ଆଜନ୍ମ ବିକଳାଙ୍ଗ ଶିଶୁର ଦାଇତ୍ୱ ନେଲା କମ୍ପାନୀ

ଯୋଡ଼ା : କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ବଡ଼ବିଲ ତହସିଲ ଅନ୍ତର୍ଗତ ଟଣ୍ଟ ଗ୍ରାମର ମାହି ମୁଣ୍ଡା ଓ ମିନା ମୁଣ୍ଡାଙ୍କର  ପୁଅ ମଞ୍ଜିତ ମୁଣ୍ଡା (୬)  ଜନ୍ମରୁ ବିକଳାଙ୍ଗ । ମଞ୍ଜିତ ଜନ୍ମ ହେବା ଦିନଠାରୁ ଆଜି ଯାଏ ସ୍ଥିର ହୋଇ ବସିବା ବା କୌଣସି କାର୍ଯ୍ୟ ନିଜେ କରିବା ସମ୍ଭବ ହୋଇ ନାହିଁ । ତାଙ୍କ ବାପା ନିକଟରେ ଥିବା ଏକ ଘରୋଇ କମ୍ପାନୀରେ କାମ କରନ୍ତି । ସେଥିରୁ ଯାହା ରୋଜଗାର ହୁଏ କଷ୍ଟେ ମଷ୍ଟେ ପରିବାର ଚଳିଯାଏ । ବିବାହ ପରେ ମାହି ଓ ମିନା ଅନେକ ସ୍ୱପ୍ନ ଦେଖିଥିଲେ । ସନ୍ତାନଟିଏ ପାଇବା ପାଇଁ ଅନେକ ଦିଅଁ ଦେବତା ପୂଜା କରିଥିଲେ ଉଭୟେ ପତି ଓ ପତ୍ନୀ । ଶେଷରେ ଠାକୁର ତାଙ୍କର ଦୁଃଖ ଶୁଣିଥିଲେ ଏବଂ ପୁତ୍ର ସନ୍ତାନଟିଏ ଜନ୍ମ ନେଇଥିଲା ମିନାଙ୍କ ଗର୍ଭରୁ । କିଏ ଜାଣିଥିଲା ଦଇଵ ତାଙ୍କ କପାଳରେ ଏତେ ଦୁଃଖ ଲେଖିଛନ୍ତି ବୋଲି । ମଞ୍ଜିତ ଜନ୍ମ ହେଲା ସତ କିନ୍ତୁ ବିକଳାଙ୍ଗ ରୂପରେ । ମଞ୍ଜିତ ବଡ଼ ହେବା ସଂଗେ ସଂଗେ ତାଙ୍କର  ଶାରୀରିକ ଓ ମାନସିକ ବିକାଶ ହୋଇ ପାରିଲା ନାହିଁ । ଯାହା ପରିବାର ପ୍ରତି ଅନେକ ଦୁଃଖ ଆଣିଦେଲା । ସ୍ୱଳ୍ପ ରୋଜଗାରରୁ କିଛି ସଞ୍ଚୟ କରି ମଞ୍ଜିତଙ୍କୁ ଭଲ କରିବା ପାଇଁ ବିଶେଷଜ୍ଞ ମାନଙ୍କ ପରାମର୍ଶ ନେବା ସହିତ ଅନେକ ଡାକ୍ତରଙ୍କୁ ଦେଖାଇଛନ୍ତି । ହେଲେ ଅଧିକ ଖର୍ଚ୍ଚ କରି ଉନ୍ନତ ଚିକିତ୍ସା ଯୋଗାଇଦେବା ତାଙ୍କ ପକ୍ଷରେ ସମ୍ଭବ ହେଇ ପାରିନଥିଲା । ନିରାଶ ହୋଇ ଭାଗ୍ୟକୁ ଆଦରି ନେଇଥିଲେ ଉଭୟେ ପତି ପତ୍ନୀ । ମନରେ ଆଶା ଓ  ଆଖିରେ ଆଖିଏ ସ୍ୱପ୍ନ ନେଇ ନିଜ ପିଲାର ଭବିଷ୍ୟତ ଚିନ୍ତା କରି ଉଭୟ ଦମ୍ପତି ଗ୍ରାମ ନିକଟରେ ଥିବା ନର୍ଭେରାମ ପାୱାର ଏଣ୍ଡ ଷ୍ଟିଲ କମ୍ପାନୀର ଉପସଭାପତି ସଦାନନ୍ଦ ରଣାଙ୍କୁ ଭେଟି ଦୁଃଖ ଜଣାଇଥିଲେ । ସବୁ ଶୁଣିବା ଓ ପିଲାଟିର ଅବସ୍ଥା ଦେଖିବା ପରେ ଶ୍ରୀ ରଣାଙ୍କୁ ଘଟଣାଟି ମର୍ମାହତ କରିଥିଲା । ପିଲାଟିର ଶାରୀରିକ ଓ ମାନସିକ ବିକାଶ କିଭଳି ହେଇପାରିବ ଏବଂ ତାଙ୍କୁ କିପ୍ରକାର ଚିକିତ୍ସା ଆବଶ୍ୟକ ରହିଛି ସେ ସମ୍ପର୍କରେ ଡାକ୍ତର ମାନଙ୍କ ସହିତ ଆଲୋଚନା କରି ଉଚିତ ପଦକ୍ଷେପ ଗ୍ରହଣ କରିବାକୁ କମ୍ପାନୀର ମାନବ ସମ୍ବଳ ଅଧିକାରୀ ପିୟୁସ ପାଣ୍ଡେଙ୍କୁ ଦାୟିତ୍ୱ ଦେଇଥିଲା । ଏ ସମ୍ପର୍କରେ ଶ୍ରୀଯୁକ୍ତ ପାଣ୍ଡେ ଅନେକ ଡାକ୍ତରଙ୍କ ସହିତ ଆଲୋଚନା କରିବା ପରେ କେବଳ ଫିଜିଓ ଥେରାପି ମାଧ୍ୟମରେ ଶାରୀରିକ ଓ ମାନସିକ ବିକାଶ କିଛି ମାତ୍ରାରେ ସମ୍ଭବ ବୋଲି ଜାଣିବାକୁ ପାଇଥିଲେ । ବିଳମ୍ବ ନକରି ଶ୍ରୀ ପାଣ୍ଡେ ବଡ଼ବିଲ ଠାରେ ଥିବା ସୁନାମଧନ୍ୟ ଫିଜିଓ ଥେରାପି ଡାକ୍ତର  ସାରଦା ସାମଲଙ୍କ ସହିତ ପରାମର୍ଶ କରିଥିଲେ । ଡାକ୍ତର ସାମଲ କହିବା ଅନୁଯାୟୀ ଫିଜିଓ ଥେରାପି ମାଧ୍ୟମରେ ପିଲାଟିର ଆଚରଣରେ ପରିବର୍ତନ ଆସିବ ଏବଂ ପିଲାଟି ନିଜ କାମ ଯଥା ଗାଧେଇବା , ଝାଡା ଯିବା , ଖାଇବା ଇତ୍ୟାଦି ନିଜେ କରିପାରିବ । ଯେହେତୁ ପିଲାଟି ଏବେ ଚଞ୍ଚଳ ପ୍ରକୃତିର ଅଛି ଓ ତାହା ତାଙ୍କର ଜନ୍ମଗତ ତେଣୁ ସମ୍ପୁର୍ଣ୍ଣ ଭଲ ହେବା ସମ୍ଭବ ନୁହଁ କିନ୍ତୁ ଯଥେଷ୍ଟ ପରିମାଣରେ ଶାରୀରିକ ଓ ମାନସିକ ବିକାଶ ହେଇ ପାରିବ । ଡାକ୍ତରଙ୍କ ନିକଟରୁ ଏହା ଶୁଣି କମ୍ପାନୀର ମାନବ ସମ୍ବଳ ଅଧିକାରୀ ଶ୍ରୀ ପାଣ୍ଡେ ତୁରନ୍ତ ପିଲାଟିର ଚିକିତ୍ସା ଆରମ୍ଭ କରିବାକୁ ଡାକ୍ତରଙ୍କୁ ଅନୁରୋଧ କରିଥିଲେ । ଆଜକୁ ପ୍ରାୟ ଦୁଇମାସ ହେବ ପ୍ରତିଦିନ ଦୁଇଘଣ୍ଟା ଫିଜିଓ ଥେରାପି ମାଧ୍ୟମରେ ପିଲାଟିର ଚିକିତ୍ସା ଜାରି ରହିଛି । ସମସ୍ତ ଖର୍ଚ୍ଚ କମ୍ପାନୀ ପକ୍ଷରୁ କରା ଯାଉଥିବା ଡାକ୍ତର କହିଛନ୍ତି । ଡାକ୍ତର ଶ୍ରୀ ସାମଲ କହନ୍ତି ଦୁଇମାସ ପୂର୍ବରୁ ପିଲାର ଯାହା ଅବସ୍ଥା ଥିଲା ଏବେ ପ୍ରାୟ ୩୦ ପ୍ରତିଶତ ପରିବର୍ତ୍ତନ ହୋଇଛି । ପିଲାଟି ନିଜ ଗୋଡ଼ରେ ଛିଡା ହୋଇ ପାରୁନଥିଲା ଓ ସ୍ଥିର ରହି ପାରୁ ନଥିଲା ଏବଂ କାହାରି କଥା ଶୁଣୁ ନଥିଲା  । ଦୁଇମାସ ଅକ୍ଲାନ୍ତ ପରିଶ୍ରମ ପରେ ସେ ନିଜ ଗୋଡ଼ରେ  ଛିଡା ହୋଇ ପାରୁଛି ଏବଂ କିଛି କହିଲେ ଶୁଣିବା ସହିତ ଆଚରଣ ପରିବର୍ତ୍ତନ କରି ପାରୁଛି । ଆଉ କିଛିଦିନ ତାଙ୍କର ଚିକିତ୍ସା ଜାରି ରହିଲେ ସେ ପାଖାପାଖି ୭୫ ପ୍ରତିଶତ ଭଲ ହୋଇ ପାରିବେ ଏବଂ ନିଜ କାମ ନିଜେ କରି ପାରିବେ । ମିନା ମୁଣ୍ଡା କହନ୍ତି ମୋ ପୁଅର ଅବସ୍ଥା ବହୁତ ଖରାପ ଥିଲା । ଏବେ ମୋ ପୁଅ ଧୀରେ ଧୀରେ ସୁସ୍ଥ ହେଉଛି । ନର୍ଭେରାମ କମ୍ପାନୀ ଆମ୍ବୁଲାନ୍ସ ଯୋଗେ ପ୍ରତିଦିନ ମୋ ପୁଅକୁ ବଡ଼ବିଲ ଚିକିତ୍ସା ନିମନ୍ତେ ନେଇକି ଯାଉଛି , ଚିକିତ୍ସା ସାରି ପୁଣି ନେଇ ଆସୁଛି । କମ୍ପାନୀର ସହଯୋଗ ମୁଁ ଜୀବନରେ କେବେ ଭୁଲି ପାରିବି ନାହିଁ ବୋଲି ମିନା କହିଛନ୍ତି ।  ବିକଳାଙ୍ଗ ପୁଅର କଷ୍ଟ ମତେ ବିଚଳିତ କରିଥିଲା ।  ନର୍ଭେରାମ କମ୍ପାନୀ ମୋ ପୁଅକୁ ନୂଆ ଜୀବନ ଦେଇଛି । କମ୍ପାନୀ ତଥା କମ୍ପାନୀର କର୍ମକର୍ତ୍ତା ମାନଙ୍କୁ ଅଶେଷ ଧନ୍ୟବାଦ ବୋଲି କହିବା ସହିତ ବିଶେଷ ଭାବେ କମ୍ପାନୀର ଉପସଭାପତି ସଦାନନ୍ଦ ରଣା ଓ ମାନବ ସମ୍ବଳ ଅଧିକାରୀ ପିୟୁସ ପାଣ୍ଡେଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Leave A Reply

Your email address will not be published.

19 − 17 =