ଭୁବନେଶ୍ୱର: ବିଧାନସଭାରେ ଉଠିଲା ଆନ୍ଧ୍ର-ଓଡିଶା ସୀମା ବିବାଦ ପ୍ରସଙ୍ଗ । ଏହି ପ୍ରସଙ୍ଗରେ ଆଜି ଗୃହରେ ପ୍ରାରମ୍ବିକ ବିବୃତି ରଖି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି କହିଛନ୍ତି ଯେ, ଆପୋଷ ବୁଝାମଣା ମଧ୍ୟରେ ସୀମା ଚିହ୍ନଟ କରାଯିବ । କୋରାପୁଟ ଜିଲ୍ଲା ଓ ଆନ୍ଧ୍ରପ୍ରଦେଶର କିଛି ଜିଲ୍ଲା ମଧ୍ୟରେ ସୀମା ବିବାଦ ରହିଛି । ତେବେ ଆପୋଷ ବୁଝାମଣା ମଧ୍ୟରେ ଚିହ୍ନଟ କରାଯିବ । ୨୧ଟି ଗାଁରେ ଏହି ସମସ୍ୟା ରହିଛି ଯେଉଁଠି ରାଜ୍ୟ ସରକାର ସବୁ ପ୍ରକାର ସୁବିଧା ଯୋଗାଇଛନ୍ତି । ମନ୍ତ୍ରୀ ଆହୁରି କହିଛନ୍ତି, ଜିଲ୍ଲାପାଳ ଓ ଆରଡିସିଙ୍କ ତତ୍ୱାବଧାନରେ ସୀମା ବିବାଦ ସମାଧାନ ପାଇଁ ଉଦ୍ୟମ ଜାରି ରହିଛି । ବାଲେଶ୍ୱର ଜିଲ୍ଲା ଓ ପଶ୍ଚିମବଙ୍ଗ ମଧ୍ୟରେ କିଛି ସମସ୍ୟା ରହିଛି । ୯ଟି ଗାଁରେ ସମସ୍ୟା ରହିଛି ସମାଧାନ ପାଇଁ ପ୍ରଶାସନିକ ସ୍ତରରେ ଏକ କମିଟି ଗଠନ ହୋଇଛି । ଝାଡଖଣ୍ଡ ସହିତ ମଧ୍ୟ ଓଡିଶାର କିଛି ଜିଲ୍ଲାର ବିବାଦ ରହିଛି । ତେବେ ରାଜ୍ୟ ସରକାରଙ୍କ ସମୟୋଚିତ ପଦକ୍ଷେପ ପାଇଁ ସେମିତି କିଛି ବଡ ଧରଣର ସମସ୍ୟା ଉକୁଚିନି ବୋଲି ଗୃହକୁ ଜଣାଇଛନ୍ତି ମନ୍ତ୍ରୀ ।