ଭୁବନେଶ୍ୱର: ରାଜ୍ୟ ସରକାର ୪ଟି ବୃହତ ବିକାଶ ଯୋଜନା ହାତକୁ ନେବାକୁ ଯାଉଛନ୍ତି । କୋଣାର୍କ ସୂର୍ଯ୍ୟ ମନ୍ଦିର ସହିତ ଚନ୍ଦ୍ରଭାଗା ବେଳାଭୂମି ସୌନ୍ଦର୍ଯ୍ୟକରଣ, କଟକ ବାରବାଟୀ ଦୁର୍ଗ ଓ ଗଡ଼ଖାଇର ସଂରକ୍ଷଣ ଓ ବିକାଶ, ଇନ୍ଦ୍ରାବତୀ ଜଳଭଣ୍ଡାର ଉପରେ ସେତୁ ଏବଂ ହୀରାକୁଦ ଜଳଭଣ୍ଡାର ପାଶ୍ୱର୍ବର୍ତୀ ଅଂଚଳକୁ ପର୍ଯ୍ୟଟନ ସ୍ଥଳୀରେ ପରିଣତ କରିବା ପାଇଁ ରାଜ୍ୟ ସରକାର ଏକ ବିସ୍ତୁତ ଯୋଜନା ପ୍ରସ୍ତୁତ କରିଛନ୍ତି । ଏସବୁ ପ୍ରକଳ୍ପ ବାବଦରେ ମୋଟ ୭୫୦କୋଟି ଟଙ୍କାର ଖର୍ଚ୍ଚ ଅଟକଳ ପ୍ରସ୍ତୁତ କରାଯାଇଛି । ପୂର୍ତ ବିଭାଗ ସଚିବ କ୍ରିଷନ କୁମାର ଏ ସଂକ୍ରାନ୍ତ ରିପୋର୍ଟ ରାଜ୍ୟ ଅର୍ଥ ବିଭାଗ ପ୍ରମୁଖ ସଚିବ ଅଶୋକ କେ.ମିନାଙ୍କ ନିକଟରେ ଦାଖଲ କରିଛନ୍ତି । ପଂଚଦଶ ଅର୍ଥ କମିଶନ ଅନୁଦାନ ରାଶିରେ ଏସବୁ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବାକୁ ସ୍ଥିର ହୋଇଛି । ପୂର୍ତ ବିଭାଗ ସଚିବ ଅର୍ଥ ବିଭାଗକୁ ଦେଇଥିବା ତଥ୍ୟରେ ଦର୍ଶାଇଛନ୍ତି ଯେ କୋଣାର୍କ ସୂର୍ଯ୍ୟମନ୍ଦିର ସଂରକ୍ଷଣ ଏବଂ ଏହାର ପାରିପାର୍ଶିକ ଅଂଚଳର ବିକାଶ ପାଇଁ ୨୦୦କୋଟି ଟଙ୍କାର ଏକ ବିସ୍ତୁତ ଯୋଜନା ପ୍ରସ୍ତୁତ ହୋଇଛି । ଏହି ପ୍ରକଳ୍ପକୁ ଦୁଇଟି ଭାଗରେ ବିଭକ୍ତ କରାଯାଇଛି । ଏଥିରେ ରହିଛି କୋଣାର୍କ ଓ କୋଣାର୍କ ରିଙ୍ଗରୋଡରେ ଚନ୍ଦ୍ରଭାଗାରୁ କାଳଟପୁର ଜଙ୍କସନ ପର୍ଯ୍ୟନ୍ତ ସଂଯୋଗ କରୁଥିବା ରାସ୍ତାର ପ୍ରଶସ୍ତୀକରଣ ଏବଂ ବିକାଶ ପ୍ରଳଳ୍ପ । ଏବେ ଚନ୍ଦ୍ରଭାଗା ବେଳାଭୂମି ସହିତ ସଂଯୋଗ କରୁଥିବା କାକଟପୁର ଜଙ୍କସନ ଏବଂ କୋଣାର୍କ ରିଙ୍ଗରୋଡକୁ ପ୍ରଶସ୍ତ କରାଯାଇ ୬ ଲେନ ବିଶିଷ୍ଟ କରାଯିବାର ପ୍ରସ୍ତାବ ରହିଛି । ଏହି ରାସ୍ତା ଦ୍ୱାରା ସୂର୍ଯ୍ୟମନ୍ଦିର ଏବଂ ଚନ୍ଦ୍ରଭାଗା ବେଳାଭୂମିକୁ ପ୍ରବେଶ ପାଇଁ ସହଜ ହେବ । ଏହି ରାସ୍ତାର ମୋଟ ଦୈର୍ଘ୍ୟ ହେଉଛି ୭.୯୩ କି.ମି । ଏଥିପାଇଁ ଡିପିଆର ହୋଇଛି । ଏ ବାବଦରେ ୫୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି । ଦ୍ୱିତୀୟଟି ହେଉଛି କୋଣାର୍କ ଐତିହ୍ୟ ଅଂଚଳ ପୁନଃବିକାଶ ଯୋଜନା । ଏଥିରେ କୋଣାର୍କ ମନ୍ଦିର ଏବଂ ଚନ୍ଦ୍ରଭାଗା ବେଳାଭୂମିର ଚତୁପାଶ୍ୱର୍ର ପୁନଃବିକାଶ ଏବଂ ସଂରକ୍ଷଣ ପାଇଁ ମାଷ୍ଟରପ୍ଲାନ ରହିଛି । ସୂର୍ଯ୍ୟମନ୍ଦିର ଭିତରକୁ ପ୍ରାବେଶ ପ୍ଲାଜା, ସଂଲଗ୍ନ ହାଟ ଏବଂ ସୂଚନା କେନ୍ଦ୍ରକୁ ବିକଶିତ କରାଯିବା ସହିତ ଏହି ଅଂଚଳକୁ ୱାଲଫାଇଓ ଡିଜିଟାଲ ସୁବିଧା ଯୋଗାଇଦିଆଯିବ । ଏଠାରେ ଅର୍ବାନ ହାଟର ପୁନଃବିକାଶ ସହିତ ସୌନ୍ଦର୍ଯ୍ୟକରଣ କରାଯିବ । ଚନ୍ଦ୍ରଭାଗା ବେଳାଭୂମିରେ ଲାଇଟଟ ହାଉସ, ସଡ଼କ ବିକାଶ, ଜୟଦେବ ଗାଡେର୍ନର ପୁନଃବିକାଶ, ଦର୍ଶକ ସୁବିଧା ଓ ପାର୍କିଂ ବ୍ୟବସ୍ଥା କରାଯିବ । ଏଠାରେ ଜଙ୍ଗଲ ସଫାରୀ କରାଯିବ । ଏଥିପାଇଁ ୧୫୦ କୋଟିର ବ୍ୟୟ ଅଟକ କରାଯାଇଛି । ସେହିପରି ଗଙ୍ଗ ରାଜବଂଶ ଦ୍ୱାରା କଟକରେ ତ୍ରୟୋଦଶ ଶତାଦ୍ଧୀରେ ନିର୍ମିତ ବାରବାଟି ଦୁର୍ଗ ଚତୁଃପାଶ୍ୱର୍, ପ୍ରବେଶ ପଥ ଏବଂ ପ୍ୟାଲେସ ରକ୍ଷଣବେକ୍ଷଣ କରାଯିବ । ଦୁର୍ଗକୁ ଘେରି ରହିଥିବା ୨.୫୨ କିମି ଦୈର୍ଘ୍ୟ ବିଶିଷ୍ଟ ଗଡ଼ଖାଇର ସୌନ୍ଦର୍ଯ୍ୟକରଣ କରାଯିବ । ଏହା ଉପରେ ପୋଲ କରାଯିବ ଯାହାଦ୍ୱାରା ପଶ୍ଚିମପଟୁ ଏହି ବାଟେ ଦୁର୍ଗକୁ ପ୍ରବେଶ ସୁବିଧା ରହିବ । ଏଠାରେ ଇଂଟରପ୍ରିଟେସନ କେନ୍ଦ୍ର ନିର୍ମାଣ ହେବ । ଏଥିସହିତ ପଶ୍ଚିମ ପାଶ୍ୱର୍ରେ ଯୋଗ, ଧ୍ୟାନ କେନ୍ଦ୍ର ରହିବ ଏବଂ ଦକ୍ଷିଣ ପଟରେ ଓପନ ଏୟାର ଥିଏଟର ରହିବ । ଏଠାରେ ପାର୍କିଂ, ଆଲୋକୀକରଣ, ଲ୍ୟଣ୍ଡସ୍ପେଫି, ପାଥୱେଜ, ଫୁଡ଼ପାର୍କ, ସାଇନେଜେ ପାଇଁ ଯୋଜନା ହୋଇଛି । ଏଥିପାଇଁ ୨୦୦କୋଟି ଟଙ୍କା ଖର୍ଚ୍ଚ ହେବ । ଇନ୍ଦ୍ରାବତୀ ଜଳଭଣ୍ଡାର ନିର୍ମାଣ ପରେ ନବରଙ୍ଗପୁର ଜିଲ୍ଲାର କେନ୍ଦୁଗୁଡ଼ା ଗ୍ରାମ ପଂଚାୟତର ଲୋକେ ରାସ୍ତା ଯୋଗାଯୋଗରୁ ବଂଚିତ ରହିଥିବାରୁ ଏଠାରେ ସବୁ ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି । ଏହାଦ୍ୱାରା ନବରଙ୍ଗପୁରରୁ ରାୟଗଡ଼ାକୁ ଯୋଗଯୋଗ ସୁଗମ କରାଯିବା ସହିତ ଏହି ପ୍ରକଳ୍ପ କେବିକେ ପଛୁଆ ତଥା ବାମପନ୍ଥୀ ଉଗ୍ରବାଦ ଅଧୁ୍ୟଷିତ ଅଂଚଳରେ କରାଯାଉଥିବାରୁ ନକ୍ସଲ ସମସ୍ୟା ନିୟନ୍ତ୍ରଶକୁ ଆଣିବାରେ ଏହା ସହାୟକ ହେବ । ଏହି ସେତୁର ଦୈର୍ଘ୍ୟ ୭୦୦ ମିଟର ରହିବ । ସେତୁଠାରୁ ୫ କିମି ଦୈର୍ଘ୍ୟର ସଂଯୋଗ ରାସ୍ତା ତିଆରି ହେବ । ଜଳଭଣ୍ଡାର ଉପରେ ପ୍ରାୟ ୪୦ ମିଟର ଗଭୀରତାରେ ଏହା ତିଆରି ହେବ । ଏ ପ୍ରକଳ୍ପ ପାଇଁ ୧୫୦ କୋଟି ଟଙ୍କା ଖର୍ଚ୍ଚ ହେବ । ସେହିପରି ହୀରାକୁଦ ଜଳଭଣ୍ଡାର ଏବଂ ଏହାର ପାଶ୍ୱର୍ବର୍ତୀ ଅଂଚଳକୁ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ଭାବେ ପରିଣତ କରିବା ପାଇଁ ଯୋଜନା ରହିଛି । ଏଥିରେ ୨ଟି ଦିଗ ରହିଛି । ବୁର୍ଲା ସହରର ହୀରାକୁଦ ଟାଉନକୁ ସଂଯୋଗ ପାଇଁ ମହାନଦୀ ଉପରେ ହାଇଲେଭଲ ସେତୁ ନିର୍ମାଣ କରାଯିବ । ହୀରାକୁଦ ଏବଂ ବୁର୍ଲା ମହାନଦୀର ବିପରୀତ ପାଶ୍ୱର୍ରେ ରହିଛି । ଏବେ ଏହି ଦୁଇ ସହରକୁ ଯିବା ପାଇଁ ଅଂଚଳବାସୀଙ୍କୁ ଏନଏଚ-୫୩ ଦେଇ ପ୍ରାୟ ୧୫ କିମି ଯାତ୍ରା କରିବାକୁ ପଢ଼ୁଛି । ନୂତନ ସେତୁ ଦ୍ୱାରା ବୁର୍ଲା ଏବଂ ହୀରାକୁଦ ଭିତରେ ଦୂରତା ୧୦ କିମି ହ୍ରାସ କରାଯାଇପାରିବ । ପ୍ରସ୍ତାବିତ ସେତୁ ଦ୍ୱାରା ମହାନଦୀ ଓ ପାୱାର ଚାନେଲକୁ ଯୋଗାଯୋଗ ସହିତ ବନ୍ୟପ୍ରାଣୀ ଇକୋ ସିଷ୍ଟମ ବିକଶିତ କରାଯାଇପାରିବ । ଏ ସ୍ଥାନକୁ ଭବିଷ୍ୟତରେ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣୀୟ କରାଯିବ । ପୋଲର ଦୈର୍ଘ୍ୟ ରହିବ ୨,୨୭୫ମିଟର ଏବଂ ଏଥିପାଇଁ ୧୬୫ କୋଟି ଟଙ୍କା ଖର୍ଚ୍ଚ ହେବ । ଏଠାରେ ବିସ୍ତୀର୍ଣ୍ଣ ଜଳରାଶି ଥିବାରୁ ଆନ୍ତର୍ଜାତିକ ମାନର ୱାଟର ସ୍ପୋର୍ଟସ ସହିତ ହୀରାକୁଦ ଡ୍ୟାମ ନିକଟରେ ପର୍ଯ୍ୟଟକଙ୍କ ମନୋରଞ୍ଜନର ସୁବିଧା କରାଯିବ । ଏଠାରେ ଜଳକ୍ରୀଡା, ହୋଟେଲେ, ରିସର୍ଟ, ପର୍ଯ୍ୟଟକ ସୁବିଧା, ମନୋରଞ୍ଜନ କାର୍ଯ୍ୟ ହାତକୁ ନିଆଯିବ । ଏସବୁ ଭିତିଭୂମି ପାଇଁ ୩୫ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଏହି ରିପୋର୍ଟକୁ ଜଣାପଡ଼ିଛି ।