପାଖରୁ ଏନ.ଏ.ସି. ଛକ ପର୍ଯ୍ୟନ୍ତ ଖୋଲା ରଖାଯାଇଛି । ଜାତୀୟ ରାଜପଥ ନମ୍ବର ୫୭ରେ ଯାଉଥିବା ଗାଡି ଗୁଡିକ ଅଧା ରାସ୍ତାରେ ଡିଭାଇଡର ଦିଆଯାଇଥିବା ଯୋଗୁଁ ଦୁର୍ଘଟଣାର ଶିକାର ହେଉଛନ୍ତି । ଇତି ମଧ୍ୟରେ ଜଣେ ବ୍ୟକ୍ତିଙ୍କ ଦୁର୍ଘଟଣାରେ ଜୀବନ ମଧ୍ୟ ଚାଲିଯାଇଥିବା ଅଭିଯୋଗ ହୋଇଛି । ଶେଷ ମୁହୂର୍ତ୍ତରେ ରାସ୍ତାର ଡିଜାଇନ ପରିବର୍ତ୍ତନ କରି ଡିଭାଇଡର ଦିଆନଯିବା ଯୋଗୁଁ ଉଦଘାଟନର ମାସକ ମଧ୍ୟରେ ଛୋଟ ବଡ ୧୦ ରୁ ଅଧିକ ଦୁର୍ଘଟଣା ଘଟି ସାରିଥିବା ଦେଖିବାକୁ ମିଳିଛି ।