ଆର୍ଥିକ ବିକାଶ ବିନା ସ୍ୱାଧୀନତା ଅଧୁରା

ଭୁବନେଶ୍ୱର: ଅର୍ଥନୈତିକ ପ୍ରଗତି ବିନା ସ୍ୱାଧୀନତା ଅଧୁରା ବୋଲି ଏକାଡେମୀ ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ ଇନ୍ଫରମେସନ୍ ଟେକ୍ନୋଲୋଜି (ଅମିତ୍)ର ଅଧ୍ୟକ୍ଷ ତଥା ନ୍ୟାୟବତୀର ସମ୍ପାଦକ ଶ୍ରୀ ଅଧୀପ ନାରାୟଣ ମହାନ୍ତି ମତ ପ୍ରକାଶ କରିଛନ୍ତି । ଅମିତ, ନ୍ୟାୟବତୀ ଓ ଇନ୍ଫୋଟେକ ପରିସରରେ ଆୟୋଜିତ ୭୫ତମ ସ୍ୱାଧୀନତା ଦିବସ ପାଳନ ଉତ୍ସବରେ ଜାତୀୟ ପତକା ଉତୋଳନ କରି ଶ୍ରୀ ମହାନ୍ତି କହିଛନ୍ତି ଯେ, ପ୍ରକୃତ ସ୍ୱାଧୀନତା ପାଇଁ ପ୍ରତ୍ୟେକ ନାଗରିକମାନଙ୍କ ନିମନ୍ତେ ଆର୍ଥିକ ସ୍ୱାଧୀନତା ହାସଲ ଏକାନ୍ତ ଜରୁରୀ । ସେହିପରି ଶାରୀରିକ (ସୁସ୍ଥତା), ମନସ୍ଥାତିକ, ସାମାଜିକ ଏବଂ ଧାର୍ମିକ (ଜୀବନ ଧାରଣ) ସ୍ୱାଧୀନତା ଆବଶ୍ୟକ । ଏହି ୫ଟି କ୍ଷେତ୍ରରେ ସ୍ୱାଧୀନତା ବିନା ସ୍ୱାଧୀନତାର ମୂଲ୍ୟ ନାହିଁ । ଏହାର ଅଭାବରେ ଦାରିଦ୍ର୍ୟ, ଅଭାବ ଅନଟନ, ରୋଗ ବ୍ୟାଧି, ମାନସିକ ଦୁର୍ବଳତା, ସାମାଜିକ ବିଭେଦ, ବେକାରୀ, ବେ-ରୋଜଗାର ଏବଂ ଦୁର୍ନୀତି ବୃଦ୍ଧି ପାଇବାର ମୂଳକାରଣ ବୋଲି ସେ କହିଛନ୍ତି । ଶ୍ରୀ ମହାନ୍ତି ଆହୁରି କହିଛନ୍ତି ଯେ, ଭାରତ ବିଶ୍ୱରେ ଏକ ପବିତ୍ର ଭୂ-ଖଣ୍ଡ । ଯେଉଁଠି ଦୟା, ପ୍ରେମ, କ୍ଷମା, ସଂଯମତା, ଭାତୃତ୍ୱ, କାହିଁ କେଉଁକାଳରୁ ବିରାଜମାନ କରିଆସୁଛି । ଭାତୃତ୍ୱ ପ୍ରେମ, ସଦ୍ଭାବ ବିନା ଦେଶର ଏକତା, ସଂହତି ଅସମ୍ଭବ । ଭାତୃତ୍ୱ ଭାବକୁ ଦୃଢିଭୂତ କରିବା ପାଇଁ ସେ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ସେହିପରି ନିଜ ସ୍ୱାଧୀନତା ଜାହିର କରିବାକୁ ସାହାସ, ବୀରତ୍ୱ, ଉତ୍ସାହ, ପବିତ୍ରତା, ନିରପେକ୍ଷତା, ଦକ୍ଷତା , ତ୍ୟାଗ ମନୋଭାବ ଏବଂ ସରଳ ଜୀବନ ଯାପନରେ ବ୍ରତୀ ହୋଇ ନିଜର କର୍ମକ୍ଷେତ୍ରରେ ଅଗ୍ରସର ହେଲେ ଏହା ହିଁ ହେବ ପ୍ରକୃତ ଦେଶପ୍ରେମ ବୋଲି ସେ କହିଛନ୍ତି । ସେ ଛାତ୍ରଛାତ୍ରୀମାନଙ୍କୁ ଏହା ବୁଝାଇବାପାଇଁ ବହୁ ଉପାଦେୟ ଗଳ୍ପର ଅବତାରଣ କରିଥିଲେ । ଶ୍ରୀ ମହାନ୍ତି ଛାତ୍ରଛାତ୍ରୀ ଓ ଉପସ୍ଥିତ କର୍ମଚାରୀମାନଙ୍କୁ ୭୫ତମ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କର ସୁଖୀ, ନିରାମୟ, ଓ ସୁସ୍ଥ ଜୀବନ କାମନା କରିଥିଲେ । ଏହି ଉତ୍ସବରେ ଆକାଶବାଣୀର ପୂର୍ବତନ ଉପନିର୍ଦେଶକ ତଥା ବରିଷ୍ଠ ସାମ୍ବାଦିକ ଶ୍ରୀ ସୁଧାଂଶୁ ଶେଖର ଧଡା ଉଦ୍ବୋଧନ ଦେଇ ସ୍ୱାଧୀନତା ସଂଗ୍ରାମର ସ୍ମୃତି ଚାରଣ କରିବା ସହ ଦେଶ ଗତ ୭୫ ବର୍ଷ ମଧ୍ୟରେ ଜିରୋରୁ ହିରୋ ହୋଇଛି ବୋଲି ସେ କହିଥିଲେ । ସମସ୍ତ କ୍ଷେତ୍ରରେ ବିଶ୍ୱରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଦେଶପ୍ରେମ ଭାବନା ନେଇ ଭବିଷ୍ୟତ ଜୀବନ ଗଠନ କରିବାକୁ ସେ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ନ୍ୟାୟବତୀର ବାର୍ତା ସମ୍ପାଦକ ଶ୍ରୀ ଗୋପୀନାଥ ପରିଡା କହିଥିଲେ ଯେ, ସ୍ୱାଧୀନତାର ପରବର୍ତୀକାଳରେ ତଥା ଗତ ୭୫ ବର୍ଷ ମଧ୍ୟରେ ଭାରତ ନିଜକୁ ଏକ ବିକଶିତ ରାଷ୍ଟ୍ରରୂପେ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିପାରିଛି । କିନ୍ତୁ ଏବେ ମହାମାରୀ କରୋନା ଦେଶବାସୀଙ୍କୁ ପୁଣି ପରାଧୀନ କରିଦେଇଛି । ସବୁକିଛି ଠପ୍ ହୋଇଯାଇଛି । ଅର୍ଥନୀତିକୁ ବିପର୍ଯ୍ୟସ୍ତ କରିଦେଇଛି । ଆମକୁ ଅନ୍ଧକାର ମଧ୍ୟକୁ ଠେଲିଦେଇଛି । ମହାମାରୀ କରୋନାକୁ ହରାଇବା ପାଇଁ ସ୍ୱାଧୀନତା ସଂଗ୍ରାମ ପରି ଆଉ ଏକ ସଂଗ୍ରାମର ଆବଶ୍ୟକତା ରହିଛି । ସଚେତନତା, ସତର୍କତା ସହ ସମସ୍ତେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା, ଭିଡ ଏଡାଇବା, ବାରମ୍ବାର ହାତ ଧୋଇବାକୁ ସଂକଳ୍ପ ନେବାକୁ ସେ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅମିତର ପ୍ରଶାସକ ଶ୍ରୀ ପ୍ରଦୀପ ବାନାର୍ଜୀ, ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ଶେଷ ବର୍ଷର ଛାତ୍ରୀ ସୁଶ୍ରୀ ଯାଜ୍ଞସେନୀ ପରିଡା ପ୍ରମୁଖ ଉଦ୍ବୋଧନ ଦେଇ ସ୍ୱାଧୀନତା ଦିବସର ସ୍ମୃତିଚାରଣ କରିଥିଲେ । ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ସଂଯୋଜକ ଟିକାୟତ ନାୟକ ମଞ୍ଚ ପରିଚାଳନା କରିଥିଲେ । ଏହି ଉତ୍ସବରେ ସର୍ବଶ୍ରୀ କିଶୋର ଚନ୍ଦ୍ର ବାରିକ, ପ୍ରଭାତ ରଥ, ରମେଶ ଚନ୍ଦ୍ର ବିଧାର, ଲକ୍ଷ୍ମୀଧର ମିଶ୍ର, ପ୍ରମୋଦ କୁମାର ସାହୁ, ନିରଞ୍ଜନ ଜେନା, ସୁଦର୍ଶନ ବାରିକ, ସୁଶାନ୍ତ ବେହେରା, ମଧୂସ୍ମିତା ବିଧାର, ଶୁଭେନ୍ଦୁ କାନୁନ୍ଗୋ, ସାଧୁଚରଣ ଦିଗାଲ, ରଶ୍ମୀରଞ୍ଜନ ଦାସ, ସୁକାନ୍ତ ଦଳାଇ, ତ୍ରୀଷ୍ନା ନାୟକ, ପ୍ରଗତୀ ମହାପାତ୍ର, ବିଜୟଲକ୍ଷ୍ମୀ ସ୍ୱାଇଁ, ପ୍ରଭାସୀନି ନାୟକ, ଦିବ୍ୟସ୍ମିତା ସ୍ୱାଇଁ, ଶୁଭଶ୍ରୀ ନାୟକ, ଆଫ୍ରିନି ବଖାସ, ବନ୍ଦିତା ଜେନା, ମମତା ଜେନା, ରଶ୍ମୀତା ନାୟକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

Leave A Reply

Your email address will not be published.

twelve − 6 =