ଏଣିକି ସବୁ ଷ୍ଟେସନରେ ରହିବ ଟ୍ରେନ୍

ଭୁବନେଶ୍ୱର: କୋଭିଡ-୧୯ ସଂକ୍ରମଣ ରୋକିବା ଲାଗି ଟ୍ରେନ୍ ରହଣି ଉପରେ ଲଗାଯାଇଥିବା କଟକଣାକୁ ହଟାଇ ଦିଆଯାଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ସାଧାରଣ ଜୀବନଯାତ୍ରା ସ୍ୱାଭାବିକ ଅବସ୍ଥାକୁ ଫେରୁଥିବାରୁ ରାଜ୍ୟ ଭିତରେ ଟ୍ରେନ୍ ଚଳାଚଳ କ୍ଷେତ୍ରରେ ଥିବା ପ୍ରତିବନ୍ଧକକୁ ହଟାଯାଇଥିବା ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ସ୍ୱତନ୍ତ୍ର ସଚିବ ମନୋଜ କୁମାର ମିଶ୍ର ଆଜି ପୂର୍ବତଟ ରେଳପଥକୁ ଚିଠି ଲେଖି ଅବଗତ କରାଇଛନ୍ତି । ଏଥିସହ ସେ କହିଛନ୍ତି ଯେ, ଦେଶ ଓ ରାଜ୍ୟରେ ଅନ୍ଲକ୍ ପ୍ରକି୍ରୟା ଜାରି ରହିଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଟ୍ରେନ୍ ଚଳାଚଳ ଉପରେ କୌଣସି ପ୍ରତିବନ୍ଧକ ନାହିଁ । ଓଡିଶା ମଧ୍ୟରେ ଏଣିକି ସମସ୍ତ ଷ୍ଟେସନରେ ଟ୍ରେନ୍ ରହଣୀ କରିବା ସହ ସମସ୍ତ ଅଞ୍ଚଳକୁ ଟ୍ରେନ୍ ଚଳାଚଳ କରିପାରିବ । ପର୍ଯ୍ୟାୟକ୍ରମେ ରାଜ୍ୟ ଭିତରେ ଟ୍ରେନ୍ ଚଳାଚଳ କରାଇବାକୁ ପୂର୍ବତଟ ରେଳପଥକୁ କୁହାଯାଇଛି ।
ସୂଚନାଯୋଗ୍ୟ ଯେ, କୋଭିଡ-୧୯ ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଟ୍ରେନ୍ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ଗଞ୍ଜାମ ସମେତ ଖୋର୍ଦ୍ଧା ଜିଲ୍ଲାର କେତେକ ଷ୍ଟେସନରେ ଟ୍ରେନ୍ ରହଣୀ ନ କରିବାକୁ କୁହାଯାଇଥିଲା । ପୁରୀକୁ ଟ୍ରେନ୍ ଚଳାଚଳ ଉପରେ କଟକଣା ଲାଗୁ ହୋଇଥିଲା । ଏବେ ରାଜ୍ୟ ସରକାରଙ୍କଠାରୁ ଅନୁମତି ମିଳିବା ପରେ ଖୁବଶୀଘ୍ର ରାଜ୍ୟ ଭିତରେ ଅଧିକ ସଂଖ୍ୟାରେ ଟ୍ରେନ୍ ଚଳାଚଳ ଦିଗରେ ପଦକ୍ଷେପ ନିଆଯିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.

4 × five =