ଆଜିଠାରୁ ଶୀତ ଅଧିବେଶନ

ଭୁବନେଶ୍ୱର: ବିଧାନସଭାର ଶୀତକାଳୀନ ଅଧିବେଶନ ଆସନ୍ତାକାଲି ଶୁକ୍ରବାର ଠାରୁ ଆରମ୍ଭ ହେଉଛି । ଅଧିବେଶନ ଡିସେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ । ବିଧାନସଭାର ଶୀତକାଳୀନ ଅଧିବେଶନ ବିଭିନ୍ନ ପ୍ରସଙ୍ଗକୁ ନେଇ ଅତ୍ୟନ୍ତ ସରଗରମ ହେବା ସମ୍ଭାବନା ରହିଛି । ଗୃହରେ ସରକାରଙ୍କୁ ଅଡୁୁଆରେ ପକାଇବା ପାଇଁ କଂଗ୍ରେସ ଓ ବିଜେପି ଆଜି ନିଜ ନିଜ ବିଧାୟକ ଦଳ ବୈଠକରେ ରଣନୀତି ସ୍ଥିର କରିଛନ୍ତି । ବିଶେଷ କରି ମହାମାରୀ କରୋନା ଭୂତାଣୁ ସଂକ୍ରମଣ ଧାନ କିଣାରେ ଅବ୍ୟବସ୍ଥା, ବଗଲା ଜମି ବିକ୍ରି, ପୁରୀ ଓ ସୁୁନ୍ଦରଗଡର ବିରମିତ୍ରପୁରରରେ ହାଜତ ମୃତ୍ୟୁ , ବିଜୁଳି ଦର ବୃଦ୍ଧି, ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ଏବଂ ଆଇନ ଶୃଙ୍ଖଳା ପିରିସ୍ଥିତିକୁ ଉଭୟ ବିଜେପି ଓ କଂଗ୍ରେସ ଗୃହରେ ମୁଖ୍ୟ ପ୍ରସଙ୍ଗ କରିବା ସମ୍ଭାବନା ରହିଛି । ଅନ୍ୟପକ୍ଷରେ ଶାସକ ବିଜେଡି ବିଧାୟକ ଦଳ ବୈଠକରେ ବିରୋଧିଦଳର ଯେ କୌଣସି ପ୍ରସଙ୍ଗକୁ ମୁକାବିଲା କରିବାକୁ ଆଜି ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରଣନୀତି ସ୍ତିର ହୋଇଥିବା ଜଣାଯାଇଛି । ବିରୋଧି ଦଳର ଯେକୌଣସି ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ସରକାର ପ୍ରସ୍ତୁତଥିବା କୁହାଯାଇଛି । ସୂଚନା ଯୋଗ୍ୟ ଯେ, ବିଧାନସଭାର ଚଳିତ ଓ ଶୀତକାଳିନ ଅଧିବେଶନରେ ୪୦ଟି କାର୍ଯ୍ୟଦିବସ ରହିଛି । ସମ୍ବିଧାନ ନିର୍ଦେଶ ଅନୁଯାୟୀ ବାର୍ଷିକ ବିଧାନସଭାର ଅଧିବେଶନ ୬୦ଦିନ ବସିବା ବାଧ୍ୟତା ମୂଳକ ଥିବା ବେଳେ ଚଳିତ ବର୍ଷ ମହାମାରୀ କରୋନାଯୋଗୁଁ ଗୃହର ଅଧିବେଶନ ମାତ୍ର ୨୦ ଦିନ ଅନୁଷ୍ଠିତ ହୋଇଛି । ଚଳିତ ଅଧିବେଶନରେ ଉଭୟ ଶନି ଓ ରବିବାର ଗୃହର କାର୍ଯ୍ୟକ୍ରମ ଚାଲିବ । ତେବେ କରୋନା ଗାଇଡଲାଇନ୍ଅନୁଯାୟୀ ଗୃହ ଅଧିବେଶନ ଦୈନିକ ମାତ୍ର ସାଢେ ୪ଘଂଟା ବସିବ । ପ୍ରଥମ ବୈଠକ ପୂର୍ବାହ୍ନ ୧୧ଟାରୁ ସାଢେ ଗୋଟେ, ଏବଂ ଦ୍ୱିତୀୟ ବୈଠକ ଅପରାହ୍ନ ୩ଟାରୁ ସାଢେ ୪ ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଗତ ବର୍ଷାକାଳୀନ ଅଧିବେଶନ ପରି ଚଳିତ ଶୀତ ଅଧିବେଶନରେ ମଧ୍ୟ ପ୍ରଶ୍ନକାଳ ହେବ ନାହିଁ । ମିଳିଥିବା ସୂଚନା ଅନୁଯାୟୀ ଆସନ୍ତାକାଲି ଗୃହରେ ପରୋଲୋକଗତ ସଦସ୍ୟମାନଙ୍କ ପାଇଁ ଶୋକ ପ୍ରସ୍ତାବ ଗୃହିତ ହେବା ପରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ୍ ଅର୍ଥମନ୍ତ୍ରୀ ଆଗତ କରିବେ । କରୋନା ଗାଇଡ୍ ଲାଇନ୍ ଅନୁଯାୟୀ ସଦସ୍ୟମାନଙ୍କ ଆସନରେ ସାମାଜିକ ଦୂରତା ରକ୍ଷା କରାଯାଇଥିଲା ବେଳେ ବରିଷ୍ଠ ସଦସ୍ୟମାନେ ଭିସି ଜରିଆରେ ଗୃହର କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବା ବ୍ୟବସ୍ଥା ରହିଛି । ଆହୁରି ମଧ୍ୟ ଅଧିବେଶନ ପୂର୍ବରୁ ଗତ ୩ଦିନ ଧରି ମନ୍ତ୍ରୀ, ବିଧାୟକ, ବିଧାନସଭା କର୍ମଚାରୀ ଓ ସାମ୍ବାଦିକ ମାନଙ୍କର କରୋନା ଟେଷ୍ଟ ହୋଇଥିଲା । ଅନ୍ୟପକ୍ଷରେ ବିଧାନସଭା ଅଧିବେଶନ ପାଇଁ କଡା ସୂରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ବିଧାନସଭା ପରିସରରେ ଓ ବାହାରେ ତ୍ରିସ୍ତରୀୟ ସୂରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ବେଳେ ପୋଲିସ ମହାନିର୍ଦେଶକ ଅଭୟ ଆଜି ସୂରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି । ସେହିପରି ସାଧାପୋଷାକରେ ପୋଲିସ ମୃତୟନ କରାଯିବ । ଗୋଇନ୍ଦା ଡିଜି ମଧ୍ୟ ଆଜି ସୂରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି । ତେବେ ବାହାର ସୂରକ୍ଷା ବ୍ୟବସ୍ଥା ଡିସିପି ତଦାରଖ କରିବେ । ମୋଟ ୩୦ ପ୍ଲାଟୁନ ସଶସ୍ତ୍ର ପୋଲିସ ବାହିନୀକୁ ମୃତୟନ ହେବେ । ଆହୁରୀ ମଧ୍ୟ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ମହାତ୍ମାଗାନ୍ଧୀ ମାର୍ଗରେ ସମସ୍ତ ଧାରଣା, ବିକ୍ଷୋଭକୁ କମିଶନରେଟ ପୋଲିସ ନିଷେଧ କରିଛନ୍ତି ।

Leave A Reply

Your email address will not be published.

17 − 1 =