ରାୟଗଡା: ଅଲ ଓଡିଶା ପେନସନର ଆସୋସିଏସନ ରାୟଗଡା ଜିଲ୍ଲା ଶାଖା ତରଫରୁ ଏକ ଦାବୀ ପତ୍ର ରାୟଗଡା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କ ଜରିଆରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି । କାର୍ଯ୍ୟରତ କର୍ମଚାରୀ ମାନଙ୍କ ଇପିଏଫ ଜନିତ ସମସ୍ୟାକୁ ନେଇ ଦାବୀ ପତ୍ର ପ୍ରଦାନ କରାଯାଇଥିଲା । ରାୟଗଡା ଜିଲ୍ଲା ଶାଖାର ଆବାହକ ସୀମାଚଂଳ ଚୌଧୁରୀ ନେତୃତ୍ୱରେ ବିଭିନ୍ନ ବିଭାଗରେ କାମ କରୁଥିବା କର୍ମଚାରୀ ମାନେ ଜିଲ୍ଲାପାଳ ଶ୍ରୀବେହେରଙ୍କ ସହ ସାକ୍ଷାତ କରି ଇପିଏଫ ଜନିତ ସମସ୍ୟା ଉପରେ ଆଲୋଚନା କରିଥିଲେ । ସୁପ୍ରିମକୋର୍ଟର ନିର୍ଦେଶ ଅନୁଯାୟୀ ମାସିକ ୯ ହଜାର ଟଙ୍କା ଭତା ପ୍ରଦାନ ସହ ପେନସନ ଭୋଗୀଙ୍କୁ ଚିକିତ୍ସା ଭତା କିମ୍ବା ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ କରି ମାଗଣା ଚିକିତ୍ସା ସୁବିଧା ଯୋଗାଇଦେବା, ବରିଷ୍ଠ ପେନସନଧାରୀଙ୍କୁ ସାମାଜିକ ସୁରକ୍ଷା ଯୋଗାଇ ଦେବା ପାଇଁ ସଂଘ ତରଫରୁ ଦାବୀ ଉପସ୍ଥାପନା କରାଯାଇଛି । ସର୍ବୋଚ୍ଚ ନ୍ୟାୟଳୟର ନିର୍ଦେଶକୁ ବର୍ତମାନ ସୁଦ୍ଧା କାର୍ଯ୍ୟକାରୀ କରାଯାଇନଥିବାରୁ ପେନସନର ଆସୋସିଏସନ କ୍ଷୋଭ ପ୍ରକାଶ କରିଛି । ପେନସନ ଭୋଗୀଙ୍କ ସମସ୍ୟାକୁ ଯଥାଶୀଘ୍ର ସମାଧାନ କରିବା ପାଇଁ ମଧ୍ୟ ସଂଘ ଦାବୀ କରିଛି । ରାୟଗଡା ଜିଲ୍ଲାରେ ପ୍ରାୟ ୪ ହଜାର ପେନସନଭୋଗୀ ରହିଥିବା ବେଳେ ରାଜ୍ୟରେ ୧ ଲକ୍ଷ ୬୨ ହଜାର କର୍ମଚାରୀ ରହିଛନ୍ତି । ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ ସମୟରେ ଅନ୍ୟମାନଙ୍କ ମଧ୍ୟରେ ବିଜୟ କୁମାର ମହାନ୍ତି, ବିରଚିଂ ନାରାୟଣ ସାହୁ, ଏସ.ଦିଲେଶ୍ୱର ରାଓ, ବି.ଜଗନ୍ନାଥ, ଶରତ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।