ଆନ୍ଧ୍ର ମାରିନେଲା ଓଡିଶା ଚାତକ

  • କୋଟିଆ ପରେ ଆନ୍ଧ୍ରର ଟାଗେର୍ଟରେ ଗଜପତିର ଦୁଇଟି ଗାଁ

ରାୟଗଡ଼ : କୋଟିଆରେ ଯେଉଁ ଭଳି ଓଡିଶା ନାକେ ଦମ ହେଲା , ଆନ୍ଧ୍ର ଏବେ ଗଜପତି ଜିଲ୍ଲାରେ ଆରମ୍ଭ କରିଛି ଅପରେସନ୍ । କେଉଁଠି ପ୍ରଲୋଭନ ତ ଆଉ କେଉଁଠି ଜୋରଜବଦସ୍ତ ପଶି ଓଡିଶାକୁ କରୁଛି ଆନ୍ଧ୍ର ଭକୁଆ । ଦେଖନ୍ତୁ ପଡୋଶୀ ଆନ୍ଧ୍ର ପ୍ରଦେଶ ନିକଟରେ ଓଡିଶା କିପରି ହୋଇଛି ଭକୁଆ ଗଜପତିରୁ ଆସିଥିବା ଏହି ଖବରରୁ । ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ଆନ୍ଧ୍ର ସୀମାନ୍ତରେ ଥିବା ଗଙ୍ଗାବାଡ ପଞ୍ଚାୟତରେ ପୁଣି ଆନ୍ଧ୍ର ନିଜ ଦାଦାଗିରି ଦେଖାଇଛି । ଗଙ୍ଗାବାଡ ପଞ୍ଚାୟତର ଗୁଡିଖୁଡି ଗ୍ରାମରେ ବିଦ୍ୟୁତ, ପ୍ରଧାନମନ୍ତ୍ରୀ ଆବାସ ସହ ଭୋଟର କାଡ, ରାସନ କାର୍ଡ ଓ ଆଧାର କାର୍ଡ ପ୍ରଦାନ କରିଛି । ଆନ୍ଧ୍ର ସମସ୍ତ ଯୋଜନା କାର୍ଯ୍ୟକାରୀ କରି ଗୁଡିଖୁଡି ଗ୍ରାମକୁ ଅନୁପ୍ରବେଶ କରିସାରିଛି । ଏହି ଗ୍ରାମକୁ ନେଇ ଆନ୍ଧ୍ର ଓ ଓଡିଶା ମଧ୍ୟରେ ବିବାଦ ବହୁ ଦିନ ଧରି ଲାଗି ରହିଥିବା ବେଳେ ପୁଣି ଅନୁପ୍ରବେଶ କରିଛି ଆନ୍ଧ୍ର । ସବୁ ଯୋଜନାରେ ଆନ୍ଧ୍ର ଓଡିଶା ଠାରୁ ଅଧିକା ଅର୍ଥ ହିତାଧିକାରୀଙ୍କୁ ପ୍ରଦାନ କରୁଥିବାରୁ ଲୋକେ ଆନ୍ଧ୍ରକୁ ସମର୍ଥନ ଜଣାଉଛନ୍ତି । ଗୁଡିଖୁଡି ଗ୍ରାମର ବାସିନ୍ଦା ଆନ୍ଧ୍ରରେ କି ଓଡିଶାରେ ରହିଛି ତାହା ଜଣାପଡୁନାହିଁ ବୋଲି ତତ୍ସଲ୍ୟ କରି କହିଛନ୍ତି । ଓଡିଶାରେ ଗୁଡିଖୁଡି କୁହାଯାଉଥିବା ବେଳେ ଆନ୍ଧ୍ରରେ ଏହି ଗ୍ରାମକୁ ଗୁଡିଖଳା ମଧ୍ୟ କହୁଛନ୍ତି । ସେହିପରି ଏହି ଗ୍ରାମରେ କେତେକଙ୍କ ନିକଟରେ ଉଭୟ ଓଡିଶା-ଆନ୍ଧ୍ରର ଆଧାରକାର୍ଡ, ରାସନକାର୍ଡ ରହିଥିବାବେଳେ ବହୁ ଲୋକେ ଉଭୟ ରାଜ୍ୟରୁ କୌଣସି ରାସନ ପାଉନଥିବାର ମଧ୍ୟ କହିଛନ୍ତି । ଆନ୍ଧ୍ର ସରକାର ଏହି ଗ୍ରାମରେ ବିଦ୍ୟୁତ ସେବା ସୁଲଭ ଦରରେ, ପ୍ରଧାନମନ୍ତ୍ରୀ ଆବାସ ଲକ୍ଷେତିରିସି ହଜାର ସ୍ଥାନରେ ଲକ୍ଷେଅସିଏ ହଜାର ପ୍ରଦାନ କରିଛନ୍ତି । ଗ୍ରାମର ଲାଲି ଶବର ନାମକ ଛାତ୍ରୀ କହିଛନ୍ତି ଯେ, ଆମେ ନିକଟରେ ଥିବା ଆନ୍ଧ୍ରର କୋଷ୍ଟା ଗ୍ରାମରେ ଥିବା ଓଡିଆ ବିଦ୍ୟାଳୟରେ ଅଧ୍ୟୟନ କରୁଛୁ । ଏଠାରେ ଆନ୍ଧ୍ର ସରକାର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଇ ଆସୁଛନ୍ତି । ପିଲାମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଲାଗି ଆନ୍ଧ୍ରର ଡାକ୍ତର ଆସୁଛନ୍ତି । ସେହିପରି ଅନେକ ବୃଦ୍ଧା ମା ମାନେ କହିଛନ୍ତି ଯେ, ଆନ୍ଧ୍ର ସରକାର ଭତ୍ତା ବାବଦରେ ୨୫୦୦/- ଟଙ୍କା ପ୍ରଦାନ କରୁଛନ୍ତି । ତେବେ ପ୍ରଶାସନିକ ଅବହେଳା ଯୋଗୁଁ ଅବା ତୃଣମୁଳର ପ୍ରଶାସନିକ କର୍ମଚାରୀ ବିଚ୍ଛିନ୍ନା ଅଞ୍ଚଳ ଗୁଡିକରେ ସଠିକ କାର୍ଯ୍ୟ କରୁନଥିବାରୁ ଆନ୍ଧ୍ର ସହଜରେ ଗୁଡିଖୁଡି ଗ୍ରାମକୁ ନିଜ ଅକ୍ତିଆରରେ ନେଇପାରିଛି । ଏପରିକି ବାରମ୍ବାର ଆନ୍ଧ୍ର ପ୍ରଶାସନିକ ଅଧିକାରୀ, ନିର୍ବାଚିତ ପ୍ରତିନିଧି ଗୁଡିଖୁଡି ଗ୍ରାମକୁ ଗସ୍ତ କରି ଓଡିଶାର ତାଗିଦ ସତ୍ତ୍ୱେ ନିଜ ଯୋଜନା ଗୁଡିକୁ କାର୍ଯ୍ୟକାରୀ କରାଇବା ପ୍ରଶାସନିକ ଦୁର୍ବଳତା ପଦାରେ ପକାଇଛି । ଆନ୍ଧ୍ରର ଅନୁପ୍ରବେଶ ତ ଦେଖିଲେ ଏବେ ଆସନ୍ତୁ ଦେଖିବା କିପରି ପ୍ରଲୋଭନ ଦେଖାଇଛି ଗଙ୍ଗାବାଡ ପଞ୍ଚାୟତର ନୂଆ ବାର ଘରକୁ । ଏହି ଗ୍ରାମରେ ବିଭିନ୍ନ ସମସ୍ୟା ରହିଥିବାରୁ ଗ୍ରାମ ଉପରେ ମଧ୍ୟ ଆନ୍ଧ୍ର ଦୃଷ୍ଟି ପକାଇ ସାରିଛି । ୨୦୧୮ ମସିହାରେ ପୁରୁଣା ବାରଘର ଗ୍ରାମବାସୀଙ୍କୁ ଥଇଥାନ କରି ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ସହ ଘର, ପାଣି, ବିଜୁଳି, ରାସ୍ତା ଭଳି ସୁବିଧା ଯୋଗାଇଥିଲେ କିନ୍ତୁ ସବୁ ଅଧାପନ୍ତରିଆ । ନା ୬ଟି ପାନୀୟ ଜଳ ପ୍ରକଳ୍ପରୁ ଲୋକେ ପାଣି ପାଉଛନ୍ତି, ନା ବିଜୁଳି କଟିଲେ ଦୀର୍ଘଦିନ ମଧ୍ୟରେ ସେବା ପାଇପାରୁଛନ୍ତ । ଏପରିକି ଉଚ୍ଚ ଶିକ୍ଷା, ସ୍ୱାସ୍ଥ୍ୟ ସେବା, ବଜାର ଘାଟ, ବ୍ୟବସାୟ, ଗମନାଗମନ ଆଦି ପାଇଁ ୫କିମି ଦୂରରେ ଥିବା ଆନ୍ଧ୍ର ପ୍ରଦେଶର ମଞ୍ଜୁଷା ଗ୍ରାମ ଉପରେ ନିର୍ଭର କରି ଆସୁଛନ୍ତି । ଏପଟେ ଜିଲ୍ଲା ପ୍ରଶାସନର ଚରମ ଅବହେଳା, ସେପଟେ ଆନ୍ଧ୍ର ସରକାରଙ୍କ ପ୍ରଲୋଭନ ନୂଆବାରଘର ଗ୍ରାମର ଶତାଧିକ ପରିବାରକୁ ଆକୃଷ୍ଟ କରିଛି । ଯେଉଁଥି ପାଇଁ ଆଗାମୀ ନିର୍ବାଚନରେ ଭୋଟ ବର୍ଜନ ସହ ମୌଳିକ ସମସ୍ୟାର ସମାଧାନ ନ ହେଲେ ଆନ୍ଧ୍ରରେ ସମସ୍ତେ ମିଶିବୁ ବୋଲି ଚେତାବନୀ ଦେଇଛନ୍ତି । ସମସ୍ୟାକୁ ନେଇ ଗଜପତି ଜିଲ୍ଲା ରାଜସ୍ୱ ଅତିରିକ୍ତ ଜିଲ୍ଲାପାଳ ବିରେନ୍ଦ୍ର କୁମାର ଦାସଙ୍କୁ ପଚାରିବାରୁ ନିଜ ପ୍ରତିକ୍ରିୟାରେ କହିଛନ୍ତି । ସ୍ଥିତି ଉପରେ ପ୍ରଶାସନ ନଜର ରଖିଛି ଏବଂ ଯଦି ଆନ୍ଧ୍ର ପ୍ରଦେଶ ପ୍ରଲୋଭନ କି ଅନୁପ୍ରବେଶ କରିଛି ଆନ୍ଧ୍ରର ଶ୍ରୀକାକୁଲମ୍ ଜିଲ୍ଲା ପ୍ରଶାସନ ସହ ଶାନ୍ତିପୂର୍ଣ୍ଣ ପରିବେଶ ମଧ୍ୟରେ ଆଲୋଚନା କରି ସମସ୍ୟାର ସମାଧାନ କରାଯିବ ।  ବିରେନ୍ଦ୍ର କୁମାର ଦାସ (ଅତିରିକ୍ତ ଜିଲ୍ଲାପାଳ, ଗଜପତି ) ତେବେ ଦେଖିବାକୁ ବାକି ରହିଲା ସ୍ଥାଣୁ ରାଜ୍ୟ ସରକାର ଓ ଅର୍କମଣ୍ୟ ଜିଲ୍ଲା ପ୍ରଶାସନ ଏହି ଦୁଇଟି ଗ୍ରାମକୁ ବଞ୍ଚାଇ ପାରୁଛି ନାଁ ନିଜ ମାନଚିତ୍ରରୁ ହରାଉଛି ।

Leave A Reply

Your email address will not be published.

twenty − two =