ଚାନ୍ଦିପୁର: ବାଲେଶ୍ୱରସ୍ଥିତ ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ନଂ ଲଞ୍ଚପ୍ୟାଡ଼ରୁ ଆଜି ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଦୂରଗାମୀ ସବ୍ସୋନିକ୍ କ୍ରୁଜ୍ ମିସାଇଲ ‘ଆଇଟିସିଏମ-୦୨’ର ପରୀକ୍ଷଣ ସଫଳ ହୋଇଛି । ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ୧୫ଶହ କି.ମି ଲକ୍ଷ ଭେଦି କ୍ଷେପଣାସ୍ତ୍ର ‘ନିର୍ଭୟ’କୁ ଆଜି ସକାଳ ୯ଟା ୫୩ ମିନିଟିରେ ଉତକ୍ଷେପଣ କରାଯାଇଥିଲା । ପରୀକ୍ଷା ସମୟରେ ସ୍ୱତନ୍ତ୍ର ଭାବେ ଲଗାଯାଇଥିବା ରାଡ଼ାର ମାଧ୍ୟମରେ ସଂଗୃହିତ ତଥ୍ୟକୁ ପ୍ରତିରକ୍ଷା ବିଭାଗର ବୈଜ୍ଞାନିକମାନେ ସମୀକ୍ଷା କରୁଛନ୍ତି । ପୂର୍ବରୁ ନିର୍ଭୟ ମିସାଇଲରେ ଟର୍ବୋଫ୍ୟାନ୍ ଇଞ୍ଜିନ୍ ବ୍ୟବହାର କରାଯାଉଥିବାବେଳେ, ଚଳିତ ଥର ଏହି କ୍ଷେପଣାସ୍ତ୍ରରେ ‘ମାଣିକ୍ ଟର୍ବୋଫ୍ୟାନ୍’ ଇଞ୍ଜିନ୍ ବ୍ୟବହାର କରାଯାଇ ପରୀକ୍ଷା କରାଯାଇଛି ।‘ମାଣିକ୍ ଟର୍ବୋଫ୍ୟାନ୍’ ଇଞ୍ଜିନ୍ ମାଧ୍ୟମରେ ଏହି ମିସାଇଲ ଅଧିକ ବେଗ ପାଇବା ସହିତ କମ୍ ଶବ୍ଦ କରିବ । ନିର୍ଭୟ ମିସାଇଲର ଓଜନ ୧୫୦୦ କିଲୋଗ୍ରାମ ହୋଇଥିବାବେଳେ ଏହାର ଲମ୍ବ ୬ ମିଟର, ମୋଟେଇ ୦.୫୨ ମିଟର ଓ ଏହାର ଡେ଼ଣାର ଲମ୍ବ ୨.୭ ମିଟର ରହିଛି ।ଏହି କ୍ଷେପଣାସ୍ତ୍ରରେ ୨ଶହରୁ ୩ଶହ କିଲୋଗ୍ରାମ ପର୍ଯ୍ୟନ୍ତ ଉଭୟ ପାରମ୍ପରିକ ଓ ଆଣବିକ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇ ପାରିବ । ୧୫୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରୁଥିବା ନିର୍ଭୟ ମିସାଇଲର ବେଗ ଶବ୍ଦର ବେଗ ଠାରୁ ୭ରୁ ୯ ଗୁଣ ଅଧିକ । ଏହି କ୍ଷେପଣାସ୍ତ୍ରକୁ ପ୍ରଥମେ ୨୦୧୩ ମସିହା ମାର୍ଚ୍ଚମାସ ୧୨ ତାରିଖରେ ଚାନ୍ଦିପୁରରୁ ପରୀକ୍ଷା କରାଯାଇଥିବାବେଳେ, ଆଜି ୯ମ ଥର ପାଇଁ ପରୀକ୍ଷା କରାଯାଇଛି ।