ବାଲେଶ୍ୱର: ଧାମରା ପରେ ଉତର ଓଡ଼ିଶାରେ ଆଉ ଏକ ବନ୍ଦରଭିତିକ ଶିଳ୍ପ ପ୍ରତିଷ୍ଠା ହେବ । ୫ ହଜାର କୋଟି ଟଙ୍କା ଖର୍ଚ୍ଚ ଅଟକଳରେ ୨୦ ହଜାରରୁ ଅଧିକ ଲୋକ ନିଯୁକ୍ତି ପାଇବେ । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଚଉମୁଖଠାରେ ସୁବର୍ଣ୍ଣରେଖା ନଦୀରେ ବନ୍ଦର ପ୍ରକଳ୍ପ ନେଇ ଲୋକଙ୍କୁ ଏମିତି ସ୍ୱପ୍ନ ଦେଖାଇଥିଲେ ରାଜ୍ୟ ସରକାର । ନିଜେ ମୁଖ୍ୟମନ୍ତ୍ରୀ ବାଲେଶ୍ୱର ଗସ୍ତରେ ଆସି ପ୍ରକଳ୍ପର ଶିଳାନ୍ୟାସ କରିବା ସହ ଆଗାମୀ ୪ରୁ ୫ ବର୍ଷ ମଧ୍ୟରେ ବନ୍ଦର କାର୍ଯ୍ୟକ୍ଷମ ହେବ ବୋଲି ଘୋଷଣା କରିଥିଲେ । ଇତିମଧ୍ୟରେ ଦୁଇବର୍ଷ ବିତିଯାଇଥିବା ବେଳେ ପ୍ରକଳ୍ପ କାମ ଏ ପର୍ଯ୍ୟନ୍ତ ଆରମ୍ଭ ହୋଇ ପାରିନାହିଁ । ସ୍ଥାନୀୟ ଅଂଚଳବାସୀଙ୍କ ଜୋରଦାର ବିରୋଧ କାରଣରୁ ପ୍ରସ୍ତାବିତ ପ୍ରକଳ୍ପର ଭାଗ୍ୟ ଏବେ ଅନିଶ୍ଚିତତା ଘେରରେ ରହିଛି । ସୁବର୍ଣ୍ଣରେଖା ନଦୀ ବନ୍ଦରକୁ ସବୁଦିନିଆ ବନ୍ଦର ଭାବେ ବିକଶିତ କରିବାକୁ ୨୦୦୮ ମସିହା ଜାନୁଆରି ୧୮ ତାରିଖରେ ଚେନ୍ନାଇର କ୍ରିଏଟିଭ୍ ପୋର୍ଟ ଡେଭଲପମେଂଟ ଲିମିଟେଡ (ସିପିଡିପିଏଲ୍) ସହ ରାଜ୍ୟ ସରକାର ଏମ୍ଓୟୁ କରିଥିଲେ । ଏଥିସହ ପ୍ରସ୍ତାବିତ ବନ୍ଦରରେ ୫୧ ପ୍ରତିଶତ ଅଂଶୀଦାର ହେବାକୁ ୨୦୧୭ ମସିହା ଜାନୁଆରି ମାସରେ ଟାଟା ଷ୍ଟିଲ୍ କ୍ରିଏଟିଭ ପୋର୍ଟ ଡେଭଲପମେଂଟ ସଂସ୍ଥା ସହ ଚୁକ୍ତି କରିଥିଲେ । ୫ ହଜାର କୋଟି ଟଙ୍କା ବିନିଯୋଗରେ ପ୍ରତିଷ୍ଠା ହେବାକୁ ଥିବା ଏହି ବନ୍ଦରର ବାର୍ଷିକ ପରିବହନ କ୍ଷମତା ୨୫ ନିୟୁତ ଟନ୍ରୁ ୫୫ ନିୟୁତ ଟନ୍କୁ ବୃଦ୍ଧି କରିବାକୁ ଯୋଜନା ହୋଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୫ଟି ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୭ଟି ବର୍ଥ ନିର୍ମାଣ କରାଯିବା ପ୍ରସ୍ତାବ ରହିଛି । ୨୦୨୨ ମାର୍ଚ୍ଚ ମାସ ଯାଏ ଏହାର ପରିବେଶ ମଞ୍ଜୁରି ବଳବତର ଥିବା ଜଣାପଡିଛି । ୨୦୨୧ ଜାନୁଆରି ୫ ତାରିଖରେ ରାଜ୍ୟରେ ପ୍ରସ୍ତାବିତ ବିଭିନ୍ନ ବନ୍ଦର ନିର୍ମାଣର ସ୍ଥିତି ସମ୍ପର୍କରେ ସମୀକ୍ଷା କରିଥିଲେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ସୁବର୍ଣ୍ଣରେଖା ବନ୍ଦର ପ୍ରକଳ୍ପର ସମୀକ୍ଷା ସମ୍ପର୍କରେ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା ବେଳେ ଜଣାପଡିଥିଲା, ବନ୍ଦର ପାଇଁ ଆବଶ୍ୟକ ୯୬୫.୧୮୦ ଏକର ଜମିରୁ ୬୯୨.୬୮୦ ଏକର ଜମି ବନ୍ଦର ବିକାଶ ସଂସ୍ଥାକୁ ହସ୍ତାନ୍ତର କରାଯାଇଛି ଏବଂ ଅବଶିଷ୍ଟ ଜମି ଜବରଦଖଲକାରୀ ଓ ଭୂଦାନ ଯଜ୍ଞ ସମିତି ଅଧୀନରେ ରହିଛି । ଜବରଦଖଲ ଜମିଗୁଡ଼ିକୁ ମୁକ୍ତ କରିବା ପାଇଁ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବା ସହ ସରକାରୀ ଜମି ପ୍ରତିବଦଳରେ ଭୂଦାନ ଯଜ୍ଞ ସମିତି ଅଧୀନସ୍ଥ ଜମି ଅଧିଗ୍ରହଣ ନିମନ୍ତେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ସେହିପରି ବନ୍ଦର ପ୍ରତିଷ୍ଠା ପାଇଁ ରେଳପଥର ସଂଯୋଗୀକରଣ ନିମନ୍ତେ ୨୪୪.୯୪ ଏକର ଜମି ଲୋଡା । ସେଥିମଧ୍ୟରୁ ୪୩.୪୮ ଏକର ସରକାରୀ ଜମି ରହିଥିବା ବେଳେ ୧୯୭.୧୮ ଏକର ବେସରକାରୀ ଏବଂ ୪.୨୪ ଏକର ଜମି ଭୂଦାନ ଯଜ୍ଞ ସମିତି ଦଖଲରେ ରହିଛି । ଏହି ଜମି ଅଧିଗ୍ରହଣ ପାଇଁ ପ୍ରକ୍ରିୟା ଜାରି ରହିଛି । ଏଥିସହ ବସ୍ତା-ବାଲିୀଆପାଳ-ଚଉମୁଖ ମୁଖ୍ୟ ସଡକପଥକୁ ଓସାରିଆ ତଥା ଉନ୍ନତୀକରଣ ନିମନ୍ତେ ୪୪.୮୭ ଏକର ଜମିର ଆବଶ୍ୟକତା ରହିଥିବା ବେଳେ ଏବେ ଜମି ଅଧିଗ୍ରହଣ ଚାଲିଥିବା ସୂଚନା ଦିଆଯାଇଛି । ତେବେ ପ୍ରକଳ୍ପ ବିରୋଧରେ ଅଂଚଳବସୀ ବାରମ୍ବାର ମେଳି କରୁଥିବାରୁ ପ୍ରସ୍ତାବିତ ବନ୍ଦର ଇଲାକାରେ ଇଟା ଖଣ୍ଡେ ପଡି ପାରିନାହିଁ, ଏହା ହିଁ ଆଜି ଦିନର ବାସ୍ତବତା ।